ରାଉରକେଲା : ଚଳିତ ମାସ ୬ ତାରିଖରୁ ଆରମ୍ଭ ହୋଇଥିବା ମହାରାଜା ଅଗ୍ରେସନ ଜୟନ୍ତୀ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି ।
ଏହି ଉଦ୍ଯାପନୀ ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଶ୍ରୀ ଲାଲ ଉଦ୍ବୋଧନପ ଦେଇ ହିଂସାମୁକ୍ତ ସମାଜ ଗଠନରେ ଅଗ୍ରେସନ ମହାରାଜ ବିଶ୍ୱାସ କରୁଥିଲେ ବୋଲି କହିଥିଲେ । ସମସ୍ତ ମଣିଷଙ୍କୁ ସମାନ ଅଧିକାର ପ୍ରଦାନ କରିବା ତାଙ୍କ ରାଜତ୍ୱର ଅନ୍ୟ ଏକ ବୈଶିଷ୍ଟ୍ୟ ଥିଲା ।
ସମସ୍ତଙ୍କୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ମୌଳିକ ପଦାର୍ଥର ଆବଶ୍ୟକତା ରହିଛି । ତେଣୁ ସମସ୍ତଙ୍କୁ ସମାନ ଅଧିକାର ମିଳିବା ଦରକାର । ନହେଲେ ସମାଜରେ ବୈଷମ୍ୟବାଦ ସୃଷ୍ଟି ହୋଇଥାଏ । ଅଧିକାର ହାସଲ ପାଇଁ ହିଂସାତ୍ମକ ବାତାରଣ ସୃଷ୍ଟି ହୋଇଥାଏ । ଏହି ପ୍ରସଙ୍ଗରେ ସେ ମହାଭାରତ ଯୁଦ୍ଧର ଅବତାରଣା କରିଥିଲେ । ପାଣ୍ଡବ ପାଞ୍ଚ ଭାଇ ମାତ୍ର ୫ଟି ଗ୍ରାମ ଦାବି କରିଥିଲେ । କିନ୍ତୁ ଅହଙ୍କାରୀ ଦୁର୍ଯ୍ୟୋଧନ ବିନା ଯୁଦ୍ଧରେ ଛୁଞ୍ଚି ପରିମାଣର ଜମି ଦେବେ ନାହିଁ ବୋଲି ଟାଣ କରିଥିଲେ ।
ତା’ପରେ ହିଁ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା ଓ ସମୂଳେ କୌରବ ପରିବାର ଧ୍ୱଂସ ହୋଇ ଯାଇଥିଲେ । ତେଣୁ ସେ ଭଳି ସମୟ ଆଉ ନଆସୁ । ଦେଶରେ ଏବଂ ସାରା ବିଶ୍ୱରେ ଶାନ୍ତିର ବାର୍ତ୍ତା ପ୍ରଚାରିତ ହେଉ ବୋଲି ସେ କହିଥିଲେ । ଅଗ୍ରେସନ ମହାରାଜା ସର୍ବଦା ଶାନ୍ତିକାମୀ, ପରମ ଦୟାଳୁ ଓ ପରୋପକାରୀ ଥିଲେ । ତେଣୁ ମହାରାଜାଙ୍କ ଅନୁଗାମୀ ହେବାକୁ ପ୍ରଫେସର ଲାଲ କହିଥିଲେ । ପ୍ରାରମ୍ଭରେ ସଂଗଠନର ଅଧ୍ୟକ୍ଷ ହରିଓମ୍ ବଂଶଲ ସ୍ୱାଗତ ଭାଷଣ ଦେବା ସହିତ ମହାରାଜା ଅଗ୍ରେସନ ସେବା ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ରଖିଥିଲେ ।
ବବଲୁ ଗୋଏଲ ଓ ରମେଶ ଅଗ୍ରୱାଲଙ୍କ ସମେତ ଅନ୍ୟମାନେ ଉଦ୍ବୋଧନ ଦେଇ ଜୟନ୍ତୀ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ କେଜ୍ରିୱାଲ, କେଦାର କେଡ଼ିଆ, ଦୌଲତ ଅଗ୍ରୱାଲ, ସୁଦର୍ଶନ ଗୋଏଲ ଓ ହର୍ଷ ଖେଦେଡ଼ିଆ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତ ପ୍ରଦର୍ଶନ କରିଥିବା ଆୟୁର୍ବେଦ ଚିକିତ୍ସକ ଡାକ୍ତର ବିଶ୍ୱଜିତ ଦାସ, ଦିଲ୍ଲୀ ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ଟପ୍ପର ଅରୁଣିମା ଠାକୁରଙ୍କ ସମେତ ଅନ୍ୟମାନଙ୍କୁ ମୁଖ୍ୟଅତିଥି ପ୍ରଫେସର ଲାଲ ସମ୍ବର୍ଦ୍ଧିତ କରିଥିଲେ । ପରେ ବିଭିନ୍ନ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।