Thu. Nov 28th, 2024

‘ମଧୁ ମୋ ସ୍ୱାମୀକୁ ଡାକି ମାରି ଦେଇଛି’

By amfnews Oct 7, 2019 #Featured
136 Views

ଜଗତସିଂପୁର : “ଅହମ୍ମଦାବାଦ ଯାଉଛି ବୋଲି କହି ଗତ ଶନିବାର ଘରୁ ବାହାରି ଯାଇଥିଲେ। ଏହାପରେ ଆଉ ତାଙ୍କ ଫୋନ୍‌ ଲାଗି ନ ଥିଲା। ତା’ପରେ ଗଣମାଧ୍ୟମରୁ ମିଳିଲା ତାଙ୍କ ମୃତ୍ୟୁ ଖବର। ମୋ ସ୍ୱାମୀକୁ ଡାକି ସେ ମାରି ଦେଇଛି। ତାକୁ ବି ପୋଡ଼ି ମାରି ଦେବା ଦରକାର। ମୋ ସ୍ୱାମୀ ଯେମିତି ଛଟପଟ ହୋଇ ମରିଛନ୍ତି, ତାକୁ ବି ସେମିତି  ଛଟପଟ କରି ମାରିବା ଦରକାର।”  କ୍ରୋଧ ଓ କୋହଭରା କଣ୍ଠରେ ଏ କଥା କହିଛନ୍ତି ନୟାଗଡ଼ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ କାଞ୍ଚନପୁର ଗାଁର କୃଷ୍ଣ ଚମ୍ପତ୍ତିରାୟଙ୍କ ପତ୍ନୀ। ମଧୁ ନାମ୍ନୀ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଡାକି ମାରି ଦେଇଥିବା ସେ ଅଭିଯୋଗ କରିଛନ୍ତି। କୃଷ୍ଣଙ୍କ ସମ୍ପର୍କୀୟମାନେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି।

ଶନିବାର ବିଳମ୍ବିତ ରାତିରେ ଜଗତସିଂପୁର ଜିଲ୍ଲା ବାଲିକୁଦା ଦାଆ ଗାଁରେ କୃଷ୍ଣଙ୍କୁ ଜୀଅନ୍ତା ଜାଳି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଗଣମାଧ୍ୟମରେ ଏ ଖବର ପ୍ରସାରିତ ହେବା ପରେ ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ମୃତକଙ୍କ ପରିଚୟ ଜଣା ପଡ଼ି ନ ଥିଲା। ପରେ ସେ ନୟାଗଡ଼ ଜିଲ୍ଲା ନନ୍ଦପୁର ଥାନା କାଞ୍ଚନପୁର ଗାଁର କୃଷ୍ଣ ଚମ୍ପତ୍ତିରାୟ ବୋଲି ଚିହ୍ନଟ ହୋଇଥିଲେ। ଏହି ଖବର  ପାଇବା ପରେ ଆଜି ସକାଳେ କୃଷ୍ଣଙ୍କ ସ୍ତ୍ରୀ ଓ ଛୋଟ ଝିଅ ସମେତ ପରିବାର ଲୋକେ ଜଗତସିଂହପୁରରେ ପହଞ୍ଚିଛନ୍ତି। ମଧୁ ଷଡ଼ଯନ୍ତ୍ର କରି କୃଷ୍ଣଙ୍କୁ ମାରିଥିବା ସେମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ କୃଷ୍ଣଙ୍କ ପରିବାର ସହିତ ଏଠାକୁ ଆସିଥିବା ଜଣେ ପଡ଼ୋଶୀ କହିଛନ୍ତି, ମଧୁ ଓ କୃଷ୍ଣ ଫୋନ୍‌ରେ କଥାବାର୍ତ୍ତା ହୁଅନ୍ତି। ମଧୁ ସହିତ ଫୋନ୍‌ରେ କଥା ହେବା ବେଳେ ଥରେ କୃଷ୍ଣଙ୍କୁ ତାଙ୍କ ସ୍ତ୍ରୀ ଧରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଏପରିକି ଏଥିପାଇଁ ସେମାନଙ୍କ ଦାମ୍ପତ୍ୟ ଜୀବନରା ସର୍ବଦା କଳିଝଗଡ଼ା ଲାଗି ରହୁଥିଲା।

ସେହିପରି ମଧୁ ଓ କୃଷ୍ଣ ଏକାଠି ବୁଲାବୁଲି କରିବା ସହ ଫଟୋ ଉଠାଇଥିବା କୃଷ୍ଣଙ୍କ ସ୍ତ୍ରୀ ପୁଲିସ୍ ଆଗରେ କହିଛନ୍ତି। ତେଣୁ ଏହି ଘଟଣାରେ ମଧୁ ନାମ୍ନୀ ମହିଳାଙ୍କ ସମ୍ପୃକ୍ତି ନେଇ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

By amfnews

Related Post