Tue. Mar 10th, 2026

ମାଟି ଅତଡ଼ା ଧସି ଦୁଇ ଜଣଙ୍କ ମୃତ୍ୟୁ ଘଟଣା

161 Views

କୋରାପୁଟ : ମାଟି ଅତଡା ଧସି ବନ୍ଧୁଗାଁରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ସୃଷ୍ଟି ହୋଇଛି ଜଟିଳ ପରିସ୍ଥିତି। ଏହି ଘଟଣାରେ ବନ୍ଧୁଗାଁ ବ୍ଲକର ଜଣେ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ଏପରିକି ତାଙ୍କୁ ଥାନାକୁ ନେଇ ପଚରାଉଚୁରା କରିଛି। ଅପରପକ୍ଷରେ ଏହାର ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କର୍ମଚାରୀମାନେ ଆଜିଠାରୁ କଲମଛାଡ ଆନ୍ଦୋଳନ ଚଳାଇଛନ୍ତି। ଜିଲ୍ଲା କନି‌ଷ୍ଠ ଯନ୍ତ୍ରୀ ସଂଘ ମଧ୍ୟ ଏହାକୁ ସମର୍ଥନ କରି ଆନ୍ଦୋଳନ କରିବାକୁ ଧମକ ଦେଇଛି।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସରପଲି ପଞ୍ଚାୟତ ମେକେଡା ଗ୍ରାମର ଗୋଟିଏ ଗୁମ୍ପାରେ ମାଟି ଅତଡା ଧସିବାରୁ ଗତ ବୁଧବାର କାନାଗାଁର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଆଉ ୪ ଜଣ ଲୋକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ବନ୍ଧୁଗାଁ ବ୍ଲକର ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକଙ୍କ ନାମରେ ଏତଲା ରୁଜୁ କରିଛି। ଏହି ଯନ୍ତ୍ରୀଙ୍କ ନାମରେ ଏହି କାମର କାର୍ଯ୍ୟାଦେଶ ରହିଥିଲା ବେଳେ ତାଙ୍କ ଅବହେଳାରୁ ଦୁର୍ଘଟଣା ହୋଇଥିବା ଅଭିଯୋଗ ହୋଇଥିଲା।

ଏହା ପ୍ରଚାର ହେବା ପରେ ଜିଲ୍ଲା ଡିପ୍ଲୋମା ଯନ୍ତ୍ରୀ ସଂଘ ତାତି ଯାଇଥିଲେ। ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଧମକ ଦେଇଥିବାବେଳେ ଜିଲ୍ଲାର କନିଷ୍ଠ ଯନ୍ତ୍ରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। ଫଳରେ ବନ୍ଧୁଗ‌ାଁ ବ୍ଲକ ସମେତ ସାରା ଜିଲ୍ଲାରେ ସରକାରୀ କାମ ବାଧାପ୍ରାପ୍ତ ହୋଇଛି।

ଏ ସମ୍ପର୍କରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ପଚାରିବାରୁ ସେ କହିଛନ୍ତି ଯେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ଘଟଣାର ଅନୁଧ୍ୟାନ କରିବା ପାଇଁ କୁହାଯାଇଛି। ଜିଲ୍ଲାର ଉନ୍ନୟନମୂଳକ କାମ ଯେପରି ବାଧାପ୍ରାପ୍ତ ହେବନାହିଁ ତାହା ଉପରେ ନଜର ରଖାଯାଇଛି।

By amfnews

Related Post