ଶ୍ରୀଜିଉଙ୍କ ବସ୍ତ୍ର ନିଲାମ ହେବା ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ କହିଛନ୍ତି, କେବଳ ଦାନ ଆକାରରେ ମିଳୁଥିବା ଲୁଗାକୁ ନିଲାମ କରାଯିବ, ଶ୍ରୀଜିଉଙ୍କ ଅଙ୍ଗଲାଗି ଲୁଗା ନିଲାମ ହେବ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ କହିଛନ୍ତି, ଶ୍ରୀଜୀଉଙ୍କ ଅଙ୍ଗଲାଗି ବସ୍ତ୍ର ନିଲାମ କରିବାର କୈାଣସି ଯୋଜନା କରାଯାଇ ନାହିଁ । ଏହା ପୂର୍ବରୁ ନୀତି ପ୍ରଶାସକ ସୂଚନା ଦେଇଥିଲେ କି ମହାପ୍ରଭୁଙ୍କ ପିନ୍ଧା ଲୁଗା ବିକ୍ରି କରିବାକୁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ, ଏଥିପାଇଁ ନିଲାମ ଡକାଯିବ । ଏହାସହ ଦାନ ଆକାରରେ ମିଳୁଥିବା ବସ୍ତ୍ର ଓ ହୁଣ୍ଡିରୁ ମିଳୁଥିବା ବସ୍ତ୍ରକୁ ବି ଶ୍ରଦ୍ଧାଳୁଙ୍କୁ ଦିଆଯିବ । ବସ୍ତ୍ର ଗୁଡିକର ତାଲିକା ପ୍ରସ୍ତୁତ ସରିଛି । ଖୁବଶୀଘ୍ର ଏହାର ଦର ନିର୍ଦ୍ଧାରଣ କରାଯାଇ ନିଲାମ ଡକାଯିବ ।
ମାତ୍ର ଏବେ ନିଷ୍ପତ୍ତି ବଦଳିଛି, ମହାପ୍ରଭୁଙ୍କୁ ଲାଗି ହୋଇଥିବା ପୁରୁଣା ବସ୍ତ୍ର ନିଲାମ କରିବ ନାହିଁ ଶ୍ରୀମନ୍ଦିର ପ୍ରଶାସନ । କେବଳ ଦାନ ଆକାରରେ ହୁଣ୍ଡିରୁ ମିଳୁଥିବା ହଜାର ହଜାର ଲୁଗା, ଗାମୁଛା, ଧୋତି ଓ ପାଟକୁ ନିଲାମ କରାଯିବ । ସପ୍ତାହର ୭ ଦିନରେ ୭ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି ଶ୍ରୀଜିଉ । ପ୍ରାୟ ୩୨ ପ୍ରକାରର ଲୁଗା ଲାଗି ହୋଇଥାଏ ମହାପ୍ରଭୁଙ୍କ ପାଖରେ । ପ୍ରତ୍ୟେକ ଦିନ ବିଭିନ୍ନ ନୀତିରେ ଭିନ୍ନ ଭିନ୍ନ ବେଶ ହେବା ସହ ଅନେକ ରକମର ପାଟ ଲୁଗା ଲାଗି ହୋଇଥାଏ ମହାପ୍ରଭୁଙ୍କ ପାଖରେ । ପୂର୍ବରୁ ମହାପ୍ରଭୁଙ୍କ ରଥର ଅଂଶ ଓ ପତିତପାବନ ବାନା, ଶ୍ରଦ୍ଧାଳୁଙ୍କ ପାଇଁ ବିକ୍ରି କରାଯାଇଛି । ଏସବୁ କିଣିବାକୁ ଭକ୍ତଙ୍କ ମଧ୍ୟରେ ଉକ୍ରଣ୍ଠା ବି ଦେଖିବାକୁ ମିଳିଛି ।
387 Views