Sat. Apr 19th, 2025

ମୁଣ୍ଡାମାଳ ସାହି ବାବା ହତ୍ୟାକାଣ୍ଡ : ୪ଜଣଙ୍କୁ ଆଜୀବନ ଜେଲ୍

By amfnews Dec 25, 2018 #Featured
126 Views

ଅନୁଗୁଳ , ଡିସେମ୍ବର ୨୫ : ବଅଁରପାଳ ଥାନା କୁଶପଙ୍ଗୀ ମୁଣ୍ଡାମାଳ ସାହିରେ ୨୦୧୫ମସିହା ଜୁଲାଇ ପହିଲାରେ ଘଟିଥିବା ମହିମା ଧର୍ମାବଲମ୍ବୀ ବାବା ବିଶ୍ବନାଥ ପାଲ ହତ୍ୟାକାଣ୍ଡର ରାୟ ଆଜି ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅନୁଗୁଳ ଜିଲ୍ଲା ଓ ଦୌରା ଜଜ୍‌ ଅଶାନ୍ତ କୁମାର ଦାସ ବଅଁରପାଳ ଥାନା ଖୋଲୁଆ ଗାଁର ବ୍ରଜମୋହନ ନାଏକ(୩୮), ନାରାୟଣଚନ୍ଦ୍ରପୁର ଗାଁର ଦାମୋଦର ନାଏକ(୪୨), କୃତାର୍ଥ ନାଏକ(୩୭) ଓରଫ୍ (ଫଡ଼ି)ଙ୍କୁ ଦଫା ୩୦୨ରେ ଆଜୀବନ ଜେଲ୍‌ ଦଣ୍ଡାଦେଶ ସହିତ ୧୦ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୬ମାସ ଅତିରିକ୍ତ ଜେଲ ଦଣ୍ଡାଦେଶ ପାଇଁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ସେହିପରି ହତ୍ୟାକାଣ୍ଡକୁ ଉସୁକାଇବା ଅଭିଯୋଗରେ ମୁଣ୍ଡାମାଳ ସାହିର ରମେଶ ନାଏକଙ୍କୁ ଧାରା ୧୨୦(ବି)ରେ ଆଜୀବନ ଜେଲ ସହିତ ୫୦ହଜାର ଟଙ୍କା ଜରିମାନା ନିର୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ବର୍ଷେ ଜେଲ୍‌ ଦଣ୍ଡାଦେଶ ପାଇଁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି।

ପ୍ରାପ୍ତ ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା। ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ତଳିଗୁଡ଼ା ଇଲାକାର ବାବା ରାଜକିଶୋର ଦାସ(୩୯) ଓ ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳର ବାବା ବିଶ୍ବନାଥ ପାଲ କୁଶପଙ୍ଗୀ ଗାଁ ମୁଣ୍ଡାମାଳ ସାହିରେ ରହୁଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୁଣ୍ଡାମାଳ ସାହିର ରମେଶ ଓ ବାବା ରାଜକିଶୋରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରମେଶ ବାବାଙ୍କୁ ଧମକ ଦେଇଥିଲେ। ତୁରନ୍ତ ସାହି ଛାଡ଼ି ପଳାଇବାକୁ ଚେତାବନୀ ଦେଇଥିଲା। ତା’ପରେ ହଠାତ୍ ତିନି ଅଭିଯୁକ୍ତ ବ୍ରଜମୋହନ, ଦାମୋଦର ଓ କୃତାର୍ଥ ଭୁଜାଲି ଧରି ବାବା ରାଜକିଶୋରଙ୍କ ଘରେ ପଶିଥିଲେ। ବାବାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ରାଜକିଶୋରଙ୍କ ସାଥୀ ବାବା ବିଶ୍ବନାଥ ଅଭିଯୁକ୍ତଙ୍କୁ ବାଧା ଦେବାରୁ ତାଙ୍କୁ ବି ହାଣି ଦେଇଥିଲେ। ବ୍ୟାଗରୁ ୪୨ହଜାର ଟଙ୍କା ଧରି ଫେରାର୍‌ ହୋଇ ଯାଇଥିଲେ। ଘଟଣାରେ ରାଜକିଶୋର ଯଦିଓ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ, କିନ୍ତୁ ବିଶ୍ବନାଥଙ୍କର ମୃତ୍ୟୁ ହୋଇଥିଲା।

By amfnews

Related Post