ପାରଳାଖେମୁଣ୍ଡି : ଗତକାଲି ଗଜପତି ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଘଟିଥିବା ଏକ ଘଟଣାର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଜନୈକ ଯୁବକର୍ମୀଙ୍କୁ ମଞ୍ଚ ଉପରେ ଚାପୁଡ଼ା ପକାଉଥିବାର ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ମଙ୍ଗଳବାର ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ସଂଗ୍ରାମ ସାହୁ। ଦଳରେ ଯୋଗ ଦେଇଥିବା କର୍ମୀଙ୍କୁ ଉତ୍ତରୀୟ ପକାଇ ସ୍ବାଗତ କରୁଥିଲେ ସୋରଡା ବିଧାୟକ ତଥା ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ସଂଗ୍ରାମ ସାହୁଙ୍କୁ ବିଧାୟକ ସ୍ବାଇଁ ଉତ୍ତରୀୟ ପକାଉଥିବା ବେଳେ ସେ ତାହାକୁ ତାଙ୍କ ହାତରୁ ଭିଡ଼ି ଆଣି ସାଂସଦଙ୍କୁ ପକାଇବା ଲାଗି ବଢ଼ାଇଥିଲେ। ଏଭଳି ଅସୌଜନ୍ୟ ଆଚରଣରେ ଉତକ୍ଷିପ୍ତ ହୋଇ ସାଂସଦ ଚନ୍ଦ୍ରଶେଖର ସାହୁ ସଂଗ୍ରାମ ସାହୁଙ୍କୁ ଚାପୁଡ଼ାଟିଏ ପକାଇଥିଲେ। ଏହାପରେ ପୂର୍ବଭଳି ସୋରଡା ବିଧାୟକ ତାଙ୍କୁ ଦଳୀୟ ଉତ୍ତରୀୟ ପକାଇ ସ୍ବାଗତ କରିଥିଲେ।
221 Views