Tue. Jan 21st, 2025

ଯକୃତ ପ୍ରତିରୋପଣ ବ୍ୟବସ୍ଥା ପାଇଁ ୭ ଦିନ ଭିତରେ ଏମ୍‌ଓୟୁ

By amfnews Aug 4, 2019 #Featured
125 Views

ଭୁବନେଶ୍ବର : କଟକସ୍ଥିତ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ହସ୍ପିଟାଲରେ ଯକୃତ ପ୍ରତିରୋପଣ ୟୁନିଟ୍ ନିର୍ମାଣ ସରିଥିଲେ ହେଁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ପ୍ରତିରୋପଣ ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ କର୍ମଚାରୀ ତାଲିମ୍ ନେଇ ବସି ରହିଛନ୍ତି। ଏ ସଂକ୍ରାନ୍ତୀୟ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି। ଯକୃତ ପ୍ରତିରୋପଣ ବ୍ୟବସ୍ଥା ଶୀଘ୍ର ଆରମ୍ଭ କରିବା ପାଇଁ ଆସନ୍ତା ୭ଦିନ ଭିତରେ ଏମ୍‌ଓୟୁ ସ୍ବାକ୍ଷରିତ ହେବ। ଏ ସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର ପ୍ରସ୍ତୁତ କରାଯିବ। ଏହାସହ ଅନ୍ୟାନ୍ୟ ତାଲିମ, ପରିଦର୍ଶନ ଆଦି ଆନୁସଙ୍ଗିକ କାର୍ଯ୍ୟ ସାରିବାକୁ ନିର୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ଆଜି ଏସ୍‌ସିବି ମେଡିକାଲ ଓ ହସ୍ପିଟାଲର ବିକାଶ ନେଇ ଶ୍ରୀ ଦାସ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ। ବୈଠକରେ ହସ୍ପିଟାଲର ବିଭିନ୍ନ ବିଭାଗ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ହସ୍ପିଟାଲରେ ମେରୁଦଣ୍ଡ ଆଘାତ କେନ୍ଦ୍ରକୁ ଏବେ ଅସ୍ଥିଶଲ୍ୟ ବିଭାଗ ସହ ସାମିଲ କରି ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ। ପର୍ଯ୍ୟାୟକ୍ରମେ ଅନ୍ୟ ବିଭାଗଗୁଡ଼ିକୁ ଏଥିସହ ଯୋଡ଼ାଯିବ। ପରବର୍ତୀ ସମୟରେ ଏହାସହ ଟ୍ରମା କେୟାର ୟୁନିଟ୍‌କୁ ସଂଯୋଗ କରାଯାଇ ଓଡ଼ିଶା ଟ୍ରମା କେୟାର ଓ ମେରୁଦଣ୍ଡ ଆଘାତ କେନ୍ଦ୍ର ଭାବେ ନାମିତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଟ୍ରମା କେୟାର ସେଣ୍ଟରରେ ଆବଶ୍ୟକ ମାନବ ସମ୍ବଳର ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି।

ସେହିପରି ଜେରିଆଟିକ୍ ବହିର୍ବିଭାଗ ସେବା ଏବେ ସପ୍ତାହରେ ୩ ଦିନ ପାଇଁ ଜେନେରାଲ ମେଡିସିନ୍ ୱାର୍ଡରେ କାର୍ଯ୍ୟ କରୁଥିବା ବେଳେ ଏହାକୁ ସବୁଦିନ କାର୍ଯ୍ୟକାରୀ ଲାଗି ବ୍ୟବସ୍ଥା କରାଯିବା ସହ ସ୍ବତନ୍ତ୍ର ଆଇପିଡି ସେବା ଉପଲବ୍ଧ କରାଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ଭବନ ନିର୍ମାଣ ଲାଗି ୧୫ଏକର ଜମିର ବ୍ୟବସ୍ଥା ପାଇଁ କୁହାଯାଇଛି। ‌ଏହାସହ ଏସ୍‌ସିବିରେ ନିର୍ମାଣ ହେବାକୁ ଥିବା ଜି+୭ ସୁପର ସ୍ପେସାଲିଷ୍ଟ ଭବନ କାର୍ଯ୍ୟ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ନିର୍ଦେଶ ଦିଆଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ‌ରୋଗୀମାନେ ଯେପରି କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ୁଥିବା ବାଳିକା ହଷ୍ଟେଲ, ବ୍ୟାୟାମଶାଳାର ବ୍ୟବସ୍ଥା କରାଯିବା ସହ ଏବେ ଥିବା ବ୍ୟାୟାମଶାଳାର ଶୀଘ୍ର ପୁନରୁଦ୍ଧାର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଘ‌ରୋଇ ହୋମିଓପ୍ୟାଥିକ ମେଡିକାଲ କ‌ଲେଜ ଏନ୍‌ଓସି ପାଇଁ ଗଠିତ ହେବ କମିଟି
ରାଜ୍ୟରେ ଘରୋଇ ହୋମିଓପ୍ୟାଥିକ ମେଡିକାଲ କଲେଜଗୁଡ଼ିକୁ ପ୍ରଦାନ କରାଯାଉଥିବା ଏନ୍‌ଓସି ସଂପର୍କରେ ଡିଏମ୍‌ଇଟି ଏକ କମିଟି ଗଠନ କରିବା ପାଇଁ ନିର୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟରେ ଏଥିପାଇଁ ଯେଉଁ ପ୍ରକାର ବ୍ୟବସ୍ଥା ରହିଛି ତାହାର ଅନୁଧ୍ୟାନ କରିବା ପାଇଁ କୁହାଯାଇଛି। ବାରିପଦାଠାରେ ଥିବା ଘରୋଇ ଆୟୁର୍ବେଦିକ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ କରାଯିବା ସଂପର୍କରେ କରିଥିବା ଘୋଷଣା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ସମ୍ବଲପୁର ସରକାରୀ ହୋମିଓପ୍ୟାଥିକ ମେଡିକାଲ କଲେଜରେ ଖାଲି ପଡ଼ିଥିବା ପଦ ପୂରଣ ପାଇଁ ଆୟୁଷ ନିର୍ଦେଶକ ୩ଦିନ ଭିତରେ ପ୍ରସ୍ତାବ ଦେବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏସବୁ ମେଡିକାଲ କଲେଜରେ ଥିବା ଭିତ୍ତିଭୂମି ଓ ଅନ୍ୟାନ୍ୟ ସମସ୍ୟା ସଂପର୍କରେ ଅତିରିକ୍ତ ସଚିବ ସଂପୃକ୍ତ ଅନୁଷ୍ଠାନର ଅଧିକାରୀମାନଙ୍କ ସହ ଓ ହୋମିଓପ୍ୟାଥିକ ସଂଘ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶକ ଯାମିନୀ ଷଡ଼ଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଡିଏମ୍‌ଇଟି ସୋନାମାଳି ବାଗ, ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଭାଗୀୟ ମୁଖ୍ୟ, ମୁଖ୍ୟଯନ୍ତ୍ରୀ(କୋଠାବାଡ଼ି) ଓ ହୋମିଓପ୍ୟାଥିକ ମେଡିକାଲ କଲେଜଗୁଡ଼ିକର ଅଧ୍ୟକ୍ଷଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

By amfnews

Related Post