Fri. Mar 13th, 2026

ମୟୂରଭଞ୍ଜରେ ଲଜ୍ଜା: ଦୁଷ୍କର୍ମ ପୀଡ଼ିତାଙ୍କ ଫଟୋ ଭାଇରାଲ୍‌ କଲା ଅଭିଯୁକ୍ତ

227 Views

ଗୋରୁମହିଷାଣୀ : ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିବାର ୪ ମାସ ପରେ ଅଭିଯୁକ୍ତ ଯୁବକ ଅଶ୍ଳୀଳ ଭିଡିଓ ଭାଇରାଲ କରିଛି। ଏ ନେଇ ସଂପୃକ୍ତ ଛାତ୍ରୀଙ୍କ ପିତା ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ଲୋକଲୋଚନକୁ ଆସୁଛି। ଏପରି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ।

ଅଭିଯୋଗ ଅନୁଯାୟୀ, ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମଦା ଗ୍ରାମର ସିଙ୍ଗୁ ହେମ୍ବ୍ରମଙ୍କ ପୁଅ ଲେମ୍ବ(୨୩) ସଂପୃକ୍ତ ଛାତ୍ରୀଙ୍କୁ ଏକତରଫା ଭଲ ପାଉଥିଲା ଓ ବାରମ୍ବାର ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିଲା। ମାତ୍ର ସଂପୃକ୍ତ ଛାତ୍ରୀ ଜଣକ ଏଥିରେ ଅରାଜି ହେଉଥିଲେ। ଏ ନେଇ ଛାତ୍ରୀ ଘରେ ଜଣାଇଥିଲେ। ଏହାପରେ ତାଙ୍କ ପିତା ଲେମ୍ବକୁ ଡାକି ତାଗିଦ୍‌ କରି ଝିଅକୁ ଆଉ ହଇରାଣ ନ କରିବାକୁ କହିଥିଲେ। ତେବେ ଲେମ୍ବ ଉତ୍ତ୍ୟକ୍ତ ହୋଇ ଛାତ୍ରୀଙ୍କୁ ଟାର୍ଗେଟ କରିଥିଲା। ଗତ ଏପ୍ରିଲ ମାସ ୧୫ ତାରିଖରେ ଛାତ୍ରୀ ଜଣକ କଲେଜରୁ ଘରକୁ ଫେରୁଥିବାବେଳେ ଲେମ୍ବ ତାଙ୍କୁ ଟେକି ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ଏ ସଂପର୍କରେ କାହା ପାଖରେ କହିଲେ, ଆପତ୍ତିଜନକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେବ ଓ ଜୀବନରୁ ମାରି ଦେବାକୁ ଛାତ୍ରୀଙ୍କୁ ସେ ଧମକ ଦେଇଥିଲା। ଫଳରେ ଭୟଭୀତ ହୋଇ ଛାତ୍ରୀ ଜଣକ ଏନେଇ କାହାରିକୁ କହି ନଥିଲେ। ତେବେ ଗତ ୫ ତାରିଖରେ ସମସ୍ତ ଆପତ୍ତିଜନକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅଭିଯୁକ୍ତ ଲେମ୍ବ ଭାଇରାଲ କରିଥିଲା। ଏହା ଜାଣିବା ପରେ ଆଜି ତାଙ୍କ ବାପା ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଥାନା କେସ ନଂ. ୩୧/୧୯ରେ ମାମଲା ରୁଜୁ କରି ପୁଲିସ ପୀଡ଼ିତା ଛାତ୍ରୀଙ୍କୁ ଡାକ୍ତରୀ ମାଇନା ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛି।

By amfnews

Related Post