Sun. Mar 8th, 2026

ମନ୍ତ୍ରୀ ପରିଷଦ ବୈଠକ: ଗାଁକୁ ଯାଇ ଜନସାଧାରଣଙ୍କ ସମସ୍ୟା ସହିତ ଜଡିତ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

144 Views

ଭୁବନେଶ୍ୱର: ଗାଁକୁ ଯାଇ ଜନସାଧାରଣଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ଏବଂ ସେଗୁଡିକ  ସମାଧାନ ଦିଗରେ ପଦକ୍ଷେପ ନେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ନବଗଠିତ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସଚିବାଳୟରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀମାନେ ରାଜ୍ୟସାରା ବ୍ୟାପକ ଗସ୍ତ କରନ୍ତୁ  ଏବଂ ଏହାଦ୍ୱାରା ସେମାନଙ୍କ ବିଭାଗର କାମ ବିଷୟରେ ତୃଣମୂଳ ସ୍ତରରୁ ଜାଣିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନିଜ ବିଭାଗର ବିଭିନ୍ନ ଅଫିସ ଏବଂ ଅନୁଷ୍ଠାନଗୁଡିକ ଅଚାନକ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇ ନବୀନ କହିଲେ ଯେ,ଏହାଦ୍ୱାରା ସରକାରୀ ସେବା ପ୍ରଦାନ ତ୍ୱରାନ୍ଵିତ ହେବ।

‘‘ଗସ୍ତ ସମୟରେ ଲୋକଙ୍କୁ ଭେଟନ୍ତୁ ଓ ଲୋକଙ୍କ ସମସ୍ୟା ବୁଝନ୍ତୁ। ସରକାରୀ ସେବା ବିଷୟରେ ହିତାଧିକାରୀଙ୍କଠାରୁ ସିଧାସଳଖ ପ୍ରତିକ୍ରିୟା ସଂଗ୍ରହ କରନ୍ତୁ’’ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପାଞ୍ଚୋଟି ‘ଟି’- ସ୍ୱଚ୍ଛତା (ଟ୍ରାନ୍ସପାରେନ୍ସି),ପ୍ରଯୁକ୍ତି ବିଦ୍ୟା(ଟେକ୍ନୋଲୋଜି),ଗୋଷ୍ଠୀ ଭାବେ କାର୍ଯ୍ୟକରିବା (ଟିମ୍‌ ଓ୍ଵାର୍କ),ଦ୍ରୁତ ପରିବର୍ତ୍ତନ (ଟ୍ରାନ୍ସଫର୍ମେସନ୍‌) ଓ ସମୟ (ଟାଇମ୍‌-  ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ  ମନ୍ତ୍ରୀମାନଙ୍କୁ ଏଥିପାଇଁ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।

ସ୍ୱଚ୍ଛତା ଏବଂ ଦକ୍ଷତା ପାଇଁ କଂପ୍ୟୁଟରୀକରଣ ଜରୁରୀ ବୋଲି ପ୍ରକାଶ କରି ନବୀନ ମନ୍ତ୍ରୀମାନଙ୍କୁ ସେମାନଙ୍କର ବିଭାଗର ଶତ ପ୍ରତିଶତ କାମ ଯେପରି ଓଡ଼ିଶା ସେକ୍ରେଟାରିଏଟ୍‌ ଓ୍ଵାର୍କଫ୍ଲୋ ଅଟୋମେସନ୍‌ ସିଷ୍ଟମ୍‌ (ଓସ୍‌ଓ୍ଵାସ୍‌) ଜରିଆରେ ହେବ,ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଗତ ମେ ୨୯ ତାରିଖ ଦିନ ନବୀନଙ୍କ ପଞ୍ଚମ ପାଳି ଆରମ୍ଭ ହୋଇଥିଲା ଏବଂ ସେହିଦିନ ତାଙ୍କର ନବଗଠିତ ମନ୍ତ୍ରୀ ମଣ୍ଡଳ ଶପଥ ନେଇଥିଲା। ଶପଥ ଗ୍ରହଣ ପରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡିକୁ ପାଳନ କରିବା ଉପରେ ପ୍ରାଥମିକତା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ପରେ ଜୁନ୍‌ ୪ ତାରିଖ ଦିନ ଗତ ମାସକ ମଧ୍ୟରେ ସଂପୃକ୍ତ ବିଭାଗଗୁଡ଼ିକ ନିର୍ବାଚନୀ ପ୍ରତିଶ୍ରୁତି ପାଳନ ପାଇଁ  କି କି ପଦକ୍ଷେପ ନେଇଛନ୍ତି, ତା’ର ରିପୋର୍ଟ ଜୁଲାଇ ୭ ତାରିଖ ସୁଦ୍ଧା ତାଙ୍କୁ ଦେବା ଲାଗି ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ମନ୍ତ୍ରୀମାନେ ଜୁଲାଇ ୭ ତାରିଖ ସୁଦ୍ଧା ସେମାନଙ୍କର ପ୍ରଥମ ମାସିକିଆ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟ ନେଇ ମୁଖ୍ୟମନ୍ତ୍ରୀ ଆଜି  ସନ୍ତୋଷ ପ୍ରକାଶ କରିବା ସଂଗେ ସଂଗେ ସେମାନଙ୍କୁ ଗାଁ କୁ ଯାଇ ଲୋକମାନଙ୍କ ସମସ୍ୟା ସହିତ ଜଡ଼ିତ ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବରୁ କାଳିଆ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଆପଦକାଳୀନ ପାଣ୍ଠିରୁ ୭୩୫ କୋଟି ଟଙ୍କା ଅଗ୍ରୀମ ଉଠାଯାଇଥିଲା। ଏହି ଟଙ୍କାକୁ ଆପଦକାଳୀନ ପାଣ୍ଠିକୁ ଫେରାଇ ଦେବାପାଇଁ ପ୍ରସ୍ତାବକୁ ଆଜି ମନ୍ତ୍ରୀ ପରିଷଦ ଅନୁମୋଦନ ଦେଇଥିବା ସୂଚନା ମିଳିଛି।

 

By amfnews

Related Post