Sat. Mar 7th, 2026

ମହାବଳୀପୁରମ୍‌ରେ ମୋଦୀ ଓ ଜି ବୈଠକ ପୂର୍ବରୁ ନିରାପତ୍ତା ନିମନ୍ତେ ଯୁଦ୍ଧ ପୋତ ମୁତୟନ କଲେ ନୌସେନା ଓ ତଟରକ୍ଷୀ

178 Views

ନୂଆଦିଲ୍ଲୀ  :  ଶୁକ୍ରବାର ଦିନ ମହାବଳୀପୁରମ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ବୈଠକ ପୂର୍ବରୁ ସମୁଦ୍ରପଟୁ କୌଣସି ବିବଦ୍‌କୁ ପ୍ରତିହତ କରିବା ନିମନ୍ତେ ବେଳାଭୂମୀ ଠାରୁ କିଛି ଦୂରରେ ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ଯୁଦ୍ଧପୋତ ମୁତୟନ କରିଛନ୍ତି।

ମୁତୟନ କରାଯାଇଥିବା ଯୁଦ୍ଧପୋତର ଫଟୋଗୁଡ଼ିକୁ ଏକ ଜାତୀୟ ସ୍ତରୀୟ ସମ୍ବାଦ ସରବରାହ ସଂସ୍ଥା ଟୁଇଟ୍‌ କରିଛି। ସୁରକ୍ଷା ନିମନ୍ତେ ସହର ମଧ୍ୟରେ ୫୦୦୦ ପୁଲିସ ମୁତୟନ କରାଯାଇଛି ଓ ୮୦୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି।

ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ଜିଙ୍କ ମଧ୍ୟରେ ଦ୍ୱିତୀୟ ଅନୌପଚାରିକ ବୈଠକ ଶୁକ୍ରବାର ଦିନ ବସିବା ପାଇଁ ଧାର୍ଯ୍ୟ କରାଯାଇଛି। ଏଥିନିମନ୍ତେ ଚୀନ୍‌ ରାଷ୍ଟ୍ରପତି ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆଜି ଅପରାହ୍ଣରେ ଚେନ୍ନାଇରେ ପହଞ୍ଚୁଛନ୍ତି। ସେଠାରୁ ସେ ଉପକୂଳବର୍ତ୍ତୀ ସହର ମହାବଳୀପୁରମକୁ ଯିବେ।

ସେଠାରେ ସେ ୟୁନେସ୍କୋ ବିଶ୍ୱ ଐତିହ୍ୟ ମାନ୍ୟତାପ୍ରାପ୍ତ ତିନି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରିବେ। ସେଗୁଡ଼ିକ ହେଉଛି ଅର୍ଜୁନଙ୍କ ତପସ୍ୟା, ପଞ୍ଚରଥ ଏବଂ ତଟ ମନ୍ଦିର। ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଇତିହାସ ଓ ସଂସ୍କୃତିର ଅନୁରାଗୀ ହୋଇଥିବାରୁ ମହାବଳୀପୁରମ୍‌ରେ ଏହି ବୈଠକ କରାଇବା ପାଇଁ ସ୍ଥିର ହୋଇଛି।

ଏହା ପରେ ମୋଦୀ ତାଙ୍କୁ ରାତ୍ରଭୋଜନରେ ଆପ୍ୟାୟନ କରିବେ।

By amfnews

Related Post