Mon. Nov 25th, 2024

ମନୋହର ପାରିକରଙ୍କ ଅନ୍ତିମ ସଂସ୍କାର ଆଜି, ଯୋଗଦେବାକୁ ରାଜନାଥ ସିଂହ ଯିବେ ଗୋଆ

By amfnews Mar 18, 2019 #Featured
198 Views

ନୂଆଦିଲ୍ଲୀ, ମାର୍ଚ୍ଚ ୧୮ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସୋମବାର ଗୋଆ ଗସ୍ତ କରୁଛନ୍ତି । ପାରିକରଙ୍କ ଅନ୍ତିମ ସଂସ୍କାର ଆଜି ସନ୍ଧ୍ୟା ସାଢ଼େ ୫ଟାରେ ହେବ । ଗସ୍ତ ପୂର୍ବରୁ ରବିବାର ରାଜନାଥ ସିଂହ ଟୁଇଟ କରି ଲେଖିଛନ୍ତି, ପାରିକର ତାଙ୍କର ସାଧୁତା, ନୈତିକତା ଏବଂ ସହାନୁଭୂତିଶୀଳତା ଯୋଗୁଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଜଣେ ସର୍ଚ୍ଚୋଟ ନେତା ଭାବରେ ଦେଶ ଓ ଗୋଆ ପାଇଁ ସେବା ଦେଇଥିଲେ । ତାଙ୍କୁ ବିନମ୍ରତାର ସହିତ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ଭାବରେ କ୍ୟାରିୟର ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିବା ପାରିକରଙ୍କ ଛବି ସବୁବେଳେ ସ୍ୱଚ୍ଛ ଥିଲା । ସେ ସାଧାରଣ ଜୀବନଯାପନ ବିତାଉଥିଲେ । ସେଥିଲେ ସର୍ବସ୍ୱୀକାର୍ଯ୍ୟ ନେତା । କେବଳ ବିଜେପି ନୁହେଁ ବରଂ ଅନ୍ୟ ଦଳରେ ମଧ୍ୟରେ ତାଙ୍କର ସମ୍ମାନ ଥିଲା । ଗୋଆରେ ବିଜେପିକୁ ସମୃଦ୍ଧ କରିବାରେ ମନୋହର ପାରିକରଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ । ଗୋଆରେ ବିଜେପିର ସଂଗଠନକୁ ପାରିକର ମଜବୁତ କରିଥିଲେ ।

ମଧ୍ୟବିତ୍ତ ପରିବାରରେ ୧୯୫୫ ଡିସେମ୍ବର ୧୩ରେ ମନୋହର ପାରିକର ଜନ୍ମଗ୍ରହଣ କରିଥିଲେ । ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । ଏପରିକି ଆଇଆଇଟି ବମ୍ବେରୁ ସ୍ନାତକ ପାଠ ପଢ଼ି ବି ସଂଘ ସହିତ ଜଡ଼ିତ ଥିଲେ । ବର୍ଷ ୧୯୯୪ରେ ପାରିକର ସକ୍ରିୟ ରାଜନୀତିକୁ ଆସିଥିଲେ । ବିଜେପି ଟିକେଟରେ ପାଣାଜୀ ବିଧାନସଭା ଆସନରୁ ସେ ପ୍ରଥମ ଥର ବିଧାୟକ ହୋଇଥିଲେ । ସେହିଭଳି ୨୦୧୪ରୁ ୨୦୧୭ ଯାଏଁ ସେ ମୋଦୀ ସରକାରଙ୍କ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ ।

By amfnews

Related Post