Sun. Jun 15th, 2025

ମାଫିଆଙ୍କ ସେଫ୍ ଜୋନ୍ ଖୋର୍ଦ୍ଧା-ବଲାଙ୍ଗୀର ରାଜପଥ

By amfnews Aug 26, 2019 #Featured
159 Views

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଦେଇ ବେଧଡ଼କ ଭାବେ ଚାଲିଛି ଗଞ୍ଜେଇ ଚୋରା ଚାଲାଣ। ନୟାଗଡ଼ ଜିଲ୍ଲା ଦେଇ ଏସବୁ ଗଞ୍ଜେଇକୁ ମାଫିଆମାନେ ଅତି ଚତୁରତାର ସହ ଦୈନିକ ଚାଲାଣ କରୁଥିବା ବେଳେ ଟେର୍ ପାଉନି ପୁଲିସ। କନ୍ଧମାଳରୁ ଭାୟା ନୟାଗଡ଼ ଦେଇ କଟକ, ଭୁବନେଶ୍ବର ଓ ପୁରୀ ଭଳି ବଡ଼ ସହରକୁ ହେଉଛି ଚୋରା ଚାଲାଣ। ପୁଲିସ ସନ୍ଦେହ ଭିତରକୁ ନ ଆସିବା ପାଇଁ ମାଫିଆମାନେ ନାମୀଦାମୀ ଗାଡ଼ିରେ ଏସବୁ ଚାଲାଣ କରିବାରେ ସକ୍ଷମ ହେଉଛନ୍ତି।

ବଡ଼କଥା ହେଉଛି ବିଭିନ୍ନ ଥାନା ମାଧ୍ୟମରେ ଯେପରି ପାଟ୍ରୋଲିଂ ସହ ଧରପଗଡ଼ ହେବା କଥା ତାହା ଦେଖିବାକୁ ମିଳୁନାହିଁ। ଫଳରେ ମାଫିଆଙ୍କ ପାଇଁ ଏହା ବେଶ୍ ସୁଯୋଗ ସୃଷ୍ଟି କରୁଛି। ଦେଖିବାକୁ ଗଲେ ମାଫିଆମାନେ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଧରି ଆସିବା ପରେ ନୟାଗଡ଼ ଜିଲ୍ଲାରେ ପ୍ରବେଶ କରିଥାନ୍ତି। ପ୍ରଥମେ ବାଣିଗୋଛା ଥାନା ଅତିକ୍ରମ କରିବା ପରେ ଦଶପଲ୍ଲା, ନୂଆଗାଁ, ନୟାଗଡ଼ ସଦର, ନୟାଗଡ଼ ଟାଉନ ଏବଂ ଇଟାମାଟି ଥାନା ଦେଇ ପାର୍‌ ହୁଅନ୍ତି। ଅନ୍ୟ ପାର୍ଶ୍ବରେ ଦେଖିବାକୁ ଗଲେ ଦଶପଲ୍ଲାରୁ ଖଣ୍ତପଡ଼ା କିମ୍ବା ଗଣିଆ ଦେଇ ଭୁବନେଶ୍ବର ଯିବାକୁ ହେଲେ ଗଣିଆ, କୋସକା, ଖଣ୍ତପଡ଼ା, ଫତେଗଡ଼ ଭଳି ଥାନା ଅତିକ୍ରମ କରିବାକୁ ପଡ଼ୁଛି। କିନ୍ତୁ ଜିଲ୍ଲାର ବିଭିନ୍ନ ଥାନା ଦେଇ ମାଫିଆମାନେ କ୍ବିଂଟାଲ କ୍ବିଂଟାଲ ଗଞ୍ଜେଇ ଧରି ଦୈନିକ ଜିଲ୍ଲା ପାର ହେଉଥିବା ବେଳେ ଜିଲ୍ଲାର ପୁଲିସ ବିଭାଗ ଏହାର ଟେର୍ ନପାଇବା ବିଡ଼ମ୍ବନାର ବିଷୟ ପାଲଟିଛି। ଗଞ୍ଜେଇ ମାଫିଆଙ୍କ ରାକେଟ୍ ନୟାଗଡ଼ ଜିଲ୍ଲା ସମେତ ରାଜ୍ୟ ଓ ରାଜ୍ୟ ବାହାରେ ସକ୍ରିୟ ଥିବା ମଧ୍ୟ କୁହାଯାଉଛି। ଦୈନିକ ଦେଖିବାକୁ ଗଲେ କନ୍ଧମାଳ ଜିଲ୍ଲାରୁ ନୟାଗଡ଼ ଜିଲ୍ଲା ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସକୁ ସେଭଳି କୌଣସି ସଫଳତା ମିଳିନଥିବା ଦେଖିବାକୁ ମିଳିଛି।

By amfnews

Related Post