Wed. Dec 25th, 2024

ମେହେର ନଗରରେ ମେହେର ଜୟନ୍ତୀ

rklsanchar@gmail.com' By J.N. Pradhan Aug 28, 2018 #Featured
225 Views

ରାଉରକେଲା, ୨୮ା୮ : ସେକ୍ଟର-୧୪ ସ୍ଥିତ ମେହେର ନଗର କମ୍ୟୁନିଟି ସେଣ୍ଟର ଠାରେ ମେହେର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । କମ୍ୟୁନିଟି ସେଣ୍ଟର ସଭାପତି ଅରୁଣ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା କବି କୁଞ୍ଜ ବିହାରୀ ରାଉତ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ.ନଗେନ ଦାସ, ଶିକ୍ଷାବିତ ହରମୋହନ ରଥ ଓ ଓଡିଆ ଭାଷା ବିକାଶ ମଞ୍ଚ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଶିକ୍ଷକ ଚନ୍ଦ୍ରଶେଖର ପାଇକରାୟଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ରାଉତ ସ୍ୱଭାବ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଲେ, ଗଙ୍ଗାଧରଙ୍କ ସୃଷ୍ଟିରେ ପ୍ରକୃତିର ଚିତ୍ରଣ ଅତି ଚମକ୍ରାର ଭାବେ କରାଯାଇଛି ।

ତାଙ୍କର ସମସ୍ତ ସୃଷ୍ଟି ସମ୍ଭାରକୁ ଭାବରାଜ୍ୟର ଅନନ୍ୟ ସର୍ଜନା ବୋଲି ଅଭିହିତ କରିଥିଲେ । ସମ୍ମାନିତ ଅତିଥି ଡ.ଦାସ କହିଲେ ଯେ, ଗଙ୍ଗାଧରଙ୍କ ପ୍ରତି କାବ୍ୟରେ ଭକ୍ତି, ମଧୁମୟ, ଅମୃତମୟ ଭଳି ଶବ୍ଦ ତଥା ପ୍ରକୃତିର ଚିତ୍ରଣ ତାଙ୍କ କାବ୍ୟଧାରାକୁ ରୁଦ୍ଧିମନ୍ତ ଓ ସମୃଦ୍ଧି କରିପାରିଛି । ତାଙ୍କ ଲେଖାଗୁଡିକ ଅତି ସରଳ ଓ କମନୀୟ ଭାବେ ଲେଖାଯାଇଥିବାରୁ ତାହା ପ୍ରତ୍ୟେକ ପାଠକଙ୍କ ହୃଦୟରେ ସହଜରେ ସ୍ଥାନୀତ ହୋଇପାରୁଛି । ଅନ୍ୟତମ ଶିକ୍ଷାବିତ ଶ୍ରୀ ରଥ ମେହେରୀୟ ପ୍ରେମ ଓ ଶାସ୍ୱତ ପ୍ରେମ ଉପରେ ଆଲୋକପାତ କରିଥିଲେ । ଗଙ୍ଗାଧର ମେହେରଙ୍କ ସୃଷ୍ଟିରେ ପ୍ରକୃତିର ବର୍ଣ୍ଣନା ଓ ପରିପକ୍ୱ ବିଚାର ଉଭୟ ସଙ୍ଗଠିତ ହୋଇ ଯେଉଁ କାବ୍ୟକବିତା ସୃଷ୍ଟି ହୋଇଛି ତାହା ଆମ ଭାଷା ସାହିତ୍ୟ ପାଇଁ ଅମୂଲ୍ୟ ସମ୍ପଦ ହୋଇରହିଛି ।

ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ସ୍ୱଭାବ କବିଙ୍କ ରଚିତ ରସ ରତ୍ନାକର, କିଚକ ବଧ, ତପସ୍ୱିନୀ, ଇନ୍ଦୁମତି ଇତ୍ୟା ପୁସ୍ତକକୁ ଆଲୋଚନା ପରିସରଭୁକ୍ତ କରି କବିଙ୍କ ସାହିତ୍ୟ ପ୍ରତି ପ୍ରତିବଦ୍ଧତା ଓ ତାଙ୍କ ପ୍ରକୃତି ପ୍ରେମ ଉପରେ ଅବତାରଣା କରିଥିଲେ । କବି ତାଙ୍କ ସୃଷ୍ଟିରେ ହୃଦୟ ଦେଇ ତାଙ୍କ କବିତାକୁ ପରିପୁଷ୍ଟ କରିଥିବାରୁ ଏହା ପାଠକୀୟ ଆଦୃତିଲାଭ କରିପାରିଛି । ଏହାସହ ଗଙ୍ଗାଧର ଓଡିଶାର ଏକତ୍ରୀକରଣର ପ୍ରମୁଖ ଭୂମିକା ଉପରେ ଆଲୋକପାତ କରିଥିଲେ । କମ୍ୟୁନିଟି ସେଣ୍ଟରର ସାଧାରଣ ସମ୍ପାଦକ ଗନ୍ଧର୍ବରାଜ ନାୟକ ଗଙ୍ଗାଧରଙ୍କ ସୃଷ୍ଟିକୁ କିପରି ସହଜ ଓ ସାବଲୀଳ ଭାବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ କରାଯାଇପାରିବ ସେ ଉପରେ ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଅଜିତ କୁମାର ତ୍ରିପାଠୀ, ନିରଞ୍ଜନ ପଣ୍ଡା, ଶିକ୍ଷୟିତ୍ରୀ ଆରତୀପ୍ରଭା ମହାନ୍ତି, ସୁକାନ୍ତି ପଣ୍ଡା, ସରୋଜ ପଟ୍ଟନାୟକ, କ୍ରିଷ୍ଣା କଂସାରୀ, ମହିମା କଂସାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ପ୍ରଶାନ୍ତ ରଞ୍ଜନ ମଲ୍ଲିକ, ଜଗନ୍ନାଥ ଗୋବନ୍ତିଆ, ମାନସ ରଞ୍ଜନ ଦାସ, ସୌମ୍ୟା ଜେନା, ଜ୍ୟୋତ୍ସ୍ନାରାଣୀ ମିଞ୍ଜ, ନନ୍ଦିନୀ ବଡାଇକ, ସାନିଆ ତିରୁ, ପୂର୍ଣ୍ଣିମା ସାହୁ, ଶୁଭଶ୍ରୀ ମହାନ୍ତି ପ୍ରମୁଖ ସ୍ୱଭାବ କବିଙ୍କ କବିତା ପାଠ କରି ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ବେଳେ ଚନ୍ଦ୍ରଶେଖର ପାଇକରାୟ ଧନ୍ୟବାଦ ଦେଇଥିଲେ ।

Related Post