Sat. Mar 7th, 2026

ମନ୍ତ୍ରୀ ଓ ସାଂସଦଙ୍କ ପାଇଁ କଠୋର ହେଲେ ମୋଦି, ଅନୁପସ୍ଥିତ ରହୁଥିବା ସଦସ୍ୟଙ୍କ ତାଲିକା ମାଗିଲେ

194 Views

ନୂଆଦିଲ୍ଲୀ  : ସଂସଦରେ ଅନୁପସ୍ଥିତ ରହୁଥିବା ସାଂସଦ ଓ ମନ୍ତ୍ରୀଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁ ମନ୍ତ୍ରୀମାନେ ସଂସଦ କାର୍ଯ୍ୟରେ ଅନୁପସ୍ଥିତ ରହୁଛନ୍ତି, ସେମାନଙ୍କ ତାଲିକା ପ୍ରତିଦିନ ଦେବାକୁ ଆଜି ମୋଦି ନିର୍ଦ୍ଦେଶ ଦେଇଛନ୍ତି।

ବିଜେପି ସଂସଦୀୟ ଦଳ ବୈଠକ ସମୟରେ ମୋଦି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, “ରୋଷ୍ଟର ଅନୁସାରେ ସବୁ ମନ୍ତ୍ରୀମାନଙ୍କୁ ଉଭୟ ରାଜ୍ୟସଭା ଓ ଲୋକସଭାରେ ଉପସ୍ଥିତ ରହିବାକୁ କୁହାଯାଇଛି।

ତଥାପି ଅନେକ ସମୟରେ କୌଣସି ବିତର୍କ କିମ୍ବା ବିରୋଧଙ୍କ ପ୍ରଶ୍ନ ସମୟରେ ମନ୍ତ୍ରୀମାନେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି। ତେଣୁ ଅନୁପସ୍ଥିତ ଥିବା ମନ୍ତ୍ରୀମାନଙ୍କ ତାଲିକା ପ୍ରତିଦିନ ସନ୍ଧ୍ୟାରେ ମୋତେ ଶ୍ରୀ ଯୋଶୀ ପ୍ରଦାନ କରିବେ। ” ଏଥିସହ ମୋଦି ଦଳର ସାଂସଦମାନଙ୍କୁ ସରକାରୀ ଅଧିକାରୀଙ୍କ ସହ ବସି ଲୋକଙ୍କ ସମସ୍ୟା କେମିତି ସମାଧାନ ହୋଇପାରିବ, ସେ ବିଷୟରେ ମଧ୍ୟ ଆଲୋଚନା କରିବାକୁ କହିଛନ୍ତି।

ମୋଦି କହିଛନ୍ତି, “ସାଂସଦମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟ କରିବା ଦରକାର। ସ୍ଥାନୀୟ ପ୍ରଶାସନ ସହ ମିଶି ଲୋକଙ୍କ ବିକାଶ କେମିତି ହୋଇପାରିବ, ସେ ଦିଗରେ ବିଚାରବିମର୍ଶ କରନ୍ତୁ। ସେହିପରି ସାମାଜିକ କାର୍ଯ୍ୟରେ ମଧ୍ୟ ଭାଗ ନିଅନ୍ତୁ।

ଏବେ ବିଭିନ୍ନ ରୋଗ ବ୍ୟାପୁଛି। ତେଣୁ ସାଂସଦମାନେ ଏହାର ମୁକାବିଲା ପାଇଁ ମିଶନ ମୋଡ୍‌ରେ କାର୍ଯ୍ୟ କରିବା ଉଚିତ। ଏଥର ଲୋକସଭାକୁ ଅନେକ ସାଂସଦ ନୂଆ କରି ଆସିଛନ୍ତି। ତେଣୁ ସଂସଦ କାର୍ଯ୍ୟରେ ସମସ୍ତେ ଭାଗ ନେବା ଉଚିତ।” ବାରମ୍ବାର ସାଂସଦ ଏବଂ ମନ୍ତ୍ରୀମାନେ ସଂସଦରେ ଅନୁପସ୍ଥିତ ରହୁଥିବାରୁ ମୋଦି ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

By amfnews

Related Post