ପ୍ରାକ୍ କଥନ
ଓଡ଼ିଶାରେ ଓଡ଼ିଆ ଭାଷାରେ ଅନେକ ପତ୍ରପତ୍ରିକା, ପୁରାଣଗ୍ରନ୍ଥମାନ ପ୍ରକାଶ ପାଇଛି । ସେ ଗୁଡ଼ିକ ମଧ୍ୟରୁ ସ୍ୱଳ୍ପପୃଷ୍ଠା ବିଶିଷ୍ଟ ଏକ ଚଟିବହି ‘ଟୀକା ଗୋବିନ୍ଦଚନ୍ଦ୍ର’ ଅନ୍ୟତମ ପୁସ୍ତକ । ସତ୍ୟ ଓ ବ୍ରହ୍ମଜ୍ଞାନ ଉପରେ ଆଧାରିତ ଏହି ପୁସ୍ତକରେ ଜୀବାତ୍ମାକୁ ଯେଉଁ ମୁକ୍ତିର ପଥପ୍ରଦର୍ଶନ କରାଯାଇଛି ଶ୍ରୀମଦ୍ ଭଗବଦ୍ଗୀତାରେ ସେଇଭଳି ମୋକ୍ଷପଥ କଥା କହିଛନ୍ତି ଭଗବାନଶ୍ରୀକୃଷ୍ଣ । ଏହାର କାହାଣୀ ସମ୍ଭବତଃ କଳିଯୁଗର ପ୍ରାରମ୍ଭରେ ଘଟିଥିବା ପରି ଅନୁମାନ କରାଯାଏ । ଜଣେ କୋଡ଼ିଏ ବର୍ଷର ଜଡ଼ସଂସାରୀ ଯୁବରାଜ ଅନେଶତ ଯୁବାରାଣୀ ସହିତେ ରାଜ୍ୟ ସମ୍ପଦ, ସିଂହାସନ ତ୍ୟାଗକରି କିପରି ମୋକ୍ଷପ୍ରାପ୍ତ ହେଲେ ସେଇ ସତ୍ୟଘଟଣାର ବାସ୍ତବଚିତ୍ର ଏଥିରେ ସନ୍ନିବେଶିତ ହୋଇଛି । ତତ୍କାଳୀନ ବଙ୍ଗଦେଶର ରାଜାମାଣିକଚନ୍ଦ୍ର ଓ ରାଣୀମୁକ୍ତା ଦେଈ ଅପୁତ୍ରିକ ଥିଲେ । ପୁତ୍ର ପାଇବା ଆଶାରେ ମୁକ୍ତାଦେଈ ବହୁ କଷ୍ଟପଥ ଅତିକ୍ରମ କରିବା ପରେ ଶିବପାର୍ବତୀଙ୍କ କରୁଣାରୁ ପୁତ୍ର ପ୍ରାପ୍ତ ହେଲେ । ମାତ୍ର ସେଇ ପୁତ୍ରର ଭବିଷ୍ୟତ ଗଣନାକାଳରେ ଜ୍ୟୋତିଷ କହିଲେ ଏକୋଇଶ ବର୍ଷ ବୟସରେ ମୃତ୍ୟୁଯୋଗ ରହିଛି!
ପୁତ୍ରର ଅକାଳମୃତ୍ୟୁ ଖବର ଶ୍ରବଣ କରି ମୁକ୍ତାଦେଈ ଧୈର୍ଯ୍ୟ ଧରିପାରିଲେ ନାହିଁ । ବହୁକଷ୍ଟ ସହ୍ୟକରି ଯେଉଁ ପୁତ୍ରକୁ ପାଇଥିଲେ ସେଇ ପୁତ୍ରର ଅକାଳମରଣ ଭବିଷ୍ୟବାଣୀ ମୁକ୍ତାଦେଈଙ୍କ ହୃଦୟକୁ ବିଦାରି ପକାଇଲା । ମୃତ୍ୟୁ ସମ୍ବାଦ ଗୁପ୍ତରଖି ରାଣୀମୁକ୍ତା ଦେଈ ନିୟତି ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ସଂକଳ୍ପ ନେଲେ । ପୁତ୍ରକୁ ରାଜବିଦ୍ୟା, ଯୁଦ୍ଧବିଦ୍ୟା ଶିକ୍ଷାଇ ଲାଳନପାଳନ କଲେ । ସ୍ୱାମୀଙ୍କ ଦେହାନ୍ତ ପରେ ପନ୍ଦରବର୍ଷରେ ରାଜସିଂହାସନରେ ବସାଇ ଅଠରବର୍ଷରେ ଅନେଶତ ରାଜକୁମାରୀଙ୍କ ସହିତ ବିବାହ କରାଇଦେଲେ । ପୁତ୍ର ବିବାହର ଦୁଇବର୍ଷ ପରେ କୋଡ଼ିଏବର୍ଷ ବୟସରେ ରାଣୀ ସହସା ଯୁଦ୍ଧଭୂମିରେ ଅବତୀର୍ଣ୍ଣ ହେବାପରି ଯମାଳୟର ବିଚାର ବିପକ୍ଷରେ ଲଢ଼ିବାକୁ ପ୍ରସ୍ତୁତ ହୋଇଗଲେ! ଜଣେ ସିଦ୍ଧଗୁରୁ ହାଡ଼ିପାଙ୍କୁ ନିକଟରେ ପାଇ ତାଙ୍କ ହସ୍ତରେ ଯୁବାପୁତ୍ରକୁ ସମର୍ପି ଦେଲେ!
ତହିଁପରେ ଯୁବରାଜ ଗୋବିନ୍ଦଚନ୍ଦ୍ର ଗୁରୁଙ୍କ ଶରଣରେ ରହି ତପସ୍ୟାବଳରେ ଗୋଟିଏ ଜନ୍ମରେ କିପରି ଯମାଳୟର ଉର୍ଦ୍ଧ୍ୱକୁ ଚାଲିଗଲେ ସେଇ ବିସ୍ମୟକର ତଥ୍ୟ ଟୀକାଗୋବିନ୍ଦଚନ୍ଦ୍ର ପୁସ୍ତକରେ ପ୍ରକାଶ ପାଇଛି! ଜଣେ ମାୟାମୋହ ଜଡ଼ିତ ଯୁବକ ସାଧନାବଳରେ କିପରି ମହାବିଷ୍ଣୁଙ୍କ କରୁଣା ପ୍ରାପ୍ତହୋଇ ମୋକ୍ଷପଥର ଯାତ୍ରୀ ହୋଇପାରିଲେ ସେଇ ଗଭୀର ଆଧ୍ୟାତ୍ମିକ ବିଷୟବସ୍ତୁକୁ ଜନକଲ୍ୟାଣ ଉଦ୍ଦେଶ୍ୟରେ ଏଠାରେ ବ୍ୟାଖ୍ୟାନ କରାଯାଇଛି । ଯେପରି ଛୋଟିଆ ବଟଫଳରୁ ବିରାଟଦ୍ରୁମ ସମ୍ଭବ ହୋଇଥାଏ ସେହିପରି ଏହି ଛୋଟପତ୍ରିକାରେ ରହିଛି ରହସ୍ୟମୟ ଦୀକ୍ଷା ଯାହା ପଠନ ଶ୍ରବଣ କଲେ ଏକଇ ଜନ୍ମରେ ଆତ୍ମିକ ଅଭିବୃଦ୍ଧି ହେବା ସମ୍ଭବ! ସାଂପ୍ରତିକ ସାମାଜିକସ୍ଥିତିରେ ଏହି ପୁସ୍ତକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଓଡ଼ିଶାର ଘରେଘରେ ପରିଚିତ ହୋଇପାରିଲେ କଳିପ୍ରଭାବିତ ଭ୍ରମିତମନକୁ ଭଗବାନଙ୍କ ପୟରରେ ଏକାଗ୍ର କରିବା ସହଜ ହେବ! ସୁଧୀଜନେ ଗୃହରେ ବାସକରି ଟୀକାଗୋବିନ୍ଦଚନ୍ଦ୍ରର ଦିବ୍ୟବାଣୀ ପଠନ କଲେ ଈଶ୍ୱରୀୟ ପଥ ସ୍ପଷ୍ଟ ଦୃଶ୍ୟମାନ ହେବ ଏଥିରେ ସନ୍ଦେହ ନାହିଁ । ଜୟ ଶ୍ରୀକୃଷ୍ଣ!
ପ୍ରବକ୍ତା-ଯୋଗୀ ଗଣେଶ୍ୱର
ପରିଚ୍ଛେଦ-୧
ଶ୍ରୀଜଗନ୍ନାଥ ସଂସ୍କୃତି ତଥା ସନାତନଧର୍ମରେ ଯୁବରାଜ ଗୋବିନ୍ଦଚନ୍ଦ୍ରଙ୍କ ଆଧ୍ୟାତ୍ମିକ ରୂପାନ୍ତର ପ୍ରକ୍ରିୟା ମହିମାମୟ ସତ୍ୟକାହାଣୀ ଉପରେ ଆଧାରିତ । ଅମୃତମୟ ମାନବୀୟ ଜୀବନକୁ ହୃଦୟଙ୍ଗମ କରିବା ନିମନ୍ତେ ଏକ ବିରଳ ଉଦାହରଣ । ଏହି କାହାଣୀ ଭକ୍ତିଜ୍ଞାନର ଭଣ୍ଡାର । ମୋକ୍ଷପ୍ରାପ୍ତିର ପଥପ୍ରଦର୍ଶକ! ଭିକ୍ଷାକାରୀ ଯୋଗୀର କେନ୍ଦରାର ତାଳେତାଳେ କାରୁଣ୍ୟଭରା ରାହାଦେଇ ସିଦ୍ଧପୁରୁଷ ଗୋବିନ୍ଦଚନ୍ଦ୍ରଙ୍କ ସାଧନାର ଗୀତିକା “ଭଜୁ କିନା ରାମ ନାମରେ କୁମର ବୋଲୁ କିନା ରାମ ନାମ, ଭଜି ନ ପାରିଲେ କୁଳଚନ୍ଦ୍ରମାରେ ବାନ୍ଧିନେବ କାଳଯମ”ପଦ୍ୟଟି ଶୁଣିବା ମାତ୍ରେ ଗ୍ରାମ୍ୟବଧୂଟି ଘରସଂସାର ଭିତରେ ଥାଇ ଚିହିଁକିଉଠେ! ଅଙ୍ଗପ୍ରତ୍ୟଙ୍ଗରେ ଭକ୍ତିର ଶିହରଣ ଖେଳିଯାଏ । ମାୟାମୋହଯୁକ୍ତ ଜଡ଼ବାଦର ଦୁନିଆରୁ ଚେତନା ଉର୍ଦ୍ଧ୍ୱକୁ ଚାଲିଯାଏ । ଦୁଃଖ ଓ ବିସ୍ମୟରେ ଘରପାଇଟି ଛାଡ଼ି ଯୋଗୀଙ୍କୁ ଭିକ୍ଷା ତଣ୍ଡୁଳଦେବା ପାଇଁ ଚାଲିଆସନ୍ତି ଦାଣ୍ଡବେରଣ୍ଡା ପର୍ଯ୍ୟନ୍ତ! ରାଜାଗୋବିନ୍ଦଚନ୍ଦ୍ରଙ୍କ ସୁଖଦୁଃଖର ମାୟାସଂସାର ପାରହେବା ପଛରେ ଯେଉଁ କୃଚ୍ଛ୍ରସାଧନାର ପଥ ରହିଛି, ତାହା ସ୍ମରଣ କରି ଅପାର ଆନନ୍ଦ ଲାଭକରନ୍ତି । କଷ୍ଟପଦ ସାଧନାର କାହାଣୀ ଶୁଣି ଆବା କାବା ହୋଇପଡ଼ୁଥିବା ଗ୍ରାମ୍ୟବଧୂଟି ସଭକ୍ତି ଚିତ୍ତରେ ଭିକ୍ଷାଦାନ କରି ଜଗତନାଥଙ୍କୁ ସ୍ମରଣ କରିଥାନ୍ତି!
ଭଗବତ୍ପ୍ରାପ୍ତି ନିମନ୍ତେ ଦୁଃଖମୟ ଯୋଗୀର ଜୀବନରେ ଯେଉଁ ସୁଖସ୍ୱାଚ୍ଛନ୍ଦ୍ୟ ଭରିରହିଛି ତାହା ଯୁବରାଜ ଗୋବିନ୍ଦଚନ୍ଦ୍ରଙ୍କ ଜୀବନରୁ ସ୍ପଷ୍ଟ ପ୍ରମାଣ ମିଳେ । ଶ୍ରୀମଦ୍ ଭଗବଦ୍ଗୀତାରେ ଭଗବାନଶ୍ରୀକୃଷ୍ଣ ଗୁରୁରୂପରେ ଅର୍ଜୁନଙ୍କୁ ଯେଉଁ ଦୀକ୍ଷା ପ୍ରଦାନ କରିଥିଲେ, ତାହା ଭଗବାନଙ୍କର ଜାଗତିକ ଲୀଳାଖେଳାର ସାତ୍ତ୍ୱିକ ପରିପୁଷ୍ଟି ନିମନ୍ତେ ଉଦ୍ଦିଷ୍ଟ । ମାତ୍ର ଗୋବିନ୍ଦଚନ୍ଦ୍ରଙ୍କୁ ଗୁରୁ ଯେଉଁ ଦୀକ୍ଷା ପ୍ରଦାନ କରିଛନ୍ତି, ତାହା ମାନବ ଚେତନାର ସର୍ବୋତ୍ତମ ଉପଲବ୍ଧି, ଯାହା ପାଇବା ପରେ ଆଉ କିଛି ପାଇବାର ଆଶା ଆକାଂକ୍ଷା ରହେନାହିଁ! ଗୁରୁଙ୍କ ଆଚରଣ, ଶିଷ୍ୟର ସେବାଭାବ ଓ ତତ୍ଜନିତ ଫଳର ଅପୂର୍ବ ମହନୀୟତା ପ୍ରକାଶ ପାଇଛି ‘ଟୀକା ଗୋବିନ୍ଦଚନ୍ଦ୍ର’ ଭଳି ସ୍ୱଳ୍ପପୃଷ୍ଠା ବିଶିଷ୍ଟ ଗ୍ରନ୍ଥରେ! ଯୋଗେନ୍ଦ୍ର ନାମକ ବିପ୍ର ଭିକ୍ଷାବୃତ୍ତି ଉଦ୍ଦେଶ୍ୟରେ ଅତୀତର ଏହି ସତ୍ୟକାହାଣୀକୁ ଆବୃତ୍ତି କରି କଳିଯୁଗର ନରନାରୀଙ୍କୁ ଯେଉଁ ଆତ୍ମସାକ୍ଷାତକାର କରାଉଥିଲେ, ବାସ୍ତବରେ ତାହା ଅବିସ୍ମରଣୀୟ! ଗାଁ ଦାଣ୍ଡରେ କେନ୍ଦରାର ଗୁଣୁ ଗୁଣୁ ସଙ୍ଗୀତର ମୂର୍ଚ୍ଛନାରେ ଉପଯୁକ୍ତ ଗୁରୁ ଗ୍ରହଣ କରିବା ନିମନ୍ତେ ଦୀକ୍ଷା ଦେଇଛନ୍ତି ବିପ୍ର ଯୋଗେନ୍ଦ୍ର! ମନୁଷ୍ୟ ଜୀବନର ମୋକ୍ଷପଥ ଦର୍ଶାଇ ଦିବ୍ୟସନ୍ଦେଶରେ ଚେତାଇ ଦେଇଛନ୍ତି ଯେ ମାତୃକୃପା ଓ ଶ୍ରୀଗୁରୁଙ୍କ ଚରଣରେ ସମର୍ପିତ ଭାବରୁ ଗୋବିନ୍ଦଚନ୍ଦ୍ରଙ୍କୁ ଯେଉଁ ବିଜୟର ଟୀକା ମିଳିଲା, ତାହା ପ୍ରତ୍ୟେକ ମାନବଙ୍କ ପାଇଁ ଅନୁକରଣୀୟ ହେବା ଉଚିତ!
ପ୍ରାରବ୍ଧ କର୍ମଫଳ ଯୋଗୁଁ ଏକବିଂଶ ବର୍ଷ ବୟସ ଯୁବାକାଳରେ ମୃତ୍ୟୁ ଲଭିବା ପାଇଁ ବିଧିନିର୍ଦ୍ଦିଷ୍ଟ ଥିବାସତ୍ତ୍ୱେ ସାଧନ ପଥରେ ଗତିକରି ଗୋବିନ୍ଦ ହୋଇଯାଇଛନ୍ତି ଅମର! ଜନ୍ମ-ମୃତ୍ୟୁ ଚକ୍ରକୁ ଅତିକ୍ରମ କରି ସ୍ୱଦେହରେ ବିଷ୍ଣୁପୁରରେ ପ୍ରବେଶ କରିଛନ୍ତି! ଭକ୍ତିର ଚରମସୀମାକୁ ଛୁଇଁବାକୁ ହେଲେ ଦୁଃଖର ସାଗରକୁ ଅତିକ୍ରମ କରିବାକୁ ପଡ଼ିବ, ଏହି ସତ୍ୟ ସ୍ପଷ୍ଟ ହୋଇଛି ରାଜା ଗୋବିନ୍ଦଚନ୍ଦ୍ରଙ୍କ ଜୀବନରେ । ଗୁରୁକୃପାର ଅନନ୍ତକୋଳରେ ଆତ୍ମହରାହୋଇ ରାଜ୍ୟ, ରାଜପ୍ରାସାଦ, ଧନଦୌଲତ, ଅନେଶତ ସୁନ୍ଦରୀରମଣୀଙ୍କୁ ତ୍ୟାଗକରି ଗୁରୁମହାନତାର ଗୁଣକୁ ଜୀବନରେ ପ୍ରକାଶ କରିଛନ୍ତି! ଗୁରୁ ହିଁ ଭଗବାନ, ଭଗବାନ ହିଁ ଗୁରୁ! ଯିଏ ଯେଉଁ ଭାବରେ ତାଙ୍କୁ ଖୋଜନ୍ତି, ଭଗବାନ ସେହିମତେ ରୂପ ବଦଳାଇ ଦିଅନ୍ତି! ଭକ୍ତିପଥର ପ୍ରଥମପାହାଚ ଗୁଡ଼ିକ ବଡ଼ଦୁର୍ଗମ! ସେଇ ଦୁର୍ଗମପଥରୁ ଗୁରୁରୂପୀ ଭଗବାନ ହାତଧରି ଉଠାଇ ନିଅନ୍ତି ମହାଶୂନ୍ୟକୁ! ଏହା ପ୍ରମାଣିତ ହୋଇଛି ରାଜାଗୋବିନ୍ଦଚନ୍ଦ୍ରଙ୍କ ଜୀବନ କାଳରେ । ରାଜାହୋଇ ଚଣ୍ଡାଳର ଗୋଡ଼ଧରିବା ଭଳି ଜାଗତିକ ନ୍ୟୁନତାକୁ ଗ୍ରହଣ କରି ଲୋକଲୋଚନରେ ନିନ୍ଦିତ, ଅପମାନିତ ହୋଇଛନ୍ତି ରାଜାଗୋବିନ୍ଦ! ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ଦାଣ୍ଡରେ ବସି ଭିକ୍ଷାମାଗୁଥିବା ନିଷ୍ପେସିତ କୁଷ୍ଠାକ୍ରାନ୍ତ ଭିକାରୀମାନେ କେତେ ଭାଗ୍ୟବାନ,ଏହି ଉକ୍ତିର ସତ୍ୟତା ବୁଝିବାକୁ ହେଲେ ମହାକାଳଙ୍କ ଜନ୍ମ ଜନ୍ମାନ୍ତର କାଳଚକ୍ର ଉପରେ ଲକ୍ଷ୍ୟ ରଖି ସାଧନା କରିବାକୁ ପଡ଼ିଥାଏ! ଯାହା ଶାନ୍ତ, ସରଳ, ନିଷ୍କପଟ ଯୁବରାଜଙ୍କ ଜୀବନରେ ଘଟିଥିଲା!
ଯେପରି ଦ୍ୱାପରଯୁଗରେ ଅର୍ଜୁନ ଇଚ୍ଛା ଅନିଚ୍ଛା ପ୍ରକାଶ କରି ଶେଷରେ ଭଗବାନଙ୍କର ପରମଭକ୍ତ ହୋଇଗଲେ, ସେହିପରି ଆଗ୍ରହ ଅନାଗ୍ରହକୁ ନେଇ ପରମକାରୁଣିକ ଯୋଗେଶ୍ୱରଙ୍କ ପରମଭକ୍ତରେ ରୂପାନ୍ତରିତ ହୋଇଥିଲେ ଯୁବରାଜଗୋବିନ୍ଦ! ଗୁରୁମାୟାରେ ଜାଗତିକମାୟାର ବିଲୁପ୍ତି ଘଟିଛି! ମାୟାସଂସାରକୁ ସ୍ୱଚକ୍ଷୁରେ ଦର୍ଶନ କରି ତ୍ୟାଗ ପୂର୍ବକ ନିର୍ମାୟାପୁରୁଷ ଗୋବିନ୍ଦ ସିଦ୍ଧଯୋଗୀ ହୋଇଯାଇଥିଲେ । ଯଥାର୍ଥ ଗୁରୁ ଶିଷ୍ୟପ୍ରାଣର ଆଧାର ହୋଇ ବାହିନିଅନ୍ତି ଉର୍ଦ୍ଧ୍ୱରୁ ଉର୍ଦ୍ଧ୍ୱକୁ! ଗୋବିନ୍ଦ ଗୁରୁକୃପା ଲାଭକରି ପରମସତ୍ୟଙ୍କୁ ସାକ୍ଷାତ କରିଥିଲେ! ଜନ୍ମ ମରଣଚକ୍ରରୁ ମୁକ୍ତହୋଇ ସ୍ୱଦେହରେ ଜଳ, ସ୍ଥଳ, ଆକାଶରେ ବିଚରଣ କରିଥିଲେ! କୋଡ଼ିଏବର୍ଷ ବୟସରୁ ଯୋଗୀରୂପ ଧାରଣ କରି ମାତ୍ର ଚବିଶବର୍ଷ ସାଧନପଥରେ ଚଉରାଳିଶବର୍ଷ ବୟସରେ ଜଣେ ସିଦ୍ଧଯୋଗୀରେ ପରିଣତ ହୋଇପାରିଥିଲେ!
ଚବିଶ ଜନ୍ମ ଧରି ଯାହା ସମ୍ଭବ ହୋଇ ପାରିନଥାନ୍ତା, ଗୁରୁକୃପା ବଳରେ ମାତ୍ର ଚବିଶବର୍ଷରେ ଭକ୍ତିର ଫଳ ପ୍ରାପ୍ତ ହୋଇପାରିଥିଲେ ଗୋବିନ୍ଦଚନ୍ଦ୍ର । ଆଜ୍ଞାବହ ଶିଷ୍ୟର ଗୁରୁଙ୍କପ୍ରତି ପ୍ରଗାଢ଼ଭକ୍ତି ଯେତିକି ଗଭୀର ହେଉଥିବ, ଗୁରୁକୃପା ରୂପୀ ମହାସମୁଦ୍ରରୁ ସେତିକି ଶକ୍ତି ଗ୍ରହଣ କରିବା ସମ୍ଭବ ହୋଇଥାଏ! ଶ୍ରୀମହାବିଷ୍ଣୁଙ୍କୁ କୋଟିବ୍ରହ୍ମାଣ୍ଡ ଠାକୁର ଭାବଧରି ଧ୍ୟାନ କଲାବେଳେ ମନୁଷ୍ୟ ଅତିସୂକ୍ଷ୍ମ ହୋଇଯାନ୍ତି । ପୁଣି ତାଙ୍କୁ ଅନ୍ତର୍ଯ୍ୟାମୀ ଭାବରେ ଗ୍ରହଣ କରିବା ବେଳେ ପ୍ରଭୁ ହୃଦୟରେ ସୂକ୍ଷ୍ମ ହୋଇଯାଉଛନ୍ତି!
ପ୍ରକୃତି କୋଳରେ ଶରୀର । ସେଇ ଶରୀର ମଧ୍ୟରେ ପରମାତ୍ମାଙ୍କ ବାସସ୍ଥାନ! ଗୁରୁକୃପା ପ୍ରାପ୍ତହେଲେ ଆତ୍ମା-ପରମାତ୍ମା ଏକତ୍ର ହୋଇ ସତ୍ୟରେ ମିଳିତ ହୁଅନ୍ତି! ଏହି ରହସ୍ୟମୟ ତତ୍ତ୍ୱର ଜ୍ଞାତା ହେଉଛନ୍ତି ଶ୍ରୀଗୁରୁଦେବ । ପୁତ୍ରର ଆସନ୍ନମୃତ୍ୟୁ କଥା ଚିନ୍ତାକରି ଗୋବିନ୍ଦଙ୍କ ଶୋକାକୁଳ ବିଧବାମାତା ମୁକ୍ତାଦେଈ ପୁତ୍ରକୁ ମରଣମୁହଁରୁ ରକ୍ଷାକରିବା ନିମନ୍ତେ ଯଥାସାଧ୍ୟ ଉଦ୍ୟମ କରିଛନ୍ତି । ଯୋଗମାୟାରୂପରେ ଜନ୍ମଦେଇ ମହାମାୟାରୂପରେ ଜୀବଗୋବିନ୍ଦଙ୍କୁ ଗୁରୁଙ୍କ ଶରଣାପନ୍ନ କରାଇଛନ୍ତି! ସର୍ତ୍ତ ଥିଲା ଭଗବତ୍ପ୍ରାପ୍ତି ପରେ ଗୋବିନ୍ଦଙ୍କ ଅକାଳମୃତ୍ୟୁରେ ଯମଦେବ ହସ୍ତକ୍ଷେପ କରି ପାରିବେନାହିଁ । ଗୁରୁଙ୍କ ତତ୍ତ୍ୱାବଧାନରେ ରହି ମୃତ୍ୟୁ ପୂର୍ବରୁ ଯମାଳୟର ଉର୍ଦ୍ଧ୍ୱକୁ ଚାଲି ଯାଇଥିବେ! ରାଜାଗୋବିନ୍ଦଚନ୍ଦ୍ରଙ୍କ ଜୀବନରେ ତାହା ହିଁ ଘଟିଛି, ଯେଉଁ ସାଧନତତ୍ତ୍ୱ୍ୱ ଯୁଗେଯୁଗେ ସ୍ମରଣୀୟ ।
ହରି ଓଁ ତତ୍ସତ୍!