Mon. Mar 10th, 2025

ରଙ୍ଗଶାଳା ପାଇଁ ଦରଦ, ଆଦିବାସୀଙ୍କ ପାଇଁ ନାହିଁ : ମଦ ଗୋଦାମ ପାଇଁ ଉଚ୍ଛେଦ ହେବ ବସ୍ତି

By amfnews Feb 4, 2020 #Featured
134 Views

ଯାଜପୁର : ଯାଜପୁରରେ ଶତାଧିକ ଆଦିବାସୀ ଲୋକ ବସବାସ କରୁଥିବା ବସ୍ତିକୁ ମାଟିରେ ମିଶାଇ ସେଠାରେ ମଦ ‌ଗୋଦାମ କରିବାକୁ ପ୍ରଶାସନ ତତ୍ପର ହୋଇଉଠିଛି। ଏଭଳି ଘଟଣା ପୁଣି ସେହି ଧର୍ମଶାଳା ତହସିଲ ଅଞ୍ଚଳରେ ଦେଖିବାକୁ ମିଳିଛି। ଯେଉଁଠାରେ କି ସରକାରୀ ଜମିରେ ଦୁଇ ଦୁଇ ଚର୍ଚ୍ଚିତ ରଙ୍ଗଶାଳା ଥିବା ସତ୍ତ୍ବେ ପ୍ରଶାସନ ଭାଙ୍ଗିପାରୁନାହିଁ। ଅଥଚ କୁଡ଼ିଆ ଉପରେ ପାଲ ଟାଙ୍ଗି ପିଲାଛୁଆଙ୍କୁ ଧରି ବର୍ଷବର୍ଷ ଧରି ପଡ଼ିଥିବା ଆଦିବାସୀ ବସ୍ତିରେ ପୁଲିସ ବଳ ଧରି ପ୍ରଶାସନ ପହଞ୍ଚିଯାଉଛି। ପ୍ରଶାସନର ଏଭଳି ଆଭିମୁଖ୍ୟକୁ କଟୁ ସମାଲୋଚନା କରାଯାଉଛି।

ଧର୍ମଶାଳା ତହସିଲ ଅନ୍ତର୍ଗତ କଣ୍ଟିଗଡ଼ିଆ ପଞ୍ଚାୟତର ଗାନ୍ଧୀଛକ ନିକଟରେ ୪୦ ଆଦିବାସୀ ପରିବାରର ଶତାଧିକ ଲୋକ ଦୀର୍ଘ ୬୦ ବର୍ଷ ହେଲା ପିଲାଛୁଆଙ୍କୁ ଧରି ଦୟନୀୟ ଜୀବନଯାପନ କରୁଛନ୍ତି। ଜାତୀୟ ରାଜପଥ ପାର୍ଶ୍ବରେ ଥିବା ନଗଡ଼ା ଭଳି ଏହି ବସ୍ତିରେ ପିଇବା ପାଣି, ବିଦ୍ୟୁତ, ରାସ୍ତାଘାଟ, ଅଙ୍ଗବାଡ଼ି, ସ୍କୁଲ କିଛି ବି ନାହିଁ। ମାତ୍ର, ବସ୍ତି ଉଠାଇ ଏକ ମଦ ଦୋକାନ ଖୋଲିବା ପାଇଁ ପ୍ରଶାସନ ତତ୍‌ପର ହୋଇ ଉଠିଛି। ବସ୍ତି ନିକଟରେ ସରକାରଙ୍କ ସ୍ବୀକୃତିପ୍ରାପ୍ତ ମଦ କାରଖାନା ବି ରହିଛି। ବଡ଼ଚଣା ନିକଟରେ ମଦ ଗୋଦାମ ରହିଛି। ମଦୁଆଙ୍କ ପାଇଁ ମଦ ଅଭାବ ହେଉଥିବାରୁ ସରକାର ୨୦୧୬ମସିହାରୁ ଏଠାରେ ଆଉ ଏକ ମଦ ଗୋଦାମ କରିବାକୁ ଯୋଜନା କରିଛନ୍ତି। ୪ଏକର ଜମି ଅବକାରୀ ବିଭାଗକୁ ଦିଆଯାଇଛି। ‌

ମଦ ‌ଗୋଦାମ ପାଇଁ ଆଦିବାସୀଙ୍କୁ ଉଚ୍ଛେଦ ଏକପ୍ରକାର ସ୍ଥିର ହୋଇଥିବାବେଳେ ଅନ୍ୟସ୍ଥାନରେ ସେମାନଙ୍କୁ ଥଇଥାନ କରିଦିଆଯିବ ବୋଲି ତହସିଲଦାର ସରୋଜ କୁମାର ପଣ୍ଡା କହନ୍ତି। ।

By amfnews

Related Post