ଭୁବନେଶ୍ବର : ଯୁକ୍ତ ୨ ଥିଓରି ପରୀକ୍ଷାକୁ ଆଉ ଏକ ମାସ ବାକି ଥିବା ବେଳେ ଏ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିପାରିନି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ୫ଥର ତାଗିଦ୍ କରାଯିବା ପରେ ବି ପ୍ରାୟ ୩୫୦କଲେଜ କ୍ୟାମେରା ଲଗାଇ ନାହାନ୍ତି। କଲେଜଗୁଡ଼ିକରେ ଭିତ୍ତିଭୂମି ଅଭାବ ସାଙ୍ଗକୁ ଯେଉଁଠାରେ ଯୁକ୍ତ୨ ଓ ଯୁକ୍ତ ୩ କଲେଜ ମିଳିତ ଭାବେ ରହିଛି, ସେଠାରେ ସିସିଟିଭି ଲଗାଇବା ନେଇ ଏବେ ସମସ୍ୟା ସୃଷ୍ଟି ହୋଇଛି। ସିସିଟିଭିର ସୁରକ୍ଷା ନେଇ ମଧ୍ୟ କେତେକ କଲେଜ ଅଧ୍ୟକ୍ଷମାନେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ସମୟରେ ପରିଷଦ କଡ଼ା ପଦକ୍ଷେପ ନେବାକୁ ଯାଉଛି। ଯେକୌଣସି ପ୍ରକାରେ ସିସିଟିଭି ଲଗାଇବାକୁ ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କଡ଼ା ନିର୍ଦେଶ ଦେଇଛନ୍ତି। ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି କହିଛନ୍ତି ଯେ ଫେବ୍ରୁଆରି ୨୦ତାରିଖ ସୁଦ୍ଧା କ୍ୟାମ୍ପସରେ ସିସିଟିଭି ଲଗାଇ ରିପୋର୍ଟ ଦାଖଲ କର। ଯଦି ନିର୍ଦ୍ଧାରିତ ସମୟ ସୁଦ୍ଧା ସିସିଟିଭି ନ ଲଗାଇବ, କାର୍ଯ୍ୟାନୁଷ୍ଠାନ ହେବ। ପରୀକ୍ଷା କେନ୍ଦ୍ର ବାତିଲ୍ ହେବ। ସମ୍ପୃକ୍ତ କେନ୍ଦ୍ରର ପରୀକ୍ଷାର୍ଥୀଙ୍କୁ ନିକଟସ୍ଥ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍ କରାଯିବ ବୋଲି ଆଜି କଡ଼ା ଚେତାବନୀ ଦେଇଛନ୍ତି। ଅପରପକ୍ଷେ ଯୁକ୍ତ୨ ପରୀକ୍ଷା ପରିଚାଳନା ପାଇଁ ଗଠିତ ହେବାକୁ ଥିବା କେନ୍ଦ୍ରୀୟ ଓ ଜୋନ୍ସ୍ତରୀୟ ସ୍କ୍ବାଡ୍ରେ ଏଥର ଅଧ୍ୟାପକମାନେ ରହିବେ। ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଗଣଶିକ୍ଷା ବିଭାଗ ଅଧିକାରୀମାନେ କେନ୍ଦ୍ରୀୟ ସ୍କ୍ବାଡ୍ରେ ସାମିଲ ହେଉଥିଲେ। ଜୋନ୍ସ୍ତରୀୟ ସ୍କ୍ବାଡ୍ରେ ପରିଷଦର ୩ଟି ଜୋନ୍ର ଅଧିକାରୀମାନଙ୍କ ସମେତ ବରିଷ୍ଠ ଅଧ୍ୟାପକମାନେ ରହୁଥିଲେ। ଏଥର ନିୟମରେ ପରିବର୍ତ୍ତନ କରାଯାଇଛି। ଉଭୟ କେନ୍ଦ୍ରୀୟ ଓ ଜୋନ୍ସ୍ତରୀୟ ସ୍କ୍ବାଡ୍ରେ ଅଧ୍ୟାପକମାନଙ୍କୁ ସାମିଲ କରାଯିବାକୁ ପରିଷଦ ନିଷ୍ପତ୍ତି ନେଇଛି।
244 Views