Sun. Mar 8th, 2026

ମଙ୍ଗଳା ମୁହାଣରେ ହେବ ଗାର୍ଡୱାଲ୍

????????????????????????????????????
267 Views

ପୁରୀ : ପ୍ରତିବର୍ଷ ମଙ୍ଗଳା ନଦୀର ମୁହାଣ ଗତିପଥ ବଦଳୁଥିବାରୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ ହୋଇଛି। ପ୍ରାୟ ଅଧ କିଲୋମିଟରର ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ନକ୍ସା ତିଆରି ହୋଇଛି। କେନ୍ଦ୍ର ସରକାରଙ୍କ ଆଇସିଜେଡଏମପି (ସମନ୍ବିତ ଉପକୂଳ ଜୋନ୍ ପରିଚାଳନା ପ୍ରକଳ୍ପ) ଯୋଜନାରେ ଏହି ସୁରକ୍ଷା ପ୍ରାଚୀର ନିର୍ମାଣ ହେଉଥିବାବେଳେ ଏ ବାବଦକୁ ୮.୨୩ କୋଟି ଟଙ୍କାର ଡିପିଆର୍‌ (ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ ହୋଇଛି। ଏହି ଡିପିଆରକୁ ଅନୁମୋଦନ ବି ମିଳିସାରିଛି। ସେପ୍ଟେମ୍ବରରେ ଟେଣ୍ଡର ପରେ ଖୁବଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ହୋଟେଲ ଷ୍ଟର୍ଲିନ୍ ପଛପାଖରେ ମଙ୍ଗଳା ନଦୀ ସମୁଦ୍ରରେ ମିଶିଛି। କିନ୍ତୁ ଅଧିକାଂଶ ସମୟରେ ମଙ୍ଗଳା ନଦୀର ପ୍ରାକୃତିକ ମୁହାଣ ଅବରୋଧ ହେଉଥିବାରୁ ସମୁଦ୍ର ଓ ନଦୀର ଜଳରାଶି ଆହୁରି ଅନେକ ମୁହାଣ ସୃଷ୍ଟି କରି ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଚଳିତ ବର୍ଷ ବି ସମୁଦ୍ରର ଅଶାନ୍ତ ଜଳରାଶି ସହ ମିଶି ମଙ୍ଗଳା ନଦୀ ପୁନର୍ବାର ଏକ ନୂଆ ମୁହାଣ ସୃଷ୍ଟି କରି ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସିଛି। ଯାହା ପୁରୀ ସହରବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। କୌଣସି ସମୟରେ ମଙ୍ଗଳା ନଦୀ ଓ ସମୁଦ୍ରର ଉଚ୍ଛୁଳା ଜଳରାଶି ଯଦି କୂଳ ଲଙ୍ଘି ପୁରୀ ସହରରେ ପଶିଲା ତେବେ ଅନେକ ଧନଜୀବନ କ୍ଷୟକ୍ଷତି ହେବ। ଏହି ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଆଇସିଜେଡଏମପିରେ ଯୋଜନା ପ୍ରସ୍ତୁତ ହୋଇଛି। ଏ ସଂପର୍କରେ ପୁରୀ ଜଳସେଚନ ନିର୍ବାହୀ ଅଧିକାରୀ କହିଛନ୍ତି, ନିକଟରେ ଆଇସିଜେଏମର ଅଧିକାରୀମାନେ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଏଠାରେ ସୁରକ୍ଷା ପ୍ରାଚୀର ନିର୍ମାଣ ଯୋଜନା ପ୍ରସ୍ତୁତ ହୋଇଛି। ହୋଟେଲ ଷ୍ଟର୍ଲିନ୍ ପଛ ପଟେ ମଙ୍ଗଳା ନଦୀର ଦୁଇ ପାର୍ଶ୍ବରେ ସୁରକ୍ଷା ପ୍ରାଚୀର (ଗାର୍ଡ଼ୱାଲ୍) ନିର୍ମାଣ ହେବ। ପଥରରେ ସ୍ଥାୟୀ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ‌ ଯୋଜନା ପ୍ରସ୍ତୁତ ହୋଇସାରିଛି। ଏ ନେଇ ଖର୍ଚ୍ଚ ଅଟକଳ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଜଳସେଚନ ବିଭାଗକୁ ଆଇସିଜେଏମର ଅଧିକାରୀମାନେ କହିଥିଲେ। ସେହି ଅନୁଯାୟୀ ୮ କୋଟି ୨୩ ଲକ୍ଷ ଟଙ୍କାର ଏକ ଡିପିଆର୍‌ ପ୍ରସ୍ତୁତ ହୋଇ ସଂପୃକ୍ତ ବିଭାଗକୁ ଦିଆଯାଇଛି।

ଡିପିଆର ଅନୁଯାୟୀ, ଷ୍ଟର୍ଲିନ୍ ପଛପାଖକୁ ଲାଗି ମଙ୍ଗଳା ନଦୀର ଦୁଇ ପାର୍ଶ୍ବରେ ସୁରକ୍ଷା ପ୍ରାଚୀର ନିର୍ମାଣ ହେବ। ଷ୍ଟର୍ଲିନ୍ ହୋଟେଲ ପଛପାଖକୁ ଲାଗି ରହିଥିବା କୂଳରେ ୩୨୫ ମିଟର ଏବଂ ନଦୀର ଅପରପାର୍ଶ୍ବରେ ୨୭୫ ମିଟରର ସୁରକ୍ଷା ପ୍ରାଚୀର ତିଆରି ହେବ। ସେପ୍ଟେମ୍ବରରେ ଟେଣ୍ଡର ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। କେବଳ ସୁରକ୍ଷା ପ୍ରାଚୀର ନୁହେଁ, ଷ୍ଟର୍ଲିନ୍ କଡ଼ ବେଳାଭୂମିରେ ଯେଉଁ ଖାଲଖମା ସୃଷ୍ଟି ହୋଇଛି ତାକୁ ପୋତିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଯେହେତୁ ପ୍ରତିବର୍ଷ ବର୍ଷା ସମୟରେ ଏହି ସ୍ଥାନରୁ ବାଲି ଧୋଇଯାଇ ଅସୁରକ୍ଷିତ ଅବସ୍ଥା ସୃଷ୍ଟି କରେ ସେ ଦୃଷ୍ଟିରୁ ବର୍ଷା ଦିନରେ ଏହି ସ୍ଥାନକୁ ଖୋଳି ବାଲି ପୋତିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଅସ୍ଥାୟୀ ଭାବେ ନାଳି ମିଶା ବାଲି ଏଠାରେ ପୋତାଯିବ। ପ୍ରତିବର୍ଷ ବାଲି ପୋତିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

By amfnews

Related Post