Thu. Jan 23rd, 2025

ମୃତ୍ୟୁ ପରେ ମିଳିଲାନି ଗାଡ଼ି: ଶବକୁ ଭାରରେ ବୋହିଲେ ୪୦ କିଲୋମିଟର

By amfnews Nov 1, 2019 #Featured
154 Views

ମାଲକାନଗିରି: ଅର୍ଥାଭାବ ଯୋଗୁଁ ଉନ୍ନତ ଚିକିତ୍ସା କରାଇ ପାରିଲେନି ପରିବାର। ଦିଶାରୀଙ୍କ ପାଖକୁ ନେଇଗଲେ। ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଜୀବନ। ଏହାପରେ ଶବ ନେବାକୁ ମଧ୍ୟ ମିଳିଲାନି ଗାଡ଼ି। ପାଖରେ ଟଙ୍କା ନ ଥିବାରୁ ଶବକୁ ଭାରରେ ବୋହି ୪୦କିଲୋମିଟର ଦୂର ଗାଁକୁ ନେଇଗଲେ ସଂପର୍କୀୟ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକକ୍‌ର ଦୁର୍ଗମ ଅଞ୍ଚଳରେ ଘଟିଥିବା ଏହି ଅଭାବନୀୟ ଘଟଣା ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ପଦାରେ ପକାଇ ଦେଇଛି। ମାଥିଲି ବ୍ଲକର ଦୁର୍ଗମ ଗାଁ ଟେମରୁପାଲୀ। କିଛି ଦିନ ତଳେ ରୋଗରେ ପଡ଼ି ବିଛଣା ଧରିଥିଲେ ଗାଁର ମୁଡ଼େ କାଲମାରୀ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବାଧ୍ୟ ହୋଇ ପରିବାର ଲୋକେ ତାଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା ସତ୍ତ୍ବେ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇ ନଥିଲା। ତେଣୁ ଉନ୍ନତ ଚିକିତ୍ସା ନିମନ୍ତେ ମାଲକାନଗିରି ମେଡିକାଲକୁ ନେଇଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏଭଳି ସ୍ଥିତିରେ ଦ୍ବନ୍ଦ୍ବରେ ପଡ଼ି ଯାଇଥିଲେ ପରିବାର ଲୋକ। ସଚେତନତା ଅଭାବରୁ ଏବଂ ପାଖରେ ଚିକିତ୍ସା ପାଇଁ ଟଙ୍କା ନ ଥିବାରୁ ରୋଗୀକୁ ନେଇ ଦିଶାରୀ ପାଖକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ସଂପର୍କୀୟଙ୍କ ସହ ଆଲୋଚନା କରି ରୋଗୀଙ୍କୁ ଦୁରୁଗୁଡାଠାରେ ରହୁଥିବା ଜଣେ ଦିଶାରୀ ନିକଟକୁ ନେଇଥିଲେ। ହେଲେ ଦିଶାରୀର ଚିକିତ୍ସା ଚାଲିଥିବା ସମୟରେ ମୁଡ଼େଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହାପରେ ଆରମ୍ଭ ହୋଇଥିଲା ପରିବାର ଲୋକଙ୍କ ସମସ୍ୟା। ଯାହା ଟଙ୍କା ଥିଲା ମୁଡ଼େଙ୍କ ଚିକିତ୍ସା ବାବଦରେ ସବୁ ଖର୍ଚ୍ଚ କରି ସାରିଥିଲେ। ଗାଡ଼ି ଭଡ଼ା କରି ଶବ ନେବାକୁ ପାଖରେ ଟଙ୍କା ନଥିଲା। ଅନ୍ୟପଟେ ଯୋଗାଯୋଗ ସତ୍ତ୍ବେ ମହାପ୍ରୟାଣ ଗାଡ଼ି ଆସି ନ ଥିଲା। ତେଣୁ ବାଧ୍ୟ ହୋଇ ପରିବାର ଲୋକ ଗୋଟିଏ କାଉଡ଼ି କରି ଶବ ଗାଁକୁ ବୋହି ନେଇଥିଲେ। ପ୍ରାୟ ୪୦କିଲୋମିଟରର ଜଙ୍ଗଲିଆ ରାସ୍ତାକୁ ସଂପର୍କୀୟମାନେ ପାଳି ପାଳି କରି ଶବକୁ ବୋହି ଗାଁରେ ପହଞ୍ଚିଥିଲେ। ମାଲକାନଗିରି ଜିଲ୍ଲାର ମାଥିଲି ଏବଂ ଚିତ୍ରକୋଣ୍ଡା ମେଡିକାଲକୁ ସରକାର ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ କରିଛନ୍ତି। ହେଲେ ସର୍ବନିମ୍ନ ଭିତ୍ତିଭୂମି ଏହି ଦୁଇଟି ମେଡିକାଲରେ ନାହିଁ। ଏପରିକି ମହାପ୍ରୟାଣ ଗାଡ଼ି ବି ଯୋଗାଇ ଦେବାକୁ ସରକାର ଭୁଲି ଯାଇଛନ୍ତି। ପୂରା ଜିଲ୍ଲା ପାଇଁ ଦୁଇଟି ମହାପ୍ରୟାଣ ଗାଡ଼ି ମିଳିଥିବା ବେଳେ ଉଭୟ ଗାଡ଼ି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି। ଯାହା ଫଳରେ ଗ୍ରାମାଞ୍ଚଳର ଲୋକ ଏହି ସେବାରୁ ବଞ୍ଚିତ ରହୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। ତଥାପି ସରକାରଙ୍କ ଦୃଷ୍ଟି ପଡ଼ୁ ନ ଥିବାରୁ ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଗଲା ବୋଲି ମତ ପ୍ରକାଶ ପାଇଛି।

By amfnews

Related Post