Thu. Jan 9th, 2025

ମହାରାଷ୍ଟ୍ରରେ ଆଜି ଠାରୁ ୧୫ ଦିନ ପାଇଁ ରାତ୍ରିକାଳୀନ କର୍ଫ୍ୟୁ

By amfnews Dec 22, 2020 #Featured
181 Views

ମହାରାଷ୍ଟ୍ର ,ଡିସେମ୍ବର 22 : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ବ୍ରିଟେନ୍ ରେ ନୂଆ ରୁପରେ ସଂକ୍ରମଣରେ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ମଙ୍ଗଳବାର ଠାରୁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ୧୫ ଦିନ ପାଇଁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି କର୍ଫ୍ୟୁ ରାଜ୍ୟର ସମସ୍ତ ପ୍ରମୁଖ ସହରରେ ରାତି ୧୧ଟାରୁ ସକାଳ ୬ ପର୍ଯ୍ୟନ୍ତ ଲାଗୁ ହେବ । ଏହି ସମୟରେ ମେଡିକାଲ ଷ୍ଟୋର ଭଳି ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ସମସ୍ତ ଦୋକାନ ବନ୍ଦ ରହିବ । ରାତି ୧୧ଟା ପରେ ଲୋକଙ୍କୁ ଯାତାୟତ ପାଇଁ ଅନୁମତି ନେବାକୁ ପଡିବ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ରାତ୍ରିକାଳୀନ କର୍ଫ୍ୟୁ ସମ୍ପର୍କରେ ଘୋଷଣା କରିଛନ୍ତି ।

ମାତ୍ର ସେ ଗତ ରବିବାର କହିଥିଲେ, ତାଙ୍କ ସରକାର ରାତ୍ରିକାଳୀନ କର୍ଫ୍ୟୁ କିମ୍ବା ଆଉ ଏକ ଲକ୍‌ଡାଉନ୍ ସପକ୍ଷରେ ନାହାନ୍ତି । କେବଳ ସେତିକି ନୁହେଁ ମହାରାଷ୍ଟ୍ର ସରକାର ୟୁରୋପ ଓ ମଧ୍ୟପ୍ରାଚ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ଲାଗି କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ଲାଗୁ କରିଛନ୍ତି ।

ବିଦେଶରୁ ଆସୁଥିବା ଯାତ୍ରୀମାନେ ଆସି ଏୟାରପୋର୍ଟର ପହଂଚିବା ପରେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡିବ । ଏହି ଯାତ୍ରୀମାନଙ୍କୁ ଏୟାରପୋର୍ଟ ପହଂଚିବାର ପଞ୍ଚମ ଓ ସପ୍ତମ ଦିନରେ ଆର୍‌ଟି-ପିସିଆର ଟେଷ୍ଟ କରିବାକୁ ପଡିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

By amfnews

Related Post