Sat. Nov 16th, 2024

ମାନବିକତା ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ

By amfnews Aug 23, 2018 #Featured
255 Views

ରାଉରକେଲା, ୨୩ା୮ : ସ୍ଥାନୀୟ ହୋଟେଲ ଦିପ୍ତୀ ଠାରେ ସାମାଜିକ ଅନୁଷ୍ଠାନ ମାନବିକତା ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଯୋଗ ଦେଇ ବରିଷ୍ଠମାନଙ୍କ ଭୂମିକା ସମାଜ ପାଇଁ ସ୍ୱତନ୍ତ୍ର ଓ ସେମାନେ ସମାଜ ପାଇଁ ଅମୂଲ୍ୟ ସମ୍ପଦ ବୋଲି ଉଲ୍ଲେଖ କରିଥିଲେ । ସେମାନଙ୍କ ଅନୁଭୂତି ଓ ଅଭିଜ୍ଞତା ସମାଜ ପାଇଁ ମାର୍ଗଦର୍ଶିକା ସାଜିଥାଏ । ସୁସ୍ଥ ସମାଜ ଗଠନରେ ସେମାନଙ୍କ ଉପଦେଶ ଓ ପରାମର୍ଶ ଉପାଦେୟ ହୋଇଥାଏ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଉଦ୍ବୋଧନରେ ପ୍ରକାଶ କରିଥିଲେ ।

ଶିକ୍ଷାବିତ ପ୍ରଫେସର ପ୍ରମିଳା ପଣ୍ଡା, ଜିଲା ଶିଶୁ କଲ୍ୟାଣ କମିଟି ବସନ୍ତ ମଲ୍ଲିକ, ବରିଷ୍ଠ ଶ୍ରମିକନେତା ବୈଦ୍ୟନାଥ ଦାସ, ବରିଷ୍ଠ ଆଇନ୍ଜୀବୀ ସୁଜୟ ପାଣି ଓ ନାରାୟଣ ପ୍ରସାଦ ଦାସ, ବରିଷ୍ଠ ନେତା ଶ୍ରୀଚରଣ ମହାନ୍ତି, ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅତିରିକ୍ତ କୁଳସଚିବ ସୁଧୀର ସୁନ୍ଦରରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମାଜରେ ବରିଷ୍ଠ ନାଗରିକମାନେ ହେଉଛନ୍ତି ମାର୍ଗଦର୍ଶିକା ବୋଲି କହିଥିଲେ । ଯୁବପିଢି ସେମାନଙ୍କ ଠାରୁ ଉପଯୁକ୍ତ ପରାମର୍ଶ ଗ୍ରହଣ କରିପାରିଲେ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳ ହୋଇପାରିବେ ବୋଲି ଅତିଥିବୃନ୍ଦ ଯୁବପିଢିମାନଙ୍କୁ ଆହ୍ୱାନ କରିଥିଲେ ।

ବରିଷ୍ଠ ନାଗରିକ ଅମୂଲ୍ୟ ଚରଣ ବରାଳ ଓ ନିରଞ୍ଜନ ଦାସ ବକ୍ତବ୍ୟରେ ଯୁବପିଢିଙ୍କ ପାଇଁ ଉପାଦେୟ ପରାମର୍ଶମାନ ଦେଇଥିଲେ । କାର୍ଯ୍ୟକ୍ରମରେ ସହରର ଶତାଧିକ ବରିଷ୍ଠ ନାଗରିକଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଆର୍ଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କ ପରାମର୍ଶକ୍ରମେ ମାନବିକତା ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠୀ ଓ ସମ୍ପାଦକ ଶଙ୍କର ଜେନାଙ୍କ ଉଦ୍ୟମରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଶ୍ରୀ ନାୟକ ଏଥିରେ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କ ସହ ମତବିନିମୟ କରିଥିଲେ ।

ଅବସରପ୍ରାପ୍ତ ଶିକ୍ଷକ ତଥା ଲେଖକ ରାଧାକାନ୍ତ ମହାରଣା ଧନ୍ୟବାଦ ଦେଇଥିଲେ । ମମତା ଅନୁଷ୍ଠାନ ସଭାପତି ମିନାକ୍ଷୀ ଧର କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଜ୍ଞାନେନ୍ଦ୍ର ଜେନା, ଗଗନ ପଣ୍ଡା, ଶିଶିର ମୁଦୁଲି, ମହେନ୍ଦ୍ର କୁମ୍ଭାର, ଦିଲ୍ଲୀପ ମହାନ୍ତି, ମୀନକେତନ ନାୟକ, ଅଜୟ ନାୟକ, ନୃସିଂହ ନାୟକ, ଏମ୍ଡି ଖଲିଦ, ପ୍ରଭାତ କବି, ପିଙ୍କୁ ଜୟସ୍ୱାଲଙ୍କ ସମେତ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

By amfnews

Related Post