Thu. Mar 12th, 2026

ରବିବାର ଦିନ ରାମଲୀଳା ମୈଦାନ୍‌ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିଓ୍ଵାଲ୍‌

228 Views

ନୂଆଦିଲ୍ଲୀ : ଫେବ୍ରୁଆରି ୧୬ ତାରିଖ, ରବିବାର ଦିନ ରାମଲୀଳା ମୈଦାନରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଆମ୍‌ ଆଦ୍‌ମି ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଶପଥ ଗ୍ରହଣ କରିବେ। ଏଥରକୁ ମିଶାଇ କେଜ୍ରିଓ୍ଵାଲ୍‌ ତୃତୀୟ ଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ଦିଲ୍ଲୀର ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍‌ ଅନୀଲ ବୈଜାଲ୍‌ଙ୍କୁ ଭେଟିବାକୁ ବୁଧବାର ପୂର୍ବାହ୍ନରେ ‘ଆପ୍‌’ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍‌ ରାଜ ନିବାସରେ ପହଞ୍ଚିଛନ୍ତି। ‘ଆପ୍‌’ ବିଧାୟକମାନେ ଆଜି କେଜ୍ରିଓ୍ଵାଲ୍‌ଙ୍କ ବାସ ଭବନରେ ଏକ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

୭୦ ଆସନବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ‘ଆପ୍‌’ ୬୨ଟି ଆସନରେ ବିଜୟୀ ହୋଇଛି। ଏହି ଆସନଗୁଡ଼ିକରୁ ‘ଆପ୍‌’କୁ ୫୩. ୫୭% ଭୋଟ୍‌ ମିଳିଥିବା ବେଳେ ବାକି ୮ଟି ଆସନରେ ୩୮. ୫୧% ଭୋଟ୍‌ ପାଇ ବିଜେପି ବିଜୟ ହୋଇଛି। ୪. ୨୬% ଭୋଟ୍‌ ପାଇଥିବା କଂଗ୍ରେସ ଏଥିରେ କୌଣସି ଆସନ ପାଇ ନାହିଁ।

ରାଜନୈତିକ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, କ୍ରମାଗତ ତୃତୀୟ ଥର ଲାଗି କ୍ଷମତାସୀନ ହେଲେ ମଧ୍ୟ ‘ଆପ୍‌’ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କୁ ‘ଜାତୀୟ ନେତା’ ହେବାକୁ ଆହୁରି ସମୟ ଲାଗିବ। ଏଥିପାଇଁ ତାଙ୍କୁ ସମଗ୍ର ଭାରତରେ ଭିତ୍ତି ପ୍ରସ୍ତୁତ କରିବାକୁ ପଡ଼ିବ।

By amfnews

Related Post