Sat. Nov 23rd, 2024

ଭୁଷୁଡ଼ିଲା ୪୦ ବର୍ଷର ପାଣି ଟାଙ୍କି, ୱେସ୍କୋ କାର୍ଯ୍ୟାଳୟ ଛାର୍ଖାର

By amfnews Aug 28, 2018 #Featured
157 Views

ରାଉରକେଲା, ୨୮ା୮ : ରାଉରକେଲା ସିଭିଲ୍ ଟାଉନ୍ସିପ୍ରେ ଥିବା ୪୦ ବର୍ଷରୁ ଊଦ୍ଧ୍ୱର୍ ବର୍ଷର ଏକ ପୁରାତନ ପାଣି ଟାଙ୍କି ଭୁଷୁଡି ପଡିଛି । ଏହି ଟାଙ୍କି ୯ ଲକ୍ଷ ଲିଟରର ପାଣି ଧରିରଖିବା କ୍ଷମତା ରଖେ । ଟାଙ୍କି ନିକଟରେ ଥିବା ୱେସ୍କୋ ବିଦ୍ୟୁତ୍ ବିଭାଗ ଫିଉଜକଲ କାର୍ଯ୍ୟାଳୟ ଭାଙ୍ଗି ଛାର୍ଖାର୍ ହୋଇଯାଇଛି । ଟାଙ୍କି ନିକଟରେ ଚାଲିଥିବା ଭୂତଳ ଜଳ ସଂଯୋଗ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ଅଳ୍ପକେ ମୁତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଏହି ଟାଙ୍କି ଭୁଷୁଡି ପଡିବାରୁ ସମ୍ପୃକ୍ତ ଅଞ୍ଚଳରେ ପାନୀୟ ଯୋଗାଣରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ପାଣି ଟାଙ୍କି ନିକଟରେ ଥିବା କେତେକ ସାଇକେଲ୍ ଓ ବାଇକ୍ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ପ୍ରକୃତ କ୍ଷୟକ୍ଷତି ସମ୍ପର୍କରେ ସଠିକ୍ ଆକଳନ ପାଇଁ ଉଦ୍ୟମ ଚାଲିଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପାଣି ଟାଙ୍କି ନିର୍ମାଣ କରାଯାଇଥିବା ବେଳେ ପ୍ରଶାସନିକ ଅବହେଳାରୁ ହିଁ ଏଭଳି ଅଘଟଣା ଘଟିଲା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ଟାଙ୍କି କାହିଁକି ଭୁଶୁଡ଼ିଲା ତା’ର ପ୍ରକୃତ କାରଣ ଅସ୍ପଷ୍ଟ । ସିଭିଲ୍ ଟାଉନ୍ସିପ୍ ଅଞ୍ଚଳର ପ୍ରାୟ ୩୦ରୁ ୩୫ ହଜାର ଲୋକ ଏହି ଟାଙ୍କି ଦ୍ୱାରା ଉପକୃତ ହେଉଥିଲେ ।

ଜଳ ଯୋଗାଣ ବିଭାଗର ଉଦାସୀନତା କାରଣରୁ ରାଉରକେଲାରେ ଏଭଳି ପ୍ରଥମ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏନେଇ ବିଭାଗୀୟ ଯନ୍ତ୍ରୀ ଇଂ ଅନୁପ ପଟେଲ କହିଛନ୍ତି ଯେ, ପାଣି ଟାଙ୍କି ୧୯୭୫ ମସିହାରେ ନିର୍ମିତ ହୋଇଥିଲା । ଏହା ଭୁଷୁଡିବା ଦୁର୍ଭାଗ୍ୟଜନକ । ତେବେ ଟାଙ୍କିରେ ଥିବା ପାଣି ଲୋକମାନଙ୍କୁ ଯୋଗାଇ ଦିଆଯାଇଥିଲା । ତେଣୁ ସୌଭାଗ୍ୟକୁ ବିଶେଷ କ୍ଷୟକ୍ଷତି ହୋଇନାହିଁ । ସମ୍ପୃକ୍ତ ଅଞ୍ଚଳରେ ଥିବା ଅନ୍ୟ ପାଣି ଟାଙ୍କିରୁ ଲୋକଙ୍କ ଜଳ ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ପଟେଲ୍ ସୂଚନା ଦେଇଛନ୍ତି ।

By amfnews

Related Post