Sat. Mar 7th, 2026

ଯୋଗ ଗୁରୁ ଯୋଗୀ ସରକାରଙ୍କୁ ଦେଲେ ବଡ଼ ଝଟକା, ରାଜ୍ୟରୁ ହଟିବ ମେଗା ଫୁଡ଼ ପାର୍କ

308 Views

ନୋଏଡା, ଜୁନ ୦୫: ରାଜ୍ୟରେ ରୋଜଗାର ସୃଜନ କରିବା ଆଶା ନେଇ  ବସିଥିବା ଉତ୍ତର ପ୍ରଦେଶ ସରକାରକୁ ଲାଗିଛି ବଡ଼ ଝଟକା। ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଆୟୁର୍ବେଦ ଲିମିଟେଡ ରାଜ୍ୟରେ ପ୍ରସ୍ତାବିତ ଫୁଡ ପାର୍କକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯାଉଛନ୍ତି। ଆଚାର୍ୟ୍ୟ ବାଲକୃଷ୍ଣ ଏହାର କାରଣ ଦର୍ଶାଇ କହିଛନ୍ତି ଯେ ଫୁଡ ପାର୍କକୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନିରାଶଜନକ ଏବଂ ଏଥିରେ କୃଷକଙ୍କ ସ୍ଥିତି ସୁଧୁରିବ ନାହିଁ। ତେଣୁ ଫୁଡ ପାର୍କ ରାଜ୍ୟରୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଅାଯାଇଛି।

ପତଞ୍ଜଳୀ ଆୟୁର୍ବେଦ ଲିମିଟେଡର ପରିଚାଳକ ନିର୍ଦ୍ଦେଶକ ତଥା ପତଞ୍ଜଳୀ ଯୋଗପୀଠର ସହ ସଂସ୍ଥାପକ ଆଚାର୍ୟ୍ୟ ବାଳକୃଷ୍ଣ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିରାଶଜନକ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଆମେ ଉତ୍ତର ପ୍ରଦେଶରେ ପ୍ରସ୍ତାବିତ ଫୁଡ ପାର୍କକୁ ସ୍ଥାନାନ୍ତର କରୁଛୁ। ଏଥିରେ ରାଜ୍ୟ କୃଷକଙ୍କ ସ୍ଥିତିରେ କୌଣସି ସୁଧାର ହୋଇ ପାରିବ ନାହିଁ।

୨୦୧୬ରେ ଅଖିଳେଶ ଯାଦବ କରିଥିଲେ ଶିଳାନ୍ୟାସ

ଉଲ୍ଲେଖଯୋଗ୍ୟ ୨୦୧୬ରେ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଥିବା ବେଳେ ନୋଏଡାରେ ଯମୁନା ଏକ୍ସପ୍ରେସ ଓ୍ଵେ ଅଦୌଗିକି ବିକାଶ ପ୍ରାଧିକରଣ ପତଞ୍ଜଳୀ ଫୁଡ ପାର୍କର ଶିଳାନ୍ୟାସ କରିଥିଲେ। ସେହି ସମୟରେ କୁହାଯାଉଥିଲା ଯେ ଏହି ଫୁଡ ପାର୍କ ଆରମ୍ଭ ହେଲେ ପ୍ରାୟ ୧୦,୦୦୦ ଲୋକଙ୍କୁ ନିଯୁକ୍ତି ମିଳିଯିବ।  ଏହି ପ୍ରକଳ୍ପରେ ପତଞ୍ଜଳୀ ଗ୍ରୁପ ୧୬୦୦ କୋଟି ଟଙ୍କାର ନିବେଶ କରିବ ବୋଲି କୁହାଯାଉଥିଲା। ମାତ୍ର ଏବେ ଏହି ପ୍ରକଳ୍ପ ଉତ୍ତର ପ୍ରଦେଶରୁ ଚାଲି ଯିବାକୁ ବସିଛି।

ରାଜ୍ୟକୁ ଥିଲା ବହୁତ ବଡ଼ ଆଶା

ଉଲ୍ଲେଖନୀୟ ଏହି ପ୍ରକଳ୍ପର ଶିଳାନ୍ୟାସ ସମୟରେ ପତଞ୍ଜଳୀ ପକ୍ଷରୁ  ଏହା ମଧ୍ୟ କୁହାଯାଇଥିଲା ଯେ କମ୍ପାନୀ ବୁନ୍ଦେଲଖଣ୍ଡ ଓ ପୂର୍ବାଞ୍ଚଳରେ ମଧ୍ୟ ଫୁଡ ପାର୍କ ୟୁନିଟ୍ ସ୍ଥାପନ କରିବ। ମାତ୍ର ଯୋଗ ଗୁରୁ ରାମଦେବଙ୍କ ଏହି ନିଷ୍ପତ୍ତି ଏବେ ରାଜ୍ୟ ପାଇଁ ବଡ଼ ଝଟକା ଲାଗିଛି।  ରାଜ୍ୟର ଯୋଗୀ ସରକାର ଓ ବିଜେପି ସହ ଭଲ ସଂପର୍କ ରଖୁଥିବା ରାମଦେବ ଏବଂ ତାଙ୍କର କମ୍ପାନୀଙ୍କ ମଧ୍ୟରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାର କାରଣ ଜଣା ପଡିନାହିଁ। ମାତ୍ର ପତଞ୍ଜଳୀର ଏହି ନିଷ୍ପତ୍ତିରେ ରାଜ୍ୟର କ୍ଷତି ହେବା ଥୟ।

By amfnews

Related Post