ମୁମ୍ବାଇ, ମେ ୦୭ : ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୧୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏହି ସମୟ ମଧ୍ୟରେ ୮୫୩ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସୁସ୍ଥତା ହାର ୮୫.୫୪ ପ୍ରତିଶତ ।
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ସ୍ଥିତି ଉଦ୍ବେଗଜନକ । ଦିନରେ ୩୦୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୯ ଜଣଙ୍କର ମୃତ୍ୟୁ ହୋଇଛି । ମାତ୍ର ଆଶ୍ୱସ୍ତିକର ଖବର ହେଲା ଯେ, ମୁମ୍ବାଇରେ ସୁସ୍ଥତା ହାର ୯୦ ପ୍ରତିଶତ । ମହାରାଷ୍ଟ୍ରର ମୁମ୍ବାଇ ସମେତ ପୁଣେ, ନାଗପୁର ଓ ଅନ୍ୟ ଜିଲ୍ଲା ଗୁଡ଼ିକରେ କରୋନା ଭାଇରସ ଲୋକଙ୍କର ଚିନ୍ତା ବଢ଼ାଇଛି । ଲକ୍ଡାଉନ୍, ସଟଡାଉନ୍ ଓ ବ୍ୟାପକ ଜନସଚେତନା ଅଭିଯାନ କରାଯାଉଥିଲେ ମଧ୍ୟ କରୋନା ନିୟନ୍ତ୍ରଣକୁ ଆସିପାରି ନାହିଁ ।
ବୁଧବାର ରାଜ୍ୟରେ ୯୨୦ ଜଣଙ୍କର ମୃତ୍ୟୁ ହୋଇଥିଲା । କରୋନା ସଂକଟ କାଳରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ, ନୂଆ ସଂକ୍ରମଣ ହ୍ରାସ ପାଇଥିଲେ ବି ଆତ୍ମସନ୍ତୁଷ୍ଟି ମିଳିନାହିଁ । ମୁଖ୍ୟମନ୍ତ୍ରୀ ତୃତୀୟ ଲହରକୁ ଦୃଷ୍ଟିରେ ରଖି ୩୦୦ ମେଟ୍ରିକ ଟନ୍ ଅକ୍ସିଜେନ ଉତ୍ପାଦନ ଲାଗି ପ୍ରସ୍ତୁତ ଚାଲିଛି ବୋଲି କହିଥିଲେ ।