Sat. Mar 7th, 2026

ମହାପ୍ରଭୁଙ୍କ ଦର୍ଶନ କଲେ ଆତ୍ମସମର୍ପଣକାରୀ ନକ୍ସଲ

314 Views

ପୁରୀ : ମାଓ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ୍‌ ହୋଇଥିବା ୩୦ ଜଣ ଆତ୍ମସମର୍ପଣକାରୀ ନକ୍ସଲ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ହକି ଖେଳ ଦେଖିଥିବା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ସହଯୋଗରେ ଆଜି ଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ଶ୍ରୀମନ୍ଦିର ବୁଲିଥିଲେ।

ଆଜି ସକାଳେ ସେମାନେ ଏକ ସ୍ବତନ୍ତ୍ର ଗାଡ଼ିରେ ପ୍ରଥମେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଯାଇଥିଲେ। ସେଠାରେ ଦୁଇ ଘଣ୍ଟାରୁ ଅଧିକ ସମୟ ବିତାଇବା ପରେ ଅପରାହ୍ନ ପ୍ରାୟ ୨ଟାରେ ପୁରୀ ଶ୍ରୀମନ୍ଦିରଠାରେ ପହଞ୍ଚିଥିଲେ। ସିଂହଦ୍ବାରଠାରୁ ସେମାନଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥାରେ ଶ୍ରୀମନ୍ଦିର ନିଆଯାଇଥିଲା। ଏମାନେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବା ସହ ମା’ ବିମଳା, ମହାଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ନିକଟରେ ଦୀପଦାନ ବି କରିଥିଲେ। ପରେ ଆନନ୍ଦ ବଜାର ବୁଲି ମହାପ୍ରସାଦ ସେବନ କରିଥିଲେ। ଶ୍ରୀମନ୍ଦିରରୁ ଫେରିବା ପରେ ଯେଉଁମାନେ ମାଓ ସଂଗଠନରେ ସାମିଲ୍ ଅଛନ୍ତି, ସେମାନଙ୍କୁ ହିଂସାତ୍ମକ କାର୍ଯ୍ୟ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟସ୍ରୋତକୁ ଆସିବା ପରେ ଶ୍ରୀମନ୍ଦିର ଦର୍ଶନର ବ୍ୟବସ୍ଥା କରିଥିବାରୁ ସେମାନେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।

By amfnews

Related Post