Sat. Nov 2nd, 2024
219 Views

“ନାମ ବ୍ରହ୍ମକୁ ତୁ ଭାବରେ କୁମର ଏ ଦୁଃଖ ରହିବ ନାହିଁ ।
ନନ୍ଦ ନନ୍ଦନକୁ ଡାକ ବାର ବାର କରୁଣା କରିବେ ସେହି ।ା”

ରାଣୀ ମୁକ୍ତାଦେଈ ପୁତ୍ରକୁ ମରଣ ମୁହଁରୁ ରକ୍ଷାକରିବା ନିମନ୍ତେ ଶୋକାତୁରକଣ୍ଠରେ ନାନାମତେ ବୁଝାଉଥିଲେ । କିନ୍ତୁ ଗୋବିନ୍ଦଙ୍କ ଚେତନାରେ କିଛି ପ୍ରଭାବ ପଡ଼ୁନଥିବା ଦେଖି ଚିନ୍ତାଗ୍ରସ୍ତ ହୋଇପଡ଼ିଲେ । ମାତାଙ୍କର ବହୁମୂଲ୍ୟ ପରାମର୍ଶ ରାଜାଗୋବିନ୍ଦଙ୍କୁ ପ୍ରଗଳ୍‌ଭ ମନେହେଉଥିଲା । ମାୟାମୋହର ବିଳାସମୟ ରାଜ୍ୟରେ ସ୍ୱଚ୍ଛନ୍ଦରେ ବିଚରଣ କରୁଥିବା ଯୁବରାଜଙ୍କୁ ମାତାଙ୍କ ଉପଦେଶ ହାସ୍ୟାସ୍ପଦ ମନେହେଲା । ଜନ୍ମଦାତ୍ରୀମାତାଙ୍କର ଏହା କପଟ ଆଚରଣ ଭାବି ରାଜାଗୋବିନ୍ଦ କ୍ରୋଧ ପ୍ରକାଶ କରି କହିଲେ-ମାତା, ତୁମେ ଏସବୁ କ’ଣ କହୁଛ? ତୁମେ ଯାହା କହୁଛ ତାହା ଜଣେ ବିମାତାର ଆଚରଣ । ତୁମେ ମୋର ଜନ୍ମିତ ମାତା ହୋଇଥିଲେ ଏପରି ଚଣ୍ଡାଳବୁଦ୍ଧି ଦେଉନଥାନ୍ତ । ଏତେ ବଡ଼ରାଜ୍ୟ, ରାଜପଦ, ଅନେଶତ ସୁନ୍ଦରୀରାଣୀ ଥାଉଥାଉ ଭୋଗବିଳାସ ତ୍ୟାଗକରି ଯୁବରାଜ ଯୋଗୀହେବା କଥା ଶୁଣାଇପାରୁଛ କିପରି? ଯଦି ଏକମାତ୍ର ପୁତ୍ରପ୍ରତି ଏପରି କଳ୍ପନା ଥିଲା, ତେବେ ଅଜ୍ଞାନ ବାଳୁତକାଳରେ ଯୋଗୀ କରାଇଲ ନାହିଁ କାହିଁକି? ଯୁବାବୟସରେ ରାଜପୁତ୍ର ଅନେଶତ ସୁନ୍ଦରୀପତ୍ନୀଙ୍କୁ ତ୍ୟାଗକରି ଚାଲିଯିବା ପାଇଁ କହିପାରୁଛ କିପରି? ସେମାନଙ୍କର ସ୍ୱାମୀହରା ଶୋକବଦନ ଦେଖି ତୁମେ ସହ୍ୟ କରିପାରିବ ତ? ରାଜପୁତ୍ର ଭିକ୍ଷାଥାଳ ଧରି ଜନପଦରେ ବୁଲିବ,ଏହା କି ପ୍ରକାର ନିଷ୍ପତ୍ତି ମୋତେ ବୁଝାଇଦିଅ! ଅପୁତ୍ରିକ ଦୋଷ କହି ମୋତେ ଯେଉଁ ଦଣ୍ଡଦେବା ପାଇଁ ବିଚାର କରିଛ ତାହା କେବେ ସମ୍ଭବ ହେବ ନାହିଁ ।
ଯୋଗୀ ହେବା ପାଇଁ ପୁତ୍ରର ଅନିଚ୍ଛାଭାବ ଦେଖି ମୁକ୍ତାଦେଈଙ୍କର ଛାତି କୋଡ଼ିହେବାକୁ ଲାଗିଲା । ଦେହରୁ ପ୍ରାଣଛାଡ଼ି ଚାଲିଯାଉଥିବା ପରି ବୋଧହେଲା । ଚକ୍ଷୁରୁ ଅଶ୍ରୁଧାର ବହିଚାଲିଲା । ସେ ଛାୟାଚିତ୍ର ପରି ଦେଖୁଥିଲେ ଏକଇର ବଳା ବିଶିକେସନ ଗୋବିନ୍ଦର ମୃତଶରୀର କୋକେଇରେ ଶ୍ମଶାନ ଅଭିମୁଖେ ଚାଲିଛି! ପ୍ରଜାମାନେ ଗହଳ ଶୋଭାଯାତ୍ରାରେ ଶବକୁ ନେଇ ଯୁଇରେ ଅଗ୍ନିସଂଯୋଗ କରୁଛନ୍ତି । କେବଳ ମିଛିମିଛିକା କାନ୍ଦରେ ରାଜଦାଣ୍ଡ କୋଳାହଳପୂର୍ଣ୍ଣ ହୋଇପଡ଼ିଛି । ଏପରି ଛାୟାଚିତ୍ର ଦେଖି ମୁକ୍ତାଦେଈ କୋହ ସମ୍ବରଣ କରିପାରିଲେ ନାହିଁ । ମୃତ୍ୟୁ ସନ୍ନିକଟକାଳରେ ମୋହଯୁକ୍ତ ଟାଣପଣିଆ ଦେଖାଉଥିବା ପୁତ୍ର ହୃଦୟର ଭାଷାକୁ ଶ୍ରବଣ କରି ମୁକ୍ତାଦେଈ ସବୁ ବୁଝିଗଲେ । ମୋହଜାଲରେ ଛନ୍ଦିହୋଇ ଦୁଃଖକୁ ସୁଖମଣୁଥିବା ମନୁଷ୍ୟ ଯାହା ଚିନ୍ତାକରନ୍ତି ଏହା ଠିକ୍ ସେହି ଚେତନାର ଭାଷା! ଏଭଳି ମନୁଷ୍ୟ ବାଳୁତପଣରେ ଆୟୁଷ ସାରି ଫେରିଯାନ୍ତି! ଜୀବର ରହସ୍ୟଭେଦ ପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ! ମୁକ୍ତାଦେଈ ପଣତକାନିରେ ଲୁହପୋଛି ଭାଳିହେଲେ । ନିର୍ଝରିଣୀ ପରି ପବିତ୍ର ମାତୃହୃଦୟର ଗଭୀରକଥା ବାଳୁତ କୁମର ବା କାହୁଁ ଜାଣିବ! ମନୁଷ୍ୟ ଜୀବନ କେବଳ ଜନ୍ମ-ମୃତ୍ୟୁ ପାଇଁ ନୁହେଁ ମୁକ୍ତିର ଆନନ୍ଦପଥରେ ଗତିକରିବା ପାଇଁ ପ୍ରେରିତ । ଏଇ ଗୂଢ଼୍ୟତତ୍ତ୍ୱ ବାଳୁତ ମସ୍ତିଷ୍କ କିପରି ବୁଝିପାରିବ! ମୁକ୍ତାଦେଈ ଗୋବିନ୍ଦଙ୍କୁ ବୋଧଦେଇ କହିଲେ-ଧନରେ, ବାପରେ! ତୁ ଯାହା କହୁଛୁ ସେସବୁ ମାୟାରାକ୍ଷସର କଥା! ମାୟା ଭଗବାନଙ୍କର ଅନ୍ୟ ଏକ କ୍ରିୟାଶୀଳ ଶକ୍ତି! ଯେଉଁ ମନୁଷ୍ୟ ଜଗତକଲ୍ୟାଣରେ ବ୍ରତୀ ହୋଇପାରନ୍ତି ନାହିଁ ସେମାନେ ପ୍ରକୃତିର କ୍ରିୟାଧରି ଜନ୍ମ-ମରଣଚକ୍ରରେ ଘୁରିବୁଲୁଥାନ୍ତି! କାଳଯମ ତୋତେ ବାନ୍ଧିନେବା ପାଇଁ ଏବେ ସମୟ ଆସିଛି । ଯମ ତୋତେ ପ୍ରତୀକ୍ଷା କରିଛନ୍ତି! ଯେତେବେଳେ ତୋର ଏଇ ଅମାନିଆ କଥାକୁହା କୋମଳପିଣ୍ଡରୁ ପ୍ରାଣ କାଢ଼ି ନେଇଯିବେ ସେତେବେଳେ ପୁତ୍ର ତୋ ସଙ୍ଗରେ କେହି ଯିବେ ନାହିଁ । ଯେଉଁମାନଙ୍କୁ ଛାଡ଼ି ଯୋଗୀହେବା ନିମନ୍ତେ ଅନିଚ୍ଛା ପ୍ରକାଶ କରୁଛୁ ସେବେଳରେ ସେମାନଙ୍କୁ ଛାଡ଼ି ଚାଲିଯିବା ପାଇଁ ନିୟତି ତୋତେ ବାଧ୍ୟ କରିବ । ଆଉ ତୋ ଅଜାଣତରେ ସବୁ ଘଟିଯାଇଥିବ! ଯେଉଁମାନଙ୍କୁ ଏବେ ପ୍ରିୟ ବୋଲି ଭାବୁଛୁ, ଆପଣାର ସ୍ୱୀକାର କରୁଛୁ, ସେମାନେ କେହି ତୋ ସଙ୍ଗରେ ନଥିବେ! କେବଳ ଧର୍ମବଳ ସାଥୀଭାବ, ସାକ୍ଷୀଭାବରେ ତୋ ପାଖରେ ଥିବେ! ଯେତିକି ଦାନ ଧର୍ମ, ତପ ଆଚରଣ କରିଥିବୁ ସେତିକି ଫଳ ପାଇବୁ! ପୁତ୍ର ଗୋବିନ୍ଦାଇ, ସତ୍ୟକୁ ଉଲଘଂନ କର ନାହିଁରେ ବାପ । ଅତୀତ ଜନ୍ମର ପାପକ୍ରିୟାରୁ ତୋର ଅକାଳମୃତ୍ୟୁ ଘଟିବ,ଏହି ସତ୍ୟକୁ ସ୍ୱୀକାର କର! ତୋତେ ଜନ୍ମମୃତ୍ୟୁର ଭୌତିକଧାରାରୁ ଉର୍ଦ୍ଧ୍ୱକୁ ଉଠାଇ ନେବାର ପ୍ରୟାସକୁ ହାସ୍ୟାସ୍ପଦ ମଣନାହିଁ । ତୋର ଯୋଗୀହେବା ପଛରେ ଆମ ଉଭୟଙ୍କର ଚିରମଙ୍ଗଳ ନିହିତ! ତୁ ଭଗବତ୍‌ଦର୍ଶନ କରି ଅମର ହେବୁ, ମୁଁ ଅପୁତ୍ରିକ ଦୋଷରୁ ମୁକ୍ତହୋଇ ମହାଆନନ୍ଦରେ ଜୀବଥିବାଯାଏଁ ତୋର ମୁଖ ଦର୍ଶନ କରୁଥିବି!
ମୁକ୍ତାଦେଈ ପୁଣି ବୁଝାଇଲେ-ହେ’ପୁତ୍ର, ଅମାନିଆ ଢଙ୍ଗଛାଡ଼ି ମୋର ବୋଲକର । ମାଆର ପଣତକାନିରେ ବାନ୍ଧି ହୋଇଯାଅ । ମାୟାର ପ୍ରହେଳିକା ଭିତରୁ ବାହାରି ଆସିଲେ ନନ୍ଦନନ୍ଦନ ଶ୍ରୀକୃଷ୍ଣ ମନେପଡ଼ନ୍ତି! କୃଷ୍ଣନାମ ବ୍ରହ୍ମକୁ ଉଚ୍ଚାରଣ କଲେ ଯଶୋଦାପୁତ୍ର ମୋକ୍ଷପଥରେ ବାହିନିଅନ୍ତି! ସେଇ ରାମକୃଷ୍ଣଙ୍କୁ ଯେତିକି ଡାକିବୁ ସେତିକି ଭଗବତ୍‌ଦର୍ଶନ ପଥରେ ଅଗ୍ରସର ହେବୁ । ତପସ୍ୟାପଥରେ ପାଦଥାପିଲେ ଶ୍ରୀକୃଷ୍ଣଙ୍କର ତତ୍‌କ୍ଷଣାତ କରୁଣା ପ୍ରାପ୍ତହେବା ସମ୍ଭବ ହେବ! ପ୍ରଭୁଙ୍କ କୃପା ମିଳିଗଲେ ସବୁ ଅସମ୍ଭବ ସମ୍ଭବ ହୋଇଯାଏ! ତାପରେ ଦେଖିବୁ ପୁତ୍ର ଜନ୍ମମୃତ୍ୟୁର ନିୟନ୍ତ୍ରକ ଯମଦେବତା ତୋର କିଛି ବିଗାଡ଼ି ପାରିବେ ନାହିଁ । ଯୁଗ ଯୁଗଧରି ତୋ ଦେହରେ ମହାକାଳଙ୍କ ଦନ୍ତଚିହ୍ନ ଲାଗିବ ନାହିଁ! ଅଜର ଅମର ହୋଇ ଚାରିଯୁଗରେ ଈଶ୍ୱରଙ୍କ କର୍ମ କରୁଥିବୁ । ହେ’ପୁତ୍ର, କେତେ ଦୁଃଖ ସହି ଶିବପାର୍ବତୀଙ୍କ କଲ୍ୟାଣରୁ ତୋତେ ପାଇଥିଲି! ଜଗତରେ ଫଳବତୀନାରୀ ବୋଲାଇବି ବୋଲି କେତେ କଣ୍ଟକିତ ପଥରେ ବାଟଚାଲିଛି ସେଇ ଯନ୍ତ୍ରଣାର କଥା ଏବେ କହିବି ମନଦେଇ ଶୁଣ ବାପ ।

ହରି ଓଁ ତତ୍‌ସତ୍‌!

By amfnews

Related Post