Tue. Dec 24th, 2024

ରଘୁନାଥ ଆଦର୍ଶ ମହାବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବ ପାଳିତ

By amfnews Dec 8, 2018 #Featured
454 Views

ଖୋର୍ଦ୍ଧା ଜିଲ୍ଲାର ଓଳସିଂହଠାରେ ରଘୁନାଥ ଆଦର୍ଶ ମହାବିଦ୍ୟାଳୟରେ ରଜତ ଜୟନ୍ତୀ ପାଳିତ ହୋଇଯାଇଛି । ୧୯୯୩ ମସିହାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାମ୍ୟବାଦୀ ନେତା, ସଂସ୍କାରକ, ସୁସଙ୍ଗଠକ, ଲେଖକ ଓ ସ୍ତମ୍ଭକାର ରଘୁନାଥ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଏହି ମହାବିଦ୍ୟାଳୟଟି ଇତିମଧ୍ୟରେ ତା’ର ୨୫ ବର୍ଷ ପୂର୍ତ୍ତି ପାଳନ କରିଛି ।

ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଅର୍ଥ ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରା, ମୁଖ୍ୟ ବକ୍ତା ଭାବେ ରାଜସଭ୍ୟ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଲୋକସଭା ସାଂସଦ ତଥା ସିପିଆଇଏମ୍ର ବରିଷ୍ଠ ନେତା ଶିବାଜୀ ପଟ୍ଟନାୟକ, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଟାଙ୍ଗୀ ବ୍ଲକ୍ ଅଧ୍ୟକ୍ଷ ବିଜୟ କୁମାର ଜେନା ଓ ଏହି ଆଦର୍ଶ ମହାବିଦ୍ୟାଳୟର ସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ଅଧ୍ୟକ୍ଷ ସୁଧାଂଶୁ ଭୂଷଣ ଦାସ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଅତିଥିମାନେ ଏହି ମହାବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତାଙ୍କୁ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଅର୍ଥ ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରା ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବା ସହିତ ଖବର ତଥା ଖବରକାଗଜ ସହିତ ଜଡ଼ିତ ରହିବାକୁ ପରାମର୍ଶ ଦେଇଥିଲେ । ପ୍ରତ୍ୟହ ଖବର ଜାଣିବା ଦ୍ୱାରା ଆମେ ନିଜେ ନିଜକୁ ସୁରକ୍ଷା ଦେଇପାରିବା ବୋଲି କହିଥିଲେ । ପିଲାମାନଙ୍କୁ ପାଠ ସହିତ ରାଜ୍ୟ ତଥା ଦେଶ ଓ ବିଦେଶର ଖବର ସମ୍ପର୍କରେ ପ୍ରତ୍ୟହ ଜାଣିବା ପାଇଁ ଖବରକାଗଜ ପଢିବା ବା ନ୍ୟୁଜ୍ ଦେଖିବାକୁ ପରାମର୍ଶ ଦେଇଥିଲେ ।

ଖବର ଜାଣିବା ଦ୍ୱାରା ସଚେତନତା ସୃଷ୍ଟି ହୋଇପାରିବ ବୋଲି ସେ ତାଙ୍କ ଭାଷଣରେ କହିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସେ ତାଙ୍କ ବକ୍ତବ୍ୟରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୀବନୀ କଥା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଏକ ମହତ ଉପଦେଶ ଦେଇଥିଲେ । ପିତାମାତାଙ୍କୁ ସମ୍ମାନ କରିବା ଓ ଶିକ୍ଷାର ମୂଳ ଲକ୍ଷ୍ୟକୁ ହାସଲ କରିବା ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ସେହିପରି ଏହି ସଭାର ଅନ୍ୟତମ ସମ୍ମାନିତ ଅତିଥି ଶିବାଜୀ ପଟ୍ଟନାୟକ ଏହି ଆଦର୍ଶ ମହାବିଦ୍ୟାଳୟର ଇତିହାସ ବିଷୟରେ କହିବା ସହିତ ଏହି ଯୁକ୍ତ ଦୁଇ ବିଦ୍ୟାଳୟଟିର ବିକାଶ ଓ ବୃଦ୍ଧି ଦିଗରେ ନିଜର ଅଭିମତ ରଖିଥିଲେ । ପରବର୍ତ୍ତୀ ସମୟରେ ଏହି ଆଦର୍ଶ ବିଦ୍ୟାଳୟରେ ବି.ଏ. ର ପାଠ୍ୟକ୍ରମ ସହିତ ନିଯୁକ୍ତିଭିତ୍ତିକ ଆବଶ୍ୟକୀୟ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ ।

ରାଜେନ୍ଦ୍ର କୁମାର ସାହୁ ଏହି ଉତ୍ସବରେ ଯୋଗଦେଇ କଲେଜର ଭିତ୍ତିଭୂମି ବିକାଶ ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ନିଜର ମନ୍ତବ୍ୟ ରଖିବା ସହିତ ଆଗାମୀ ସମୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ନେଇ ନିଜର ଅଭିମତ ପ୍ରଦାନ କରିଥିଲେ । ସେହିପରି କଲେଜର ସଭାପତି ଭାବେ ପ୍ରଶାନ୍ତ ପଟ୍ଟନାୟକ ଦୀର୍ଘ ୨୫ ବର୍ଷ ମଧ୍ୟରେ ଏହି ଶିକ୍ଷାନୁଷ୍ଠାନଟି ଗ୍ରାମାଞ୍ଚଳର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ଦେବା ସହ ନାରୀ ଶିକ୍ଷା ପାଇଁ ଉପଯୁକ୍ତ ସୁଯୋଗ ସୃଷ୍ଟି କରିପାରିଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ । ରଜତ ଜୟନ୍ତୀ ଉତ୍ସବକୁ ସ୍ମରଣୀୟ କରିବା ନିମନ୍ତେ ଏହି ଶିକ୍ଷାନୁଷ୍ଠାନ ପରିସରରେ ଏକ ରଜତ ଜୟନ୍ତୀ ସମ୍ମିଳନୀ କକ୍ଷ ପ୍ରତିଷ୍ଠା ଦିଗରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା, ରାଜ୍ୟସଭା ସାଂସଦ ଶ୍ରୀ ପଟ୍ଟନାୟକ, ବିଧାୟକ ଶ୍ରୀ ସାହୁ ଏବଂ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଆଗାମୀ ବର୍ଷମାନଙ୍କରେ ଛାତ୍ରଛାତ୍ରୀମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ଆବଶ୍ୟକୀୟ ପାଠ୍ୟକ୍ରମ ପ୍ରଚଳନ କରିବା ଦିଗରେ ସରକାରଙ୍କ ସାହାଯ୍ୟ, ସହଯୋଗ ଏବଂ କଲେଜର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତଙ୍କ ସାହାଯ୍ୟ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ରଜତ ଜୟନ୍ତୀ ଉତ୍ସବଟିକୁ ଅଧ୍ୟକ୍ଷ ସୁଧାଂଶୁ ଭୂଷଣ ଦାଶ ଓ କାଶୀନାଥ ବରାଳ ପ୍ରମୁଖ ପରିଚାଳନା କରିଥିଲେ । ଉତ୍ସବରେ ଏହି ଆଦର୍ଶ ମହାବିଦ୍ୟାଳୟକୁ ପୃଷ୍ଠପୋଷକତା କରିଥିବା ଡ. ବ୍ରହ୍ମାନନ୍ଦ ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପୁରୁଷୋତ୍ତମ ହୋତା, ଅଧ୍ୟାପକ ଗୌରୀଶଙ୍କର ପ୍ରହରାଜ, ପୂର୍ବତନ ସମ୍ପାଦକ ଶ୍ରୀ ସାନୁଜ ବରାଳ, ପରିଚାଳନା କମିଟର ସଦସ୍ୟ ଏବଂ ପୃଷ୍ଠପୋଷକ ଶ୍ରୀ ପ୍ରକାଶ ପଟ୍ଟନାୟକ, ଏହି ମହାବିଦ୍ୟାଳୟର ସଭାପତି ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ, ଏହି ମହାବିଦ୍ୟାଳୟକୁ ସବୁବେଳେ ସହଯୋଗ କରିଆସିଥିବା ମହିଳା କଲେଜର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ହୋତା ଓ କ୍ଷେତ୍ରବାସୀ ଡିଏଭି କଲେଜର ଅଧ୍ୟକ୍ଷ ଅଶୋକ ବଳବନ୍ତରାୟଙ୍କୁୁ ସମ୍ମାନିତ କରାଯାଇଥିଲା । ଏହି ଶିକ୍ଷାନୁଷ୍ଠାନର ପୂର୍ବତନ ଛାତ୍ର ଶ୍ରୀ ପ୍ରେମାନନ୍ଦ ପରିଡ଼ା ସମ୍ପ୍ରତି ଗ୍ରାମପଞ୍ଚାୟତର ସରପଞ୍ଚ ଭାବରେ ଏହି ମହାବିଦ୍ୟାଳୟ ଏବଂ ଅଞ୍ଚଳର ଉନ୍ନତି ପାଇଁ ବହୁ ପଦକ୍ଷେପ ନେଉଥିବାରୁ ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବ ପରିପ୍ରେକ୍ଷୀରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଭଜନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

By amfnews

Related Post