Wed. Nov 20th, 2024

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପି ବିରୋଧ କରାଯିବ

By amfnews Nov 5, 2018 #Featured
122 Views

ରାଉରକେଲା, ନଭେମ୍ବର,୪ : ଅତୀତରେ ନିର୍ବାଚନ ସମୟରେ କୋଏଲ ବ୍ୟାରେଜ, ଆର୍ଏମ୍ସି ମାର୍କେଟ କମ୍ପେ୍ଲକ୍ସ, ସରକାରୀ ମେଡିକାଲ କଲେଜ, ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଶିଳାନ୍ୟାସ କରି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭୁୟାଁ ବୁଲାଇଛନ୍ତି । ଆଜି ପର୍ଯ୍ୟନ୍ତ ଏସବୁ ପ୍ରକଳ୍ପଗୁଡିକର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ । ପାଞ୍ଚ ବର୍ଷ ପରେ ପୁଣି ମୁଖ୍ୟମନ୍ତ୍ରୀ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ୪୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ୮ଟି ପ୍ରକଳ୍ପର ଲୋକାର୍ପଣ କରିବାକୁ ଆସୁଛନ୍ତି । ଯେଉଁ ପ୍ରକଳ୍ପଗୁଡିକ ଶିଳାନ୍ୟାସ କରିବାକୁ ଆସୁଛନ୍ତି ସେଗୁଡିକ ସ୍ମାର୍ଟସିଟି କାର୍ଯ୍ୟର ଅନ୍ତର୍ଭୁକ୍ତ ।

ସ୍ମାର୍ଟସିଟି ଅନୁଦାନ ଅର୍ଥ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ସ୍ଥାନୀୟ ସାଂସଦ ଓ ସ୍ଥାନୀୟ ବିଧାୟକଙ୍କୁ ସାମିଲ୍ ନ କରି ଏହାକୁ ରାଜନୀତିକରଣ କରାଯାଇଛି । ରାଉରକେଲା ପ୍ରତି ସର୍ବଦା ବୈମାତୃକ ମନୋଭାବ ଥିବା ଓ ପ୍ରତି କ୍ଷେତ୍ରରେ ରାଉରକେଲା ବାସୀଙ୍କ ଆବେଗ ଓ ସ୍ୱାଭିମାନ ସହ ଲୁଚକାଳି ଖେଳୁଥିବା ମୁଖ୍ୟମନ୍ତ୍ରୀ ରାଉରକେଲାରେ ପ୍ରବେଶ କରିବାର ନୈତିକ ଅଧିକାର ହରାଇଛନ୍ତି । ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲାର ଅନେକ ପ୍ରତିଭାବାନ ଖେଳାଳୀ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡିଶାକୁ ଗୌରବାନ୍ୱିତ କରିଛନ୍ତି ।

ଏଇ ମାଟିର ସନ୍ତାନ ପ୍ରାକ୍ତନ ହକି କ୍ୟାପଟେନ ଦିଲ୍ଲୀପ ତିର୍କୀ ମଧ୍ୟ ବିଶ୍ୱ ହକି ମ୍ୟାଚର ଗୋଟିଏ ମ୍ୟାଚ୍ ନିଜ ମାଟିରେ ବିଜେଡି ଦଳରେ ଥାଇ କରାଇବାରେ ବିଫଳ ହେବା ନିହାତି ଲଜ୍ୟାକର ଘଟଣା । ଜନ୍ମମାଟି ପ୍ରତି ତାଙ୍କ କେତେ ଦରଦ ତାହା ସହଜରେ ଜଣାପଡେ । ତେଣୁ ଏ ମାଟିର ବିକାଶ ପାଇଁ ଜିଲା ବିଜେପି ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ଦେଶ୍ୟମୂଳକ ଗସ୍ତକୁ ବିରୋଧ କରିବାକୁ ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ଜଗବନ୍ଧୁ ବେହେରା, ପୂର୍ବତନ ନଗରପାଳ ନିହାର ରାୟ, ରାଜ୍ୟ ସମ୍ପାଦକ ଧିରେନ ସେନାପତି, ମୁଖପାତ୍ର ଭଗବାନ ରାଉତ ଓ ଗଙ୍ଗାଧର ଦାଶ, ଉପସଭାପତି ତପନ ସ୍ୱାଇଁ ଏବଂ ସାଧାରଣ ସମ୍ପାଦକ ରାଇସନ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post