Sat. Mar 7th, 2026

ମହଙ୍ଗା ପଡ଼ିଲା ହଜାର ଟଙ୍କା ଲାଞ୍ଚ

206 Views

କେନ୍ଦ୍ରାପଡା, ନଭେମ୍ବର ୧୭ : କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜୁଡିସିଆଲ ସେକ୍ସନ ମୁଖ୍ୟ କିରାଣି ପରୀକ୍ଷିତ ଜେନା ଓ ଅବସରପ୍ରାପ୍ତ ପିଅନ ଅଲେଖ ବାରିକ ଆଜି ୧୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ମିଳିଥିବା‌ ସୂଚନା ଅନୁସାରେ, ସଦର ଥାନା ଅନ୍ତର୍ଗତ ଶ୍ରୁତିପୁରର ବାଲିଯାତ୍ରା କମିଟି ପକ୍ଷରୁ ସମ୍ପାଦକ ଚିନ୍ମୟ କୁମାର ରାଉତ ବାଲିଯାତ୍ରା ଉତ୍ସବ ପାଇଁ ଉପଜିଲ୍ଲାପାଳଙ୍କଠାରୁ ଅନୁମତି ପାଇଁ ଦରଖାସ୍ତ କରିଥିଲେ। ଏଥିପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୁଡିସିଆଲ ସେକ୍‌ସନର କିରାଣି ଶ୍ରୀ ଜେନା ୧ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ସେ ସ୍ଥାନୀୟ ଭିଜିଲାନ୍ସ ଡିଏସପିଙ୍କୁ ଜଣାଇବା ପରେ କଟକସ୍ଥିତ ଭିଜିଲାନ୍ସ ଅଧୀକ୍ଷକଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ପୂର୍ବ ଯୋଜନା ମୁତାବକ ଆଜି ଅପରାହ୍ନ ପ୍ରାୟ ଗୋଟାଏରେ ଦରଖାସ୍ତକାରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।

ସେଠାରେ କିରାଣି ଶ୍ରୀ ଜେନାଙ୍କ ନିର୍ଦେଶରେ ସେହି ସେକ୍‌ସନର ଅବସରପ୍ରାପ୍ତ ପିଅନ ଶ୍ରୀ ବାରିକ କାର୍ଯ୍ୟାଳୟ ପରିସରରେ ୧ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ ଟିମ ହାତରେ ଧରାପଡିଥିଲେ। ଭିଜିଲାନ୍ସ ଟିମ ଏହାପରେ କିରାଣି ଶ୍ରୀ ଜେନା ଓ ପିଅନ ଶ୍ରୀ ବାରିକଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

By amfnews

Related Post