Sat. Mar 7th, 2026

ମଦ ନିଷେଧାଜ୍ଞାକୁ ବିରୋଧ କରି ମଧ୍ୟପ୍ରଦେଶ ମନ୍ତ୍ରୀ କହିଲେ: ଚିକିତ୍ସା ନିମନ୍ତେ କେତେକ ଲୋକ ମଦ ପିଉଛନ୍ତି

180 Views

ଭୋପାଳ: କେହି କାହାକୁ ବାଧ୍ୟ କରି ମଦ ପିଆଉ ନ ଥିବାରୁ ମଦକୁ ନିଷିଦ୍ଧ କରାଯିବା ଅନୁଚିତ ବୋଲି ଶୁକ୍ରବାର ଦିନ ମଧ୍ୟପ୍ରଦେଶର ମନ୍ତ୍ରୀ ଗୋପାଳ ସିଂହ କହିଛନ୍ତି। ସେ କହିଛନ୍ତି: ଗଣତନ୍ତ୍ରରେ ମଣିଷ ସ୍ୱାଧୀନ ହୋଇଥିବାରୁ ଯାହା ଇଚ୍ଛା ତାହା ଖାଇପିଇ ପାରିବ। ମଦ୍ୟପାନ ଉପରେ ଆମେ ନିଷେଧାଜ୍ଞା ଜାରି କରି ପାରିବା ନାହିଁ।

ଜଣେ ବନ୍ଧୁଙ୍କ କଥା ଉଲ୍ଲେଖ କରି ଗୋପାଳ ସିଂହ କହିଲେ: ଗୋଟାଏ ପେଗ୍‌ ନ ପିଇଲା ଯାଏଁ ଆମେ ସୁସ୍ଥ ଅନୁଭବ କରନ୍ତି ନାହିଁ। ଟିକେ ନ ପିଇଲେ ରାତି ସାରା ଅସ୍ଥିର ଲାଗେ। ତେଣୁ ଦିନ ସାରା ସମସ୍ୟା ଦେଖାଦିଏ। ସେ (ତାଙ୍କ ସାଙ୍ଗ) ରାତିରେ ଗୋଟାଏ ପେଗ୍‌ ପିଏ, ନିଘୋଡ଼ ନିଦରେ ଶୁଏ ଓ ଦିନ ତମାମ ଫୂର୍ତ୍ତି ରହେ।

ଅସୁସ୍ଥତା ନିମନ୍ତେ କେତେକ ମଦ ଆବଶ୍ୟକ କରନ୍ତି। ସ୍ୱାସ୍ଥ୍ୟ ବଜାୟ ରଖିବାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୋଟାଏ ପେଗ୍‌ ପିଉଥିବା କଥା କେତେକ କହୁଛନ୍ତି। ଆମେ କାହାରି ଖାଇବା ପିଇବା କଥାରେ ନିଷେଧାଜ୍ଞା ଜାରି କରିବା ସପକ୍ଷରେ ନୋହୁଁ।

ନିକଟରେ କମଳନାଥଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ନଗର ଓ ଗ୍ରାମାଞ୍ଚଳରେ ମଦ ଦୋକାନ ଖୋଲିବାକୁ ଠିକାଦାରମାନଙ୍କୁ ଅନୁମତି ଦେଇଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରାଜ୍ୟର ରାଜସ୍ୱ ବଢ଼ାଇବା ନିମନ୍ତେ ଏ ଭଳି ପଦକ୍ଷେପ ନିଆଯାଇଥିବା କଥା କେତେକ ସରକାରୀ କର୍ମଚାରି କୁଆଡ଼େ କହିଛନ୍ତି ବୋଲି ଶୁଣିବାକୁ ମିଳୁଛି।

କିନ୍ତୁ, ଗୋପାଳ ସିଂହ କହନ୍ତି କି, ବେଆଇନ ବା ମଦ ଚୋରା କାରବାର ବନ୍ଦ କରିବାକୁ କମଳନାଥ ସରକାର ଏ ଭଳି ପଦକ୍ଷେପ ନେଇଛନ୍ତି।
ବିଜେପି କମଳନାଥ ସରକାରଙ୍କର ଏ ଭଳି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିବା ସହ ସମାଲୋଚନା କରିଛି।

By amfnews

Related Post