Fri. Jan 10th, 2025

ମାହାଙ୍ଗାରେ ଆବାସ ଦୁର୍ନୀତି : ପ୍ରତି ହିତାଧିକାରୀଙ୍କୁ ଦୁଇଟି ଲେଖାଏଁ ଘର!

By amfnews Nov 5, 2019 #Featured
98 Views

କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ରେ ଆବାସ ଦୁର୍ନୀତି ତାଲିକା ଲମ୍ବିବାରେ ଲାଗିଛି। ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ଜିଲ୍ଲା ସାଧାରଣ ସଂପାଦକ ଭିକାରି ସ୍ବାଇଁଙ୍କ ଭାଇଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ଏବେ ଜଣେ ଜଣେ ହିତାଧିକାରୀ ଦୁଇ ଦୁଇଟି ଲେଖାଏ ଆବାସ ଯୋଜନା ଘର ହାତେଇଥିବା ଘଟଣା ସାମନାକୁ ଆସିଛି। ଗୋଟିଏ ପରିବାରର ତିନି ଭାଇ ୫ଟି ଘର ପାଇଛନ୍ତି। ସ୍ବାମୀ ଓ ତାଙ୍କର ଦୁଇ ଜଣ ସ୍ତ୍ରୀଙ୍କୁ ବି ଆବାସ ମିଳିଛି। ପେନସନଭୋଗୀ ଘର ପାଇଛନ୍ତି। ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ଜମରା ପଞ୍ଚାୟତରେ ଏଭଳି ଅନିୟମିତତା ସହିତ ଦୁଇ ଦୁଇଟି ଯୋଜନାରେ ଘର ହାତେଇ ଟଙ୍କା ନେଇଥିଲେ ମଧ୍ୟ ଅନେକ ହିତାଧିକାରୀ ଘର କରିନାହାନ୍ତି।

ମାହାଙ୍ଗା ବ୍ଲକ ମଉଦା ପଞ୍ଚାୟତରେ ୧୫ଜଣ ହିତାଧିକାରୀଙ୍କୁ ୨୦୧୮-୧୯ରେ ଅଯୋଗ୍ୟ ଦର୍ଶାଯାଇଥିଲା। କିନ୍ତୁ ୨୦୧୯-୨୦ରେ ସେମାନଙ୍କୁ ଯୋଗ୍ୟ ଦର୍ଶାଯାଇ ପୁଣି ଦିଆଯାଇଛି ଘର। ‌ସେହିପରି ଦାଉଦ୍‌ପୁର ପଂଚାୟତରେ ଘର ସଂଖ୍ୟା ଯେତିକି ତାଠାରୁ ଆବାସ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ଦୁଇଗୁଣାରୁ ଅଧିକ ଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ଜମରା ପଂଚାୟତର ବିଜେଡି ସଭାପତି ସୁଦାମ ବଳ ଆବାସ ଯୋଜନାରେ ଦୁଇଟି ଘର ପାଇଛନ୍ତି। ସୁଦାମ ୨୦୧୧-୧୨ରେ ଆଇଏୱାଇ ଯୋଜନାରେ ଓ ୨୦୧୯-୨୦ରେ ନିର୍ମାଣ ଶ୍ରମିକ ଯୋଜନାରେ ଦୁଇଟି ଘର ପାଇଛନ୍ତି। ସେହିପରି ତାଙ୍କ ଭାଇ ସୁବଳ ମଧ୍ୟ ଦୁଇଟି ଓ ଅନ୍ୟ ଜଣେ ଭାଇ ଯୁଗଳ ମଧ୍ୟ ଗୋଟିଏ ଘର ପାଇଛନ୍ତି। ଅନ୍ୟପଟେ ଉକ୍ତ ପଂଚାୟତର ଇନ୍ଦ୍ରମଣି ତ୍ରିପାଠୀ ୨୦୧୨-୧୩ରେ ଆଇଏୱାଇ ଯୋଜନାରେ ଘର ପାଇଥିବା ବେଳେ ଓ ପୁଣି ୨୦୧୮-୧୯ରେ ନିର୍ମାଣ ଶ୍ରମିକ ଯୋଜନାରେ ଘର ହାତେଇଛନ୍ତି। ଦୁଇ ଦୁଇଟି ଯୋଜନାରେ ଦୁଇଟି ଘର ହାତେଇଥିବା ବେଳେ ସରକାରୀ ତହବିଲରୁ ତାଙ୍କ ନାମରେ ଅର୍ଥ ମଧ୍ୟ ଆକାଉଣ୍ଟକୁ ଯାଇଛି। ସେ କିନ୍ତୁ ଆଦୌ ଘର ନକରି ଟଙ୍କା ନେଇଯାଇଛନ୍ତି।

ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ବେହେରା ପେନସନ୍‌ ପାଉଛନ୍ତି। ତାଙ୍କର ପୁଅ -ବୋହୂ ମଧ୍ୟ ସରକାରୀ ଚାକିରିଆ। ହେଲେ ଦୀନବନ୍ଧୁ ୨୦୧୭-୧୮ରେ ପାଇଛନ୍ତି ଆବାସ ଯୋଜନାରେ ଘର। ଘର ନକରି ୧ଲକ୍ଷ ୨୦ ହଜାର ଟଙ୍କା ମଧ୍ୟ ସେ ପାଇସାରିଛନ୍ତି। ଏପଟେ ତାଙ୍କର ବଡ଼ କୋଠା ଘର ବି ରହିଛି।

ଲଛମନ ବେଉରା ହେଉଛନ୍ତି ପଂଚାୟତର ଡ଼ିଲର। ସେ ନିଜ ନାମରେ ଗୋଟିଏ ଘର ନେଇଥିବା ବେଳେ ତାଙ୍କ ଦୁଇଭାଇ ‌ମନୋଜ ଓ ରଂଜନଙ୍କ ନାମରେ ମଧ୍ୟ ଦୁଇଟି ଘର ଯାଇଛି। ତିନି ଭାଇ ଆବାସ ଯୋଜନାରେ ଘର ହାତେଇବାପରେ ଏବେ ପୁଣି ଲଛମନଙ୍କ ପୁଅ ଚିତ୍ତ ରଂଜନ ବେଉରାଙ୍କ ନାମ ମଧ୍ୟ ୨୦୧୯-୨୦ ତାଲିକାରେ ଘର ପାଇବା ପାଇଁ ମନୋନୀତ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ନମକାନି ଗାଁର ହେମନ୍ତ ବେଉରାଙ୍କର ଦୁଇଜଣ ସ୍ତ୍ରୀ ଥିବା ରେକର୍ଡରୁ ଜଣାପଡିଛି। ହେମନ୍ତ ନିଜେ ଆବାସ ଯୋଜନାରେ ୨୦୧୯-୨୦ରେ ଘର ପାଇବା ପାଇଁ ମନୋନୀତ ହୋଇଥିବାବେଳେ ପତ୍ନୀ ମୀନାରାଣୀ ୨୦୧୮-୧୯ରେ ଓ ଆଉ ଜଣେ ସ୍ତ୍ରୀ ବିଦୁଲତା ୨୦୧୭-୧୮ରେ ଆବାସ ଯୋଜନାରେ ଘର ପାଇଥିବା ରେକର୍ଡରୁ ଜଣାପଡିଛି। ମାହାଙ୍ଗା ପଂଚାୟତରେ ଆବାସ ଯୋଜନାରେ ବ୍ୟାପକ କେଳେଙ୍କାରୀ ହୋଇଛି। କିନ୍ତୁ ପ୍ରଶାସନ ଏ ଦିଗରେ ଆଖିଦୃଶିଆ ତଦନ୍ତ କରୁ ନଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ସାରଦା ପ୍ରଧାନ। ଅନ୍ୟପଟେ ପିଡି ଡିଆରଡିଏ କହିଛନ୍ତି ଯେ ଏ ସଂକ୍ରାନ୍ତରେ ବିଧିବଦ୍ଧ ଅଭିଯୋଗ ମିଳିଲେ ଘଟଣାର ତଦନ୍ତ କରାଯିବ।

By amfnews

Related Post