ମୁମ୍ବାଇ, ସେପ୍ଟେମ୍ବର ୨୪ : ମହାରାଷ୍ଟ୍ରରେ ଗତ ସୋମବାର ଭୋର ସକାଳୁ ଭୁଶୁଡ଼ି ପଡ଼ିଥିବା ୩ ମହଲା କୋଠାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଥାଣେ ଜିଲ୍ଲାର ଭିୱଣ୍ଡିରେ ହୋଇଥିବା ଏହି କୋଠା ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ଏଥି ସହିତ ଆହୁରି କିଛି ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଘଟଣା ଦିନ ପାଖାପାଖି ୨୦ ଜଣ ଲୋକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୂଚନା ମିଳିବା ପରେ ଏନଡିଆରଏଫ ଟିମର ୨ଟି ଉଦ୍ଧାରକାରୀ ଟିମ ପହଂଚି ଉଦ୍ଧାର କାଯ୍ୟରେ ଲାଗିପଡ଼ିଥିଲେ ।
ଏନଡିଆରଏଫ ତରଫରୁ କୁହାଯାଇଛି ଯେ, କୋଠା ଭୁଡିବାରେ ୨୦ ଜଣ ଚାପି ହୋଇଯାଇଥିଲେ । ଏଥିରେ ୭ ଜଣ ଶିଶୁ ଥିଲେ । ଥଣେ ଠାରୁ ୧୦ କିଲୋମିଟର ଦୂରରେ ଥିବା ଏହି କୋଠାରେ ପ୍ରାୟ ୪୦ଟି ପରିବାର ରହୁଥିଲେ । ଏଥିରେ ମୋଟ ୧୫୦ ଜଣ ଲୋକ ଥିଲେ । କୋଠାର ମାଲିକ ସୟଦ ଅହମଦ ଜିଲାନୀଙ୍କ ନାଁରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି କୋଠା ଦୁର୍ବଳ ଅବସ୍ଥାରେ ଥିଲା । ସୋମବାର ଭୋର ସକାଳ ୩ଟା ୪୫ରେ ଏହି କୋଠା ଭୁଶୁଡ଼ିବା ପରେ ସ୍ଥାନୀୟ ଅଂଚଳରେ ଭୟ ସୃଷ୍ଟି ହୋଇଥିଲା । ମାଟି ତଳେ ଚାପି ହୋଇଯାଇଥିବା ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ଲୋକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ତେବେ ଉଦ୍ଧାର ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।