“ପକାଇ ଆସିବେ ମଶାଣି ଭୂଇଁରେ ଦୁଆରେ ଦେବେ ଗୋବର ।
ମଲା ଗଲା ବୋଲି ଦି’ଘଡ଼ି କାନ୍ଦିବେ ଜଣେ ନ ଯିବେ ସଙ୍ଗର ।ା”
ରାଣୀ ମୁକ୍ତାଦେଈ ଶୋକଭରାକଣ୍ଠରେ ପୁତ୍ରକୁ ବୁଝାଇଲେ-ହେ’ପୁତ୍ର ଗୋବିନ୍ଦାଇ,ବଣ ପୋଡ଼ିଗଲେ ସମସ୍ତେ ଜାଣନ୍ତି । ମାତା ଗର୍ଭଧାରୀର ହୃଦୟ ଜ୍ୱଳନକୁ କେହି ଦେଖିପାରନ୍ତି ନାହିଁ । ଜନ୍ମଦାତ୍ରୀ ମାତା ଶେଷନିଃଶ୍ୱାସ ପର୍ଯ୍ୟନ୍ତ ସନ୍ତାନଗଣଙ୍କ ଚିନ୍ତାକରୁଥାଏ । ପୁତ୍ରକୁ ଜନ୍ମଦେବା ଓ ଚିରଞ୍ଜିବୀ କରାଇବା ମାତୃଶକ୍ତିର ଲକ୍ଷଣ! ସନ୍ତାନଙ୍କୁ ଲାଳନ ପାଳନ, ରକ୍ଷଣା ବେକ୍ଷଣ କରିବା ମାଆର ଧର୍ମ । ମୋ ଧର୍ମ ମୋତେ ରକ୍ଷାକରିବା ପାଇଁ ସୁଯୋଗ ଦେ’ରେ ପୁତ୍ର! ମା’ର କର୍ତ୍ତ୍ୟବବୋଧତା ଉପରେ ବାଧାଦିଅ ନାହିଁ । ମାଆର ଦୁଇଟି ରୂପକୁ ଚିହି୍ନ ବାପ! ଗୋଟିଏ ଯୋଗମାୟାରୂପ ଅନ୍ୟଟି ମହାମାୟା! ଯୋଗମାୟାରୂପରେ ତୋର ଜନ୍ମ, ଲାଳନ ପାଳନ କଲି । ଏବେ ତୋର ଅକାଳମୃତ୍ୟୁ ସନ୍ନିକଟ ଜାଣି ମହାମାୟାରୂପରେ ଭଗବତ୍ଦର୍ଶନ କରାଇବା ପାଇଁ ଇଚ୍ଛାକରୁଛି । ଚିରଞ୍ଜିବୀର ପଥପ୍ରଦର୍ଶନ କରାଇବା ନିମନ୍ତେ ପ୍ରୟାସ କରୁଛି! ଶାସ୍ତ୍ରମତରେ ମା’ର ଦୋଷତୃଟିରୁ ଯୁବକ ପୁତ୍ରର ମୃତ୍ୟୁ ହୋଇଥାଏ! ଜନନୀର ପୁଣ୍ୟତୋୟା କୋଳରୁ ଯୁବାପୁତ୍ରକୁ ଯମରାଜ କେବେ ବିଚ୍ଛିନ୍ନ କରିପାରନ୍ତି ନାହିଁ । ମୁଁ ଏହି ସତ୍ୟକୁ ନାରୀମାନସରେ ପ୍ରତିପାଦନ କରିବା ପାଇଁ ଚାହୁଛି । ମୋର ଦୃଢ଼ତା ଉପରେ ଗୁରୁତ୍ୱ ଦେ’ରେ ଧନ! ତୁ ନିଶ୍ଚୟ ବିଜୟ ଲାଭକରିବୁ! ତୁ ଅମରତ୍ୱ ଲାଭକଲେ ଚାରିଯୁଗର ଜନଜଗତ ଜାଣିବେ ତପଶକ୍ତି କେତେ ବଳୀୟାନ!
ବିରସ ବଦନରେ ମୁକ୍ତାଦେଈ ପୁଣି କହିଲେ-ହେ’ପୁତ୍ର, ଦୈବୀକୃପାରୁ ନାରୀ ପୁତ୍ରବତୀ ହୋଇଥାଏ । ଅଭିଶାପରୁ ଅପୁତ୍ରିକ ହୋଇଥାଏ! ବନ୍ଧ୍ୟାନାରୀ ପ୍ରତି ସମାଜରେ ପ୍ରଚଳିତପ୍ରଥା ଓ ଟୀକାଟିପ୍ପଣି ବଡ଼ ଦୁଃଖଦାୟକ । ଅନ୍ୟର ଘୃଣାଚକ୍ଷୁରେ ଅପୁତ୍ରିକ ନାରୀର ହୃଦୟ ବିଦୀର୍ଣ୍ଣ ହୋଇପଡ଼େ । ଲୋକଙ୍କ ମୁଖରେ ବାଡ଼ବତା ନଥାଏ । ଅପୁତ୍ରିକ ନାରୀ ଯେଉଁଠି ପ୍ରବେଶ କରନ୍ତି ସେଇସ୍ଥାନ ମାରାହୋଇଯାଏ ବୋଲି କଥିତ ଭାଷ୍ୟ ଦେହରେ କଣ୍ଟାଫୋଡ଼ିବା ଭଳି କଷ୍ଟଦେଇଥାଏ! ଅପୁତ୍ରିକ ନାରୀ ଭଗବାନଙ୍କର କର୍ମମୟ ଜଗତରେ ନିଷ୍ଫଳା, ଅଭାଗିନୀ ଜୀବନ ବିତାଇଥାନ୍ତି । ଅପୁତ୍ରିକ ନାରୀ ଦେଉଳକୁ ଗଲେ ଦିଅଁ ଲୁଚିପଡ଼ନ୍ତି! ପିତୃପୁରୁଷଙ୍କୁ ପିଣ୍ଡଦାନ ଦେଲେ ପିତୃଲୋକ ଗ୍ରହଣ କରନ୍ତି ନାହିଁ । ଅପୁତ୍ରିକ ନାରୀଙ୍କ ପ୍ରତି ଥିବା ସମାଜର ନାନା ପ୍ରକାର ଘୃଣ୍ୟପ୍ରଥାକୁ ହୃଦୟଙ୍ଗମ କଲେ ଛାତି ଫାଟିପଡ଼ୁଛି । ମାତ୍ର ମାତୃସ୍ୱରୂପିଣୀ ନାରୀ ଇଚ୍ଛାଶକ୍ତିବଳରେ ପୁତ୍ର ଜାତ କରିପାରିବେ । ପୁତ୍ରକୁ ମୃତ୍ୟୁଞ୍ଜୟୀ କରି ଦେଇପାରିବେ ଏଥିରେ ଦ୍ୱିମତ ନାହିଁ । ମୁଁ ଏବେ ଇଚ୍ଛାମୟୀ ମହାମାୟାରୂପରେ ତୋତେ ମୃତ୍ୟୁଞ୍ଜୟୀ କରିବା ପାଇଁ ଚାହୁଛିରେ ପୁତ୍ର ।
ହେ’ପୁତ୍ର ଗୋବିନ୍ଦାଇ, ଶରୀର ମରଣଶୀଳ! ଶରୀର ସହିତ ଆତ୍ମାର ମିଥ୍ୟା ସଂପର୍କ ଦିନେ ଭାଙ୍ଗିଯାଏ! ଆତ୍ମା କେତେବେଳେ ଦେହଛାଡ଼ି ପଳାଇବ କେହି ଜାଣନ୍ତି ନାହିଁ! ଆତ୍ମା ଚାଲିଗଲେ ମୃତଶରୀର ଘୃଣ୍ୟ, ଅଶୁଦ୍ଧ ଦୁର୍ଗନ୍ଧମୟ ହୋଇପଡ଼େ । ରକ୍ତସଂପର୍କର ଆତ୍ମୀୟଙ୍କ ସଙ୍ଗରୁ ବିଚ୍ଛେଦ ଘଟେ । ସେଇ ଆତ୍ମୀୟମାନେ ମରଶରୀରକୁ ତତ୍କ୍ଷଣାତ ଗାଁ ମୁଣ୍ଡ ମଶାଣିରେ ଦାହ କରିଦିଅନ୍ତି । ଦୁଆରେ ଗୋବରପାଣି ପକାଇ ଘର ବାହାର ଶୁଦ୍ଧ କରନ୍ତି । ସ୍ୱଜନମାନେ ଦିନେ, ଦି’ଦିନ କାନ୍ଦବୋବା କରନ୍ତି । କେହି ଆତ୍ମୀୟ ଦଶ ବାରଦିନ କାନ୍ଦନ୍ତି! ମାତ୍ର ମାତାଗର୍ଭଧାରୀ ଆଖି ବୁଜିବା ପର୍ଯ୍ୟନ୍ତ କାନ୍ଦୁଥାଏ! ତୋର ଅକାଳମରଣ ଦେଖି ମୁଁ ସହ୍ୟ କରିପାରିବି ନାହିଁରେ ପୁତ୍ର! ତୋତେ ଅଗ୍ନିରେ ଦାହ କରିଦେଲେ ତୋର ଏଇ ପଦ୍ମପୁଷ୍ପ ପରି ସୁକୋମଳ ଶରୀର ଭସ୍ମ ହୋଇଯିବରେ ଧନ! ମଶାଣିର ଦୃଶ୍ୟ ଦେଖିଲେ ମୋର ପିଣ୍ଡରୁ ପ୍ରାଣଛାଡ଼ି ଚାଲିଯିବ! ଏତେ ବଡ଼ରାଜ୍ୟ, ରାଜସୁଖ, ସୁବର୍ଣ୍ଣର ମହଲ, ସବୁକିଛି ଛାରଖାର ହୋଇଯିବ ।
ହେ’ପୁତ୍ର, ନିର୍ଦ୍ଦୟ ଯମ ଯେତେବେଳେ ତୋର ଆତ୍ମାକୁ ବାନ୍ଧି ନେଇଯିବେ ସେତେବେଳେ ତୋତେ କେହି ବି ରକ୍ଷାକରି ପାରିବେ ନାହିଁ । କେହି ସାଙ୍ଗରେ ଯିବା ପାଇଁ ରାଜି ହେବେ ନାହିଁ । ତୋର ଏଇ କଥାକୁହା ଆତ୍ମା ଯମଦଣ୍ଡର ସମ୍ମୁଖୀନ୍ନ ହେବ । ଜୀବନକାଳର କର୍ମାନୁସାରେ ଚିତ୍ରଗୁପ୍ତ ପାଞ୍ଜିରେ ଯାହା ଲେଖିଥିବେ ତାହା ଅନ୍ୟଘଟରେ ଭୁଞ୍ଜିବାକୁ ପଡ଼ିବ । ପୁଣ୍ୟଥିଲେ ଉଚ୍ଚସ୍ଥାନକୁ ପଠାଇବେ । ପାପଥିଲେ ନୀଚ୍ଚଯୋନିରେ ଜାତକରାଇ ନର୍କଭୋଗ ଭୁଞ୍ଜାଇବେ! ଯମାଳୟରେ ତୋତେ ଆହା ସାହା କରିବା ପାଇଁ ପାଖରେ କେହି ନଥିବେ । ସେଠାରେ କେବଳ ଧର୍ମବଳ ସାହା । ଏକା ଏକା ଆତ୍ମଗତିରେ କେଉଁଠି ପହଞ୍ଚିବୁ ତାହା ଧର୍ମଦେବତାଙ୍କ ବ୍ୟତୀତ ଅନ୍ୟକେହି ଜାଣନ୍ତି ନାହିଁ! ରାଜା, ପ୍ରଜା, ବଳବାନ, ଅଂହକାରୀ, ଦୀନହୀନ ସଭିଙ୍କର ଦର୍ପଚୂର୍ଣ୍ଣ ହୋଇଯାଏ ଯମପୁରରେ! ସେଇଥି ପାଇଁରେ ପୁତ୍ର କହୁଛି ମୋର ବୋଲକର । ମାୟାସଂସାର ତ୍ୟାଗକରି ଶ୍ରୀହରିଙ୍କ ନାମ ଭଜ । ରାମନାମ ଜପକରି ଅଜର ଅମର ହୋଇଉଠ । ତହିଁପରେ କେହି ଦେବତା, ଅସୁର ତୋ ଅଙ୍ଗରେ ହାତମାରି ପାରିବେ ନାହିଁ । ମୃତ୍ୟୁକୁ ଜୟକରି ଉର୍ଦ୍ଧ୍ୱଲୋକକୁ ଚାଲିଯାଇଥିବୁ ।
ହରି ଓଁ ତତ୍ସତ୍ ।