Sun. Nov 24th, 2024

ମୋଦି ସରକାରଙ୍କ ପରିବହନ ଶ୍ରମିକ ଓ ଜନବିରୋଧି ମୋଟର ଯାନ ଆଇନ୍ ସଂଶୋଧନ ବିଲ୍ ପ୍ରତ୍ୟାହାର ଦାବିରେ ସର୍ବଭାରତୀୟ ଧର୍ମଘଟ ରାଉରକେଲାରେ ସଫଳ

By amfnews Aug 8, 2018 #Featured
161 Views

ରାଉରକେଲା, ୮ା୮: କେନ୍ଦ୍ରର ମୋଦି ସରକାର ଦେଶ ଓ ଜନବିରୋଧି ତଥା ପରିବହନ ଶ୍ରମିକ ବିରୋଧି ମୋଟର ଯାନ ଆଇନ୍ ସଂଶୋଧନ ବିଲକୁ ସଂସଦରେ ପାସ୍ କରାଇ ଦେଶର ପରିବହନ ଶିଳ୍ପରେ କାମ କରୁଥିବା ପ୍ରାୟ ୧୦ କୋଟି ଶ୍ରମିକ କର୍ମଚାରୀ ଓ ସାଧାରଣ ଜନତାଙ୍କ ବିରୁଦ୍ଧରେ ଏହି କଳା, ଜେଲ୍, ଜୋରିମାନାର ଆଇନ୍ ପ୍ରଣୟନ କରିଛନ୍ତି । ଫଳରେ ମୋଟର ଯାନ ସଂଶୋଧନ ଆଇନ୍ ଯାହା ଦେଶରେ ପ୍ରଚଳିତ ଥିଲା ସେଥିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ଦେଶୀ ବିଦେଶୀ କର୍ପୋରେଟ୍ ମାଲିକମାନଙ୍କ ସପକ୍ଷରେ ମୋଦି ସରକାର ସମଗ୍ର ଦେଶର ପରିବହନ ଶ୍ରମିକମାନଙ୍କୁ କ୍ରୀତଦାସ କରିଦେବା ପାଇଁ ଏହି ସଂଶୋଧନରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ବିନା ହେଲମେଟରେ ଧରାପଡିଲେ ୧ ଶହ ଟଙ୍କା ଜାଗାରେ ୧ ହଜାର ଟଙ୍କା, ସିଟ୍ ବେଲ୍ଟ ନ ବାନ୍ଧି ଧରାପଡିଲେ ୧ ଶହ ଜାଗାରେ ୧ ହଜାର ଟଙ୍କା ସହ ବାରମ୍ବାର ଏହି ଅପରାଧ ଧରାପଡିଲେ ଲାଇସେନ୍ସ ରଦ୍ଦ କରାଯିବା ସହ ଜେଲ୍, ଜୋରିମାନାର ବ୍ୟବସ୍ଥା କରାଯାଇଛି । ପରିବହନ ଶ୍ରମିକ ଯଥା ଡ୍ରାଇଭର, କଣ୍ଡକ୍ଟର, ହେଲପରମାନଙ୍କ ବିରୁଦ୍ଧରେ ସଂଶୋଧନରେ ବ୍ୟାପକ ଜେଲ୍, ଜୋରିମାନା, ୩ ବର୍ଷ ଜେଲ ପରିବର୍ତ୍ତେ ୭ ବର୍ଷକୁ ବୃଦ୍ଧି କରାଯାଇଛି । ଆର୍ଟିଓ ଅଫିସ୍ ରହିବ ନାହିଁ । ପରିବହନ ବ୍ୟବସ୍ଥାକୁ କର୍ପୋରେଟ୍ ସଂସ୍ଥାମାନଙ୍କୁ ଟେକି ଦିଆଯିବ । ବିଭିନ୍ନ ଛୋଟ, ମଧ୍ୟବିତ୍ତ ଗାଡି ମାଲିକଙ୍କ ବ୍ୟବସାୟ ସ୍ୱତଃ ପ୍ରବୃତ୍ତ ଭାବରେ ବନ୍ଦ ହୋଇଯିବ । ଶହ ଶହ ଗାଡିଥିବା ମାଲିକଙ୍କ ପରିବହନ ବ୍ୟବସ୍ଥା ଉପରେ କର୍ତ୍ତୃତ୍ୱ ରହିବ । ପରମିଟ, ଲାଇସେନ୍ସ, ଫିଟ୍ନେସ୍ ଆର୍ଟିଓ ବଦଳରେ ଏହି କର୍ପୋରେଟ୍ ସଂସ୍ଥାମାନେ ପ୍ରଦାନ କରିବେ ।

ଦେଶର ପରିବହନ ଶିଳ୍ପକୁ ସମ୍ପୂର୍ଣ୍ଣ ଭାବରେ ଦେଶୀ, ବିଦେଶୀ କର୍ପୋରେଟ୍ ମାଲିକମାନଙ୍କ ହାତରେ ଟେକିଦେବା ପାଇଁ ମୋଦି ସରକାରର ମୋଟର ଯାନ ସଂଶୋଧନର ଏହି ଚକ୍ରାନ୍ତ ବିରୁଦ୍ଧରେ ସର୍ବଭାରତୀୟ ପରିବହନ ଶ୍ରମିକ ଫେଡେରେସନ ଓ ସିଆଇଟିୟୁର ଡାକରାରେ ଆଜି ୨୪ ଘଣ୍ଟିଆ ସର୍ବଭାରତୀୟ ପରିବହନ ଧର୍ମଘଟ ରାଉରକେଲା ତଥା ସୁନ୍ଦରଗଡ ଜିଲାରେ ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇଛି । ସୁନ୍ଦରଗଡ ମୋଟର କର୍ମଚାରୀ, ରାଉରକେଲା ମିନିବସ୍ ଆସୋସିଏସନ, ସୁନ୍ଦରଗଡ ଅଟୋ କର୍ମଚାରୀ ୟୁନିୟନ, ରାଉରକେଲା ଟ୍ୟାକ୍ସି କର୍ମଚାରୀ ସଂଘ ପକ୍ଷରୁ ଆଜି ସକାଳ ୬ଟାରୁ ରାଉରକେଲା ନୂଆ ବସ୍ଷ୍ଟାଣ୍ଡ, ବିଶ୍ରା ଛକ, ରେଳ ଷ୍ଟେସନ ଛକ, ସେକ୍ଟର ଅଞ୍ଚଳ, ରାଉରକେଲା ମୁଖ୍ୟମାର୍ଗରେ କର୍ମୀମାନେ ପିକେଟିଂ କରିବା ସହ ଆନ୍ଦୋଳନରେ ସାମିଲ୍ ହେବାକୁ ଆହ୍ୱାନ କରିଥିଲେ । ଧର୍ମଘଟ ଡାକରା ଯୋଗୁ ସମସ୍ତ ବସ୍, ମିନିବସ୍, କାର୍, ଅଟୋ, ଟ୍ୟାକ୍ସି, ମାଲବାହୀ ଅଟୋ, ଟ୍ରକ୍, ଟ୍ରଲର ଆଦି ବନ୍ଦ ରହିଥିବା ବେଳେ ସମସ୍ତ ପରିବହନ ଶ୍ରମିକମାନେ ଏହି ଧର୍ମଘଟରେ ସାମିଲ୍ ହୋଇଥିଲେ । ରାଉରକେଲା ସମେତ କୋଇଡା, କାଲ୍ଟା, ରକ୍ସି, ବଣେଇ ଓ ଅନ୍ୟାନ୍ୟ ସ୍ଥାନରେ ଧର୍ମଘଟର ପ୍ରଭାବ ବିଶେଷ ଭାବରେ ପରିଲକ୍ଷିତ ହୋଇଛି ।

କେନ୍ଦ୍ର ସରକାର ଯଦି ଏହି ଜନବିରୋଧି ମୋଟର ଯାନ ସଂଶୋଧନ ବିଲ୍ ତୁରନ୍ତ ପ୍ରତ୍ୟାହାର ନ କରନ୍ତି ତେବେ ଆଗାମୀ ଦିନରେ ଲଗାତର ଭାବରେ ପରିବହନ ଶ୍ରମିକ ଆନ୍ଦୋଳନକୁ ଜୋରଦାର କରିବାକୁ ବାଧ୍ୟ ହେବେ । ଆଜିର ଏହି ଧର୍ମଘଟରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଜିଲା ସାଧାରଣ ସମ୍ପାଦକ ବିମାନ ମାଇତି, ଜାହାଙ୍ଗୀର ଅଲ୍ଲୀ, ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ରାଜକିଶୋର ପ୍ରଧାନ, ଅଜୟ ଶର୍ମା, ବି.ପି. ମହାପାତ୍ର, ଅକ୍ଷୟ ମହାନ୍ତ, ଜୁବେର ଖାଁ, ଅରୁଣ ମହାରଣା, ବଜରଙ୍ଗୀ ଚୌଧୁରୀ, ଦିଲୀପ ଧଳସାମନ୍ତ, ଲକ୍ଷ୍ମୀଧର ନାୟକ, ସୁରେନ୍ଦ୍ର ମହାନ୍ତି, ନୃସିଂହ ନାରାୟଣ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ବିଶ୍ୱଜିତ ମାଝି, ଅରୁ ଦାସ, କିଶୋର ତନ୍ତୀ, ବିନୟ ବେଉରିଆ, ପ୍ରଫୁଲ୍ଲ ପଢିହାରୀ, ଅଲେଖ ସାହାଣୀ, ଶିବନାଥ ଯାଦବ, ମେଜର ସିଂ, କବି ପ୍ରଧାନ, ହିତେଶ ମଲ୍ଲିକ, ଶୁଭେନ୍ଦୁ ମହାନ୍ତି, ହୀରା ସିଂହ, ହୃଦୟାନନ୍ଦ ଯାଦବ, ଅରିନ୍ଦମ ଦତ୍ତ, ଦିବାକର ମହାରଣା, ରାଜୀବ କରଣ, ମୀନକେତନ ରାଉତଙ୍କ ନେତୃତ୍ୱରେ ଶତାଧିକ ପରିବହନ ଶ୍ରମିକ ଏହି ଆନ୍ଦୋଳନରେ ସାମିଲ୍ ଥିଲେ ।

କୋଇଡା, କାଲ୍ଟା ଓ ବଣେଇ ଠାରେ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ପ୍ରମୋଦ ସାମଲ, ପ୍ରଭାତ ପଣ୍ଡା, କୃଷ୍ଣ ବାରିକଙ୍କ ସମେତ ଶତାଧିକ ପରିବହନ ଶ୍ରମିକ ଓ କର୍ମଚାରୀ ପିକେଟିଂ କରି ଆନ୍ଦୋଳନରେ ସାମିଲ୍ ହୋଇଥିବା ବେଳେ ସର୍ବଭାରତୀୟ ଧର୍ମଘଟ ସୁନ୍ଦରଗଡ ଜିଲାରେ ସମ୍ପୂର୍ଣ୍ଣ ସଫଳ ହୋଇଥିବାରୁ ଏହାକୁ ସମର୍ଥନ କରିଥିବାରୁ ଜନସାଧାରଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି କୃତଜ୍ଞତା ପ୍ରକାଶ କରିଛନ୍ତି ।

By amfnews

Related Post