Sun. Mar 8th, 2026

ମଝି ଆକାଶରେ ଇଞ୍ଜିନ୍‌ ଅଚଳ : ଚେନ୍ନାଇ ଫେରିଆସିଲା ଇଣ୍ଡିଗୋ ବିମାନ

211 Views

ମୁମ୍ବାଇ , ଜାନୁଆରୀ ୬ : ମଝି ଆକାଶରେ ଇଞ୍ଜିନ୍‌ ଅଚଳ ହୋଇପଡ଼ିବା ଯୋଗୁ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ପୁଣି ଚେନ୍ନାଇ ଫେରିଆସିଛି। ଏହାକୁ ନେଇ ଯାତ୍ରୀ ମହଲରେ କ୍ଷୋଭପ୍ରକାଶ ପାଇଛି। ଏକ ସୂତ୍ରରୁ ଜଣାପଡ଼ିଛି ଯେ ଇଣ୍ଡିଗୋ ଏୟାରବସ୍‌ ଏ୩୨୦ନିଓ ବିମାନ ଗତ ଗୁରୁବାର ଚେନ୍ନାଇରୁ କୋଲ୍‌କାତା ଯାଉଥିଲା। କିନ୍ତୁ କିଛି ବାଟ ଉଡ଼ାଣ କରିବା ପରେ ଗୋଟିଏ ଇଞ୍ଜିନ୍‌ ହଠାତ୍‌ ଅକାମୀ ହୋଇଯାଇଥିଲା। ବିମାନ ମଧ୍ୟରେ ପ୍ରଚଣ୍ଡ ଶବ୍ଦ ହେବା ପରେ ଏହା ଥରିବାକୁ ଲାଗିଥିଲା। ଫଳରେ ଯାତ୍ରୀଙ୍କ ମଧ୍ୟରେ ଆଶଙ୍କା ଖେଳିଯାଇଥିଲା।

ସଙ୍ଗେ ସଙ୍ଗେ ପାଇଲଟ୍‌ ବିମାନବନ୍ଦର ସହ ଯୋଗାଯୋଗ କରି ଚେନ୍ନାଇ ଫେରିଆସିଥିଲେ। ଗୁରୁବାରଠାରୁ ବିମାନଟି ଚେନ୍ନାଇ ବିମାନବନ୍ଦରରେ ପଡ଼ିରହିଛି। ବେସାମରିକ ବିମାନ ଚଳାଚଳ ସଚିବ ଆର୍ ଏନ୍‌ ଚୌବେ କହିଛନ୍ତି, ଇଣ୍ଡିଗୋ ବିମାନରେ ଦେଖାଦେଇଥିବା ବୈଷୟିକ ତ୍ରୁଟିକୁ ମନ୍ତ୍ରାଳୟ ଗୁରୁତ୍ବର ସହ ନେଇଛି। ଆସନ୍ତା ମଙ୍ଗଳବାର ବିମାନର ସମସ୍ତ ଯାନ୍ତ୍ରିକ ବ୍ୟବସ୍ଥାକୁ ଭଲ ଭାବେ ଯାଞ୍ଚ କରାଯିବ। ଏହି ବିମାନରେ ଏକାଧିକ ତ୍ରୁଟି ଦେଖାଦେଇଥିବା ଜଣାପଡ଼ିଛି। କମ୍ପାନିର ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଚେନ୍ନାଇରୁ କୋଲ୍‌କାତା ଯାଉଥିବା ଇଣ୍ଡିଗୋ ଏୟାରବସ୍‌ ଏ୩୨୦ନିଓ କେବଳ ପ୍ରଚଣ୍ଡ ଶବ୍ଦ କରିନଥିଲା। ଏଥିରୁ ଧୂଆଁ ବାହାରିବା ସହ ଏହା ଦୋହଲିବାରେ ଲାଗିଥିଲା। ଏମିତି କି ଇଞ୍ଜିନ୍‌ ମଧ୍ୟ ପ୍ରଭାବିତ ହୋଇଥିଲା। ପାଇଲଟ୍‌ ଜଣକ ଉପସ୍ଥିତି ବୁଦ୍ଧି ଖଟାଇ ବିମାନଟିକୁ ନେଇ ପୁଣି ଚେନ୍ନାଇ ଫେରିଆସିଥିଲେ।

By amfnews

Related Post