Sat. Mar 7th, 2026

ରଥଖଳାରେ ରଥ ନିର୍ମାଣ କାମ ଆରମ୍ଭ, ତୁମ୍ବ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ମହାରଣା ସେବକ

240 Views

ପୁରୀ : ସରକାରଙ୍କ ଅନୁମତି ପରେ ଆଜି ରଥଖଳାରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ଏବେ ତୁମ୍ବ ପ୍ରସ୍ତୁତିରେ ମହାରଣା ସେବକମାନେ ଲାଗି ପଡ଼ିଛନ୍ତି।

ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ତିନି ରଥର ମହାରଣାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ରଥ ନିର୍ମାଣ କାମ ଆରମ୍ଭ ଲାଗି ନିଷ୍ପତ୍ତି ନିଆଯାଇଥିଲା। ସକାଳ ୮ଟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା।

ରଥ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଯେଉଁ ଚିଠି ଲେଖାଯାଇ ଅନୁମତି ମଗାଯାଇଥିଲା, ତାର ଉତ୍ତର ଗତକାଲି ସନ୍ଧ୍ୟାରେ ମିଳିଥିଲା। ସାମାଜିକ ଦୂରତ୍ବ ଓ ଅନ୍ୟାନ୍ୟ କରୋନା କଟକଣା ଅନୁପାଳନ କରି ରଥ ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ଏହି ଚିଠି ମିଳିଲା ପରେ ପ୍ରଶାସନ ଚଳଚଞ୍ଚଳ ହୋଇ ଉଠିଥିଲା। ବିଳମ୍ବିତ ରାତିରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରଥ ନିର୍ମାଣ ଆରମ୍ଭ ନେଇ ବୈଠକ ବସିଥିଲା।

ବୈଠକରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର, ଦେବଦଳନ ରଥର ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣା, ତାଳଧ୍ବଜ ରଥର ମୁଖ୍ୟ ମହାରଣା ନରସିଂହ ମହାପାତ୍ର, ପରିଚାଳନା କମିଟିର ୨ ଜଣ ସଦସ୍ୟ ଉପସ୍ଥିତ ଥିଲେ। ସକାଳ ୮ଟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ରାତି ୧୦ଟା ଯାଏଁ ରଥ ଚାଲିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଆସନ୍ତା ଭଉଁରୀ ଦିନ ଚକ ଡେରା କାର୍ଯ୍ୟ କରିବା ପାଇଁ ସେମାନେ ଉଦ୍ୟମ କରି‌ବେ ବୋଲି ତିନି ରଥର ମୁଖ୍ୟ ମହାରଣାମାନେ କହିଥିଲେ। ତେବେ ମହାରଣାଙ୍କ ସଂଖ୍ୟା ବୃଦ୍ଧି ନେଇ ପରବର୍ତ୍ତୀ ସମୟରେ ଆଲୋଚନା ହେବ ବୋଲି ସ୍ଥିର ହୋଇଥିଲା।

By amfnews

Related Post