312 Views
ଭୁବନେଶ୍ୱର, ଅକ୍ଟୋବର ୧ : ମହିଳାଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିବା ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ମହାରଥୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଦାବି ଜୋର ଧରିଛି । ଏ ନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ବିଜେପି ମହିଳା ମୋର୍ଚ୍ଚା ଫେରାଦ ଦେବ ବୋଲି ସଭାନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
କୃଷି ମନ୍ତ୍ରୀ ଗୋଟିଏ ମହିଳାଙ୍କର ଦୁଇଟି ସ୍ୱାମୀ ଥିବା ଗଣମାଧ୍ୟମରେ କହିଥିଲେ । ଯାହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ବିକ୍ଷୋଭ କରିବା ପରେ ଏବେ ରାଜ୍ୟ ମୁଖିଆଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛି । ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ ଅବସରରେ ଅହିଂସା ଉପାୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବ ଦଳ । ପୂର୍ବାହ୍ନ ୧୧ ଘଟିକା ସମୟରେ ନବୀନ ନିବାସରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ମହାରଥୀଙ୍କ ଏଭଳି ଲଜ୍ଜାଜନକ ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରାଯିବା ନେଇ ସଭାନେତ୍ରୀ କହିଛନ୍ତି ।