Mon. Nov 25th, 2024

ମାଡ଼ି ବସିଛନ୍ତି ମହାପ୍ରଭୁଙ୍କର ୯୬ ଏକର, ମକଦ୍ଦମା କରିଦେଇ ସରକାର ଚୁପ୍

By amfnews Nov 27, 2019 #Featured
142 Views

୩୪୧ ଏକର ଜମି ବିକି ପାଇଛନ୍ତି ୧୦ କୋଟି ୬୪ ଲକ୍ଷ, ୬ଟି ରାଜ୍ୟରେ ଜଗନ୍ନାଥଙ୍କର ୩୯୫ ଏକର ଜମି ଚିହ୍ନଟ
ଭୁବନେଶ୍ବର: ମହାପ୍ରଭୁ ଜଗନ୍ନାଥଙ୍କର ଅଚଳାଚଳ ସମ୍ପତ୍ତି। କିନ୍ତୁ ସରକାରଙ୍କର ଉଦାସୀନତା ଯୋଗୁଁ ଏବେ ୯୬ ଏକର ଜମି ଜବରଦଖଲକାରୀଙ୍କ କବଳରେ ରହିଛି। ଆଜି ବିଧାନସଭାରେ ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ ଅଣତାରକା ପ୍ରଶ୍ନରେ ୬ଟି ଜିଲ୍ଲାରେ ଜଗନ୍ନାଥଙ୍କ ଜମି ଜବରଦଖଲରେ ଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନା ସ୍ବୀକାର କରିଛନ୍ତି। ଜବରଦଖଲକାରୀଙ୍କ କବଳରୁ ଏସବୁ ସମ୍ପତ୍ତି ମୁକ୍ତ କରିବା ପାଇଁ ୩୮୬ଟି ମାମଲା କରାଯାଇଛି। ୬ଟି ରାଜ୍ୟରେ ଥିବା ୩୯୫ ଏକର ଜମି ଏବେ କେଉଁ ଅବସ୍ଥାରେ ଅଛି ତାର ସଠିକ୍ ତଥ୍ୟ ବି ମନ୍ତ୍ରୀ ଗୃହକୁ ଦେଇ ପାରିନାହାନ୍ତି। ଆଇନ ମନ୍ତ୍ରୀ ଶ୍ରୀ ଜେନା ଦର୍ଶାଇଛନ୍ତି, ସାବକ ବନ୍ଦୋବସ୍ତ ରେକର୍ଡକୁ ଆଧାର କରି ରାଜ୍ୟର ୨୪ଟି ଜିଲ୍ଲାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କର ୬୦, ୪୨୬.୯୪୩ ଏକର ଜମି ଚିହ୍ନଟ କରାଯାଇଛି। ସେଥିରୁ ୩୪,୨୦୬.୭୩୪ ଏକର ଜମିର ଚୂଡ଼ାନ୍ତ ସତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ମିଳିଛି। ବାକି ୨୬.୨୨୦.୨୦୯ ଏକର ଜମିର ମାଲିକାନା ଏବେ ବି ଶ୍ରୀଜୀଉଙ୍କ ଖାତାକୁ ଆସିବା ବାକି ଅଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଜଗନ୍ନାଥଙ୍କ ଜମି ଚିହ୍ନଟ ହୋଇଛି। ୨୯,୭୫୨.୯୦୭ ଏକର ଜମିରୁ ୧୪,୬୭୬.୬୯୦ ଏକର ଜମି ଜଗନ୍ନାଥଙ୍କ ନାମରେ ପଟ୍ଟା ମିଳିଥିବା ବେଳେ ବାକି ୧୫,୦୭୬.୨୧୭ ଏକର ଜମି ଏବେସୁଦ୍ଧା ଜଗନ୍ନାଥଙ୍କ ଖାତାକୁ ଆସିନାହିଁ। ଖୋଦ୍ ପୁରୀ ଜିଲ୍ଲାରେ ୧୭,୦୭୧.୨୧୨ ଏକରରୁ ୬୮୮୫.୯୩୬ ଏକର ଜମିର ଚୂଡ଼ାନ୍ତ ପଟ୍ଟା ମିଳିନାହିଁ। ୬ଟି ଜିଲ୍ଲାରେ ୯୬.୨୬୯ ଏକର ଜମି ଜବରଦଖଲକାରୀଙ୍କ କବଳରେ ରହିଛି। କଟକରେ ୦.୧୭୩ ଏକର, ପୁରୀରେ ୧୦.୫୪୯ ଏକର, ଭଦ୍ରକ ୨୧.୦୨୫ ଏକର, କେନ୍ଦ୍ରାପଡ଼ା ୦.୩୬୦ ଏକର, ଖୋର୍ଦ୍ଧା ୩୬.୪୧୨ ଏକର ଓ ବାଲେଶ୍ବରରେ ୨୭.୭୫୦ ଏକର ଜମି ବର୍ଷବର୍ଷ ଧରି ଜବରଦଖଲରେ ରହିଛି। ଏସବୁ ଜମିକୁ ଜବରଦଖଲରୁ ମୁକୁଳାଇବା ପାଇଁ ସରକାର କେବଳ ୩୮୬ଟି ମୋକଦ୍ଦମା କରିଛନ୍ତି।

ସୁରକ୍ଷିତ ଅଛି ଶ୍ରୀମନ୍ଦିର ରତ୍ନଭଣ୍ଡାର: ମନ୍ତ୍ରୀ
ଭୁବନେଶ୍ବର: ଏବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। ଶେଷଥର ପାଇଁ ୧୯୮୫ ମସିହା ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ତାରକା ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ଶେଷଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲିବା ସମୟରେ ୪୫୪ଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ, ୧୨ ହଜାର ୮୩୮ ଭରି ମୂଲ୍ୟବାନ୍ ପଥର, ୨୩୬ଟି ରୁପା ଅଳଙ୍କାର ସମେତ ଅନ୍ୟାନ୍ୟ ମୂଲ୍ୟବାନ୍ ପଥର ମହଜୁଦ ଅଛି। ସେଥିରୁ ୮ଟି ସୁନା ମୂର୍ତ୍ତି, ୬ଟି ରୁପା ବାସନ ଓ ମୂର୍ତ୍ତି ବିଭିନ୍ନ କାରଣରୁ ଓଜନ ହୋଇପାରି ନ ଥିବାରୁ ଏହାର ପରିମାଣ ଆକଳନ କରାଯାଇ ନାହିଁ। ୧୯୭୮ ମସିହା ମେ ୧୩ ତାରିଖରୁ ସେହିବର୍ଷ ଜୁଲାଇ ୨୩ ତାରିଖ ଭିତରେ ପ୍ରସ୍ତୁତ ହୋଇଥିବା ରତ୍ନ ଅଳଙ୍କାରର ତାଲିକା ଅନୁଯାୟୀ ସୁନା ଓ ରୁପା ସାମଗ୍ରୀ ସୁରକ୍ଷିତ ଥିବା ଆଇନ ମନ୍ତ୍ରୀ ଶ୍ରୀ ଜେନା ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ସାରା ଦେଶରେ ଜଗନ୍ନାଥ ମହାପ୍ରଭୁଙ୍କର କେତେ ପରିମାଣର ଜମି ଓ କେଉଁ ଅବସ୍ଥାରେ ଅଛି ବୋଲି ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆସନ୍ତା ଜାନୁଆରି ୮ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଆଇନ ମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ଏବେ ଦେଶର ୬ଟି ରାଜ୍ୟରେ ଶ୍ରୀଜୀଉଙ୍କର ମୋଟ୍ ୩୯୫.୨୫୨ ଏକର ଜମି ରହିଛି। ସେଥିରୁ ପଶ୍ଚିମବଙ୍ଗରେ ସର୍ବାଧିକ ୩୨୨.୯୩୦ ଏକର, ଆନ୍ଧ୍ରପ୍ରଦେଶରେ ୧୭.୦୨୦ ଏକର, ମହାରାଷ୍ଟ୍ରରେ ୨୮.୨୧୮ ଏକର, ମଧ୍ୟପ୍ରଦେଶରେ ୨୫.୧୧୦ ଏକର, ବିହାରରେ ୦.୨୭୪ ଏକର ଓ ଛତିଶଗଡ଼ରେ ୧.୭୦୦ ଏକର ଜମି ଚିହ୍ନଟ ହୋଇଛି। କିନ୍ତୁ ଏବେ ସେସବୁ ଜମି ଜବରଦଖଲରେ ଅଛି କି ଖାଲିପଡ଼ିଛି ସେ ନେଇ ମନ୍ତ୍ରୀ କିଛି ବି ଉତ୍ତରରେ ଉଲ୍ଲେଖ କରିନାହାନ୍ତି। ଅନ୍ୟପଟେ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଥିବା ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ୩୪୧.୩୦୮ ଏକର ଜମିକୁ ବିକ୍ରି କରାଯାଇଛି। ଏ ବାବଦରେ ମୋଟ୍ ୧୦ କୋଟି ୬୪ ଲକ୍ଷ ୯୦ ହଜାର ୫୭୭ ଟଙ୍କା ମିଳିଥିବା ଆଇନ ମନ୍ତ୍ରୀ ଶ୍ରୀ ଜେନା ଗୃହକୁ ଜଣାଇଛନ୍ତି।

By amfnews

Related Post