Mon. Jan 13th, 2025

ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପହଞ୍ଚିବ ବହି

By amfnews Nov 23, 2019 #Featured
87 Views

ଭୁବନେଶ୍ୱର : ଏଥର ଶିକ୍ଷାବର୍ଷ ଆରମ୍ଭରୁ ବିଦ୍ୟାଳୟରେ ପହଞ୍ଚିବ ମାଗଣା ପାଠ୍ୟପୁସ୍ତକ। ୨୦୨୦-୨୧ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହେଉଥିବାରୁ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେମିତି ବାଧା ସୃଷ୍ଟି ନ ହୁଏ, ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ମାର୍ଚ୍ଚ ଶେଷ ସୁଦ୍ଧା ବିଦ୍ୟାଳୟଗୁଡ଼ିକରେ ପାଠ୍ୟପୁସ୍ତକ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ପାଠ୍ୟପୁସ୍ତକ ନିର୍ଦ୍ଦେଶାଳୟଠାରେ ମନ୍ତ୍ରୀ ଶ୍ରୀ ଦାଶ ପାଠ୍ୟ ପୁସ୍ତକ ବିତରଣର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଲେ ବର୍ତ୍ତମାନ ୩ ଲକ୍ଷ ୫୦ ହଜାର ପାଠ୍ୟ ପୁସ୍ତକ ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର ଓ କେନ୍ଦୁଝର ଜିଲ୍ଲାକୁ ପ୍ରଦାନ କରାଯାଇଛି। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ବିଦ୍ୟାଳୟକୁ ବହି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷ ଆରମ୍ଭରେ ସବୁ ଜିଲ୍ଲାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଖରେ ନୂତନ ପାଠ୍ୟ ପୁସ୍ତକ ପହଞ୍ଚିପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ୫କୋଟି ୯୦ ଲକ୍ଷ ପୁସ୍ତକର ଆବଶ୍ୟକତା ରହିଛି। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧କୋଟି ୧୨ ଲକ୍ଷ ପାଠ୍ୟପୁସ୍ତକ ଛପା କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ପାଠ୍ୟପୁସ୍ତକ ଛପା ହେବା ପାଇଁ ଶୀଘ୍ର ପଦକ୍ଷେପ ନିଆଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକ ଛପାଯାଇ ବଣ୍ଟନ କରାଯିବ। ପାଠ୍ୟପୁସ୍ତକ ବିତରଣ ଶୁଭା‌ରମ୍ଭ ଅବସରରେ ଭୁବନେଶ୍ୱର (ମଧ୍ୟ) ବିଧୟକ ଅନନ୍ତ ନାରାୟଣ ଜେନା, ପାଠ୍ୟପୁସ୍ତକ ପ୍ରକାଶନ ଓ ବିତରଣ ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ମହାନ୍ତିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

By amfnews

Related Post