Thu. Jan 16th, 2025

ଯୁବ ପ୍ରଶିକ୍ଷଣ ଶିବିରର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ

By amfnews Jan 17, 2019 #Featured
91 Views

ରାଉରକେଲା, ୧୭ା୧  : ବେଦବ୍ୟାସ ସ୍ଥିତ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟରେ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଯୁବ ପ୍ରଶିକ୍ଷଣ ଶିବିରର ଉଦ୍ଯାପନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଡ.ଉମାକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଯୁବ ପ୍ରଶିକ୍ଷଣ ଶିବିର ଗତ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଚାଲିଥିଲା । ପ୍ରାରମ୍ଭରେ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଆଇନ୍ଜୀବୀ ସୁଦାମ ଚରଣ ଦାଶ, ମୁଖ୍ୟବକ୍ତା ଭାବେ ପ୍ରଫେସର ଲକ୍ଷ୍ମୀଧର ରାଉତ, ସମ୍ମାନିତ ଅତିଥି ଭାବେ ଭାରତୀୟ ରେଳବାଇ ମଜଦୁର ସଂଘର ରାଷ୍ଟ୍ରୀୟ ମୁଖପାତ୍ର ସୁବାଷ ଚନ୍ଦ୍ର ଲେଙ୍କା, ନୀଳକଣ୍ଠ ମହାନ୍ତି ଓ ସମ୍ମାନିତ ବକ୍ତା ଭାବେ ପଣ୍ଡିତ ଧନେଶ୍ୱର ବେହେରା, ଜୟଶ୍ରୀ ଦାସ ଓ ଅଧ୍ୟାପକ କାଳୀକିଙ୍କର ମହୋଦୟ ଯୋଗ ଦେଇଥିଲେ ।

ଏହି ଯୁବ ପ୍ରଶିକ୍ଷଣ ଶିବିରରେ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସ୍ୱାମୀ ବିବେକାନନ୍ଦଜୀ ଜନ୍ମଦିବସକୁ ପ୍ରତି ବର୍ଷ ଜାନୁୟାରୀ ୧୨କୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ । ତେଣୁ ଏହି ମହାବିଦ୍ୟାଳୟ ପକ୍ଷରୁ ଗତ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହା ପାଳନ କରାଯାଇଛି । ମୁଖ୍ୟ ଅତିଥି ଶ୍ରୀ ଦାଶ କହିଲେ ଯେ, ଜାତିର ପିତା ମହାତ୍ମା ଗାନ୍ଧୀ ସ୍ୱାମୀଜୀଙ୍କ ପୁସ୍ତକ ପଢିବା ପରେ ତାଙ୍କ ଦେଶପ୍ରମେ ହଜାରେଗୁଣ ବଢିଥିଲା । ମୁଖ୍ୟବକ୍ତା ପ୍ରଫେସର ରାଉତଙ୍କ ଭାଷାରେ ବିଶ୍ୱର ବହୁ ବିଶିଷ୍ଠ ବ୍ୟକ୍ତି ସ୍ୱାମୀଜୀଙ୍କ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇପାରିଥିଲେ । ସମ୍ମାନିତ ଅତିଥି ତଥା ଜ୍ଞାନପ୍ରଭାର ସମ୍ପାଦକ ସୁବାଷ ଚନ୍ଦ୍ର ଲେଙ୍କା କହିଲେ ଯେ, ସ୍ୱାମୀଜୀ ଥିଲେ ଜଣେ ପୂର୍ଣ୍ଣାଙ୍ଗ ପୁରୁଷ । ମଣିଷଙ୍କ ମଧ୍ୟରେ ଅତି ମାନବ ।

ମାନବ ସମାଜର ସେବା, ନୈତିକ ଓ ଆଧ୍ୟାତ୍ମିକ ଉନ୍ନତି ବିଧାନ କାର୍ଯ୍ୟରେ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା । ତାଙ୍କ ପ୍ରଣୀତ ବର୍ତ୍ତମାନର ଭାରତ ପରିବ୍ରାଜକ ଭାବିବାର କଥା, ପ୍ରାଚ୍ୟ ଓ ପାଶ୍ଚାତ୍ୟ, ବେଦାନ୍ତ ଯୋଗ ଇତ୍ୟାଦି ପୁସ୍ତକ ବିଶ୍ୱବାସୀଙ୍କୁ ପ୍ରେରଣା ଯୋଗାଇଛି । ସଭାପତି ଡ. ପଣ୍ଡା କହିଲେ ଯେ, ଈଶ୍ୱରଦର୍ଶୀ ପୂଜ୍ୟ ରାମକୃଷ୍ଣଙ୍କ ଶିଷ୍ୟ ଜଗଦ୍ଗୁରୁ ସ୍ୱାମୀ ବିବେକାନନ୍ଦଙ୍କ ଜୀବନାବଳୀ ସମ୍ପର୍କରେ ଯିଏବି ଜାଣିଛି ଅବଶ୍ୟ ସେ ବ୍ୟକ୍ତି ନିଶ୍ଚିତ ଭାବରେ ଅନୁପ୍ରାଣିତ ହେବ ଏବଂ ଜଣେ ନୀତିବାଦୀ, ଆଦର୍ଶବାଦୀ ଆଉ ଜଣେ ଉତ୍ତମ ସଂସ୍କାରବାଦୀ ମଣିଷ ଭାବେ ନିଜକୁ ଗଢିପାରିବ । ପଣ୍ଡିତ ଧମେଶ୍ୱର ବେହେରା ସଂସ୍କାରବାଦୀ ହେବା ସହ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅଧ୍ୟାପକ କାଳୀକିଙ୍କର ସମସ୍ତ ଅତିଥି ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ମହାବିଦ୍ୟାଳୟର ୨ ଜଣ ଅଧ୍ୟାପିକା ମଧ୍ୟ ଏଥିରେ ଅଂଶଗ୍ରହଣ କରି କୃତଜ୍ଞତା ଜଣାଇଥିଲେ ।

By amfnews

Related Post