Sat. Mar 7th, 2026

ଯାଜପୁର : ବନ୍ଦ ହେବନି ନୀଳାଚଳ କାରଖାନା, ମିଳିବ ୮୦୦ କୋଟି ଟଙ୍କାର ପୁଞ୍ଜି

192 Views

ଯାଜପୁର/ଦାନଗଦୀ : ବନ୍ଦ ହେବନି ନୀଳାଚଳ କାରଖାନା। ପୁଞ୍ଜି ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ଚଳାଇ ରଖାଯିବ। ଏଥିପାଇଁ ନୀଳାଚଳ ଇସ୍ପାତ ନିଗମକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୮ଶହ କୋଟି ଟଙ୍କାର ପୁଞ୍ଜି ଯୋଗାଇ ଦେବେ। ଏଭଳି ନି‌ଷ୍ପତ୍ତି ସଂପର୍କରେ ଜଣାପଡ଼ିବା ପରେ ଶ୍ରମିକ, କର୍ମଚାରୀ ମହଲରେ ଖୁସି ପ୍ରକଟ ହୋଇଛି।

ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ଥିବା ଓଡ଼ିଶା ଏବଂ ଭାରତ ସରକାରଙ୍କ ମିଳିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମର ଅବସ୍ଥା ରୁଗ୍ଣ। ଏଠାରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ଏହାର ପ୍ରମୁଖ ଅଂଶୀଦାର ଏମଏମଟିସି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଜଣାଇ ଦେଇଛି। କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ଏମଏମଟିସି ପ୍ରସ୍ତାବ ଦେବା ପରେ ସ୍ଥିତି ଦୋହଲି ଯାଇଛି। କାରକାନାର ଅନେକ ଅଂଶ ଅଚଳ ହୋଇପଡ଼ିଛି। ଏସ୍‌ଏମ୍‌ଏସ୍‌ ବନ୍ଦ ଥିବା‌ବେଳେ ବ୍ଲାଷ୍ଟ ଫର୍ଣ୍ଣେସ ଚାଲୁନି। ଧୂଆଁ ବାହାରୁନି। ପାୱାର ପ୍ଲାଣ୍ଟ ୫୦ ପ୍ରତିଶତ ଚାଲୁଛି। ୨ହଜାରରୁ ଅଧିକ ଶ୍ରମିକ ଭବିଷ୍ୟତକୁ ନେଇ ଆଂଶକା ପ୍ରକାଶ କରିଥିଲେ।

ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ‌ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକଙ୍କ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀଙ୍କର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ପୁଞ୍ଜି ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ନୀଳାଚଳ ଇସ୍ପାତ ନିଗମକୁ ଚଲାଇ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ୮୦୦ କୋଟି ଟଙ୍କାର ପୁଞ୍ଜି ଯୋଗାଇଦେବେ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ନୀଳାଚଳ ଇସ୍ପାତ ନିଗମରେ ବନ୍ଦ ହୋଇ ପଡ଼ିଥିବା ୟୁନିଟଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରିବ। ଏଭଳି ନିଷ୍ପତ୍ତି ସଂପର୍କରେ ଜଣାପଡ଼ିବା ପରେ କଳିଙ୍ଗନଗର ମଜଦୁର ୟୁନିୟନର ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଏହାକୁ ସ୍ବାଗତ କରିଛନ୍ତି। ଦରମା ପାଇପାରୁ ନ ଥିବା ଶ୍ରମିକ କର୍ମଚାରୀମାନେ ନିଜ ନିଜର ଦରମା ପାଇପାରିବେ ବୋଲି ଶ୍ରୀ ଘଡ଼ାଇ ଆଶା ପ୍ରକାଶ କରିଛନ୍ତି।

By amfnews

Related Post