Tue. Mar 10th, 2026

ମାର୍ଶାଘାଇ: ଦୁର୍ବୃତ୍ତଙ୍କ ଗୁଳି ଚୋଟରେ ଔଷଧ ବ୍ୟବସାୟୀ ମୃତ

189 Views

କେନ୍ଦ୍ରାପଡ଼ା  : ମଙ୍ଗଳବାର ସକାଳେ ମାର୍ଶାଘାଇ ଅଞ୍ଚଳର ହାତିଆ ଠାରେ ଦୁର୍ବୃତ୍ତମାନଙ୍କ ଗୁଳି ଚୋଟରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ମଣିକୁଣ୍ଡା ଗ୍ରାମର ଉମେଶ ସାହୁଙ୍କ ପୁଅ ଔଷଧ ବ୍ୟବସାୟୀ ୨୭ ବର୍ଷିୟ ଗଗନ ସାହୁ।

ସେ ଓ ତାଙ୍କ ଭାଇ ମନୋଜ ଆଜି ସକାଳ ପ୍ରାୟ ୮: ୩୦ରେ ଘରୁ ମଟରସାଇକେଲ ଚଢ଼ି କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗରାପୁର କାଳୀମନ୍ଦିର ଛକ ପାଖରେ ଥିବା ସାହୁ ଫାର୍ମା ଔଷଧ ଦୋକାନକୁ ଆସିବା ବେଳେ ବାଟରେ ୩ ଜଣ ଦୁର୍ବୃତ୍ତ ଅନ୍ୟ ଏକ ବାଇକ୍‌ରେ ଆସି ତାଙ୍କ ଉପରକୁ ତିନି ରାଉଣ୍ଡ୍‌ ଗୁଳି ଚଳାଇଥିଲେ।

ଗୁଳିକାଣ୍ଡ ଘଟିଥିବା ସ୍ଥଳ ହେଉଛି ୫ ନମ୍ବର କ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଗୋପଛକ ଏବଂ ଛଅଘରିଆ ମଧ୍ୟବର୍ତ୍ତୀ ଅଞ୍ଚଳ ହାତିଆ ଓ ହଜାରି ରାସ୍ତା । ଗୁଳି ଚଳାଇବା ପରେ ବାଇକ ଆରୋହୀ ଦୁର୍ବୃତ୍ତମାନେ ପାରଦୀପ ଆଡ଼କୁ ଚାଲିଯାଇଥିଲେ ବୋଲି ସେଠାରେ ଥିବା ଗୋଟାଏ ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀମାନେ କହୁଛନ୍ତି। ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ହେଲ୍‌ମେଟ୍‌ ପିନ୍ଧିଥିଲେ।

ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀମାନେ ଗଗନଙ୍କୁ ଅତି ସଙ୍କଟାପନ୍ନ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ବ୍ୟବସ୍ଥା କରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଶବ ଡାକ୍ତରଖାନାରେ ପହଞ୍ଚିବା ପରେ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହୋଇଛି।

ଗୁଳିକାଣ୍ଡର କାରଣ ଜଣାପଡ଼ି ନାହିଁ। କିନ୍ତୁ, ଗାଁ ମେଲଣରେ ଝମେଲା ହୋଇଥିବା କଥା ସେ ୪ ଦିନ ତଳେ କହିଥିଲେ ବୋଲି ଶୁଣାଯାଉଛି। ଗଗନଙ୍କ କାନରେ ଦୁଇଟି ଓ ବେକରେ ଗୋଟିଏ ଗୁଳି ବାଜିଥିଲା। ଘଟଣାସ୍ଥଳରେ ସିଡିପିଓ ରାଜୀବ ଲୋଚନ ପଣ୍ଡା ଓ ପୁଲିସ ଫୋର୍ସ ପହଞ୍ଚିଛନ୍ତି।

By amfnews

Related Post