Sun. Jan 12th, 2025

ମହାରଥୀଙ୍କ ବହିଷ୍କାର ଦାବି ଜୋର୍‌ ଧରିଲା : ନବୀନ ନିବାସ ଘେରାଉ କଲା ମହିଳା କଂଗ୍ରେସ

By amfnews Jan 4, 2019 #Featured
????????????????????????????????????
130 Views

ଭୁବନେଶ୍ବର : ପିପିଲି ପୀଡ଼ିତା ବେବିନା ଗଣ ଦୁର୍ଷ୍କମ ଓ ହତ୍ୟା ମାମଲାରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବି ଜୋର୍‌ ଧରିଛି। ନୂଆ ବର୍ଷର ପ୍ରଥମ ଦୁଇ ଦିନ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ କରି ପୁଲିସ୍‌କୁ ନାକେଦମ୍ କରିଥିଲା। ଆଜି ମହିଳା କଂଗ୍ରେସ ଏହି ପ୍ରସଙ୍ଗରେ ଜୋର୍‌ଦାର୍ ଆନ୍ଦୋଳନ ଆରମ୍ଭ କରିଛି। ମହିଳା କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନବୀନ ନିବାସ ଘେରାଉ କରାଯାଇଥିଲା। ତେବେ ବାଟରେ ପୁଲିସ୍ ଅଟକାଇବାରୁ ପୁଲିସ୍-ଆନ୍ଦୋଳନକାରୀ ମୁହାଁମୁହିଁ ହୋଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆଜି ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ମହିଳା କଂଗ୍ରେସର ଶତାଧିକ କର୍ମୀ କଂଗ୍ରେସ ଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ମୁହାଁ ହୋଇଥିଲେ। ଆନ୍ଦୋଳନକାରୀମାନେ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ। ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ତାଚ୍ଛଲ୍ୟ କରି ତାଙ୍କ ବହିଷ୍କାର ଦାବିରେ ଗର୍ଜିଥିଲେ। ପୂର୍ବରୁ ଶିଶୁଭବନ ଛକରେ ସଜାଗ ଥିବା ପୁଲିସ ବଳ ମହିଳା କର୍ମୀଙ୍କୁ ସେଠାରେ ଅଟକାଇଥିଲା। ଯାହାକୁ ନେଇ ପୁଲିସ ଓ ମହିଳା କର୍ମୀ ଧସ୍ତାଧସ୍ତି ହୋଇଥିଲେ। ଦୀର୍ଘ ୧ ଘଣ୍ଟା ଧରି ମହିଳା କ˚ଗ୍ରେସ କର୍ମକର୍ତ୍ତା ଓ ପୁଲିସ୍ ମଧ୍ୟରେ ଛକାପଞ୍ଝା ଚାଲିଲା। ଏପରିକି ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌କୁ ଲାଠି ଚାଳନା କରିବାକୁ ପଡ଼ିଲା। ଏହି ସମୟରେ ଜଣେ ନାରୀ ନେତ୍ରୀ ଦେବୀଦାସୀ ମହାନ୍ତି ଗୁରୁତର ହୋଇପଡ଼ିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା। ଲାଠି ଚାଳନା ସତ୍ତ୍ବେ ବି ଆନ୍ଦୋଳନକାରୀ ହଟି ନ ଥିଲେ। ରାସ୍ତା ଉପରେ ବସି ରହି ପ୍ରତିବାଦ ଜଣାଇଲେ। ଫଳରେ ଦେଢ଼ ଘଣ୍ଟା ଧରି ଶିଶୁଭବନ ଛକ ନିକଟରେ ଯାତାୟତ ଠପ୍ ହୋଇଯାଇଥିଲା। ପରେ ପୁଲିସ୍ ଆନ୍ଦୋଳନକାରୀଙ୍କୁ ଗିରଫ କଲା ପରେ ଯାତାୟତ ସ୍ବାଭାବିକ ହୋଇଥିଲା।

ଆନ୍ଦୋଳନକାରୀଙ୍କ ଉପରେ ପୁଲିସ୍‌ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ମହିଳା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରୀ ଶ୍ରୀ ମହାରଥୀଙ୍କୁ ବହିଷ୍କାର ନ କଲେ ସାରା ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି। ମହିଳା କଂଗ୍ରେସର ସଭାନେତ୍ରୀ ସୁମିତ୍ରା ଜୋନାଙ୍କ ନେତୃତ୍ବରେ ରାଜ୍ୟ ମହିଳା କ˚ଗ୍ରେସର କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ା, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ରଶ୍ମୀ ମହାପାତ୍ର, ଅଜୟନ୍ତୀ ପ୍ରଧାନ, ସରସ୍ବତୀ ହେମ୍ବ୍ରମଙ୍କ ସମେତ ମହିଳା କ˚ଗ୍ରେସର ସମସ୍ତ ଜିଲ୍ଲା ସଭାପତି ଓ ରାଜ୍ୟ କମିଟିର ସମସ୍ତ କର୍ମକର୍ତା ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଅପର ପକ୍ଷରେ ବିଜେପି ମହିଳା ମୋର୍ଚ୍ଚା ବି ଆଗକୁ ଆନ୍ଦୋଳନ ଚଳାଇ ରଖିବ ବୋଲି କହିଛି। ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ମହିଳାଙ୍କ ବିରୋଧରେ ମହାରଥୀ କ୍ରମାଗତ ଆଶୀଳନ ମନ୍ତବ୍ୟ ଦେଉଛନ୍ତି। ବେବିନା ଗଣଦୁଷ୍କର୍ମ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍ ଅଭିଯୁକ୍ତଙ୍କୁ ଖସାଇବାର ରାସ୍ତା କାଢ଼ିଛି। ତେଣୁ ତୁରନ୍ତ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଉ। ଯଦି ୧୦ ତାରିଖ ସୁଦ୍ଧା ଏ ନେଇ ସରକାର ନିଷ୍ପତ୍ତି ନ ନିଅନ୍ତି, ତେବେ ସେହିଦିନ ପୁଣି ଚୁଡ଼ି ନେଇ ମହିଳା ମୋର୍ଚ୍ଚା ନବୀନ ନିବାସ ଯିବ ବୋଲି ଶ୍ରୀମତୀ ପରିଡ଼ା ଚେତାବନୀ ଦେଇଛନ୍ତି।

By amfnews

Related Post