Fri. Dec 27th, 2024

ଭୁବନେଶ୍ୱର-ଅହମଦାବାଦ ମଧ୍ୟରେ ଉଡିବ ବିମାନ

By amfnews Aug 31, 2018 #Featured
259 Views

ଭୁବନେଶ୍ୱର: ଭାୟା ମିଡିଆ ନୁହେଁ, ଏଣିକି ସିଧାସଳଖ ଭୁବନେଶ୍ୱରରୁ ଉଡ଼ାଣ ଭରି ଅହମଦାବାଦରେ ପହଞ୍ଚିବ ବିମାନ। ପ୍ରତିଦିନ ସକାଳ ୧୧ଟା ୫୦ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୨ଟା ୧୦ରେ ଅହମ୍ମଦାବାଦରେ ପହଞ୍ଚିବ।

ସେହିପରି ଅହମଦାବାଦରୁ ସକାଳ ୮ଟା ୫୫ ମିନିଟ୍‌ରେ ବାହାରି ସକାଳ ୧୧ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ। କେବଳ ଏହି ଗୋଟିଏ ବିମାନ ଉଡ଼ାଣ ନୁହେଁ, ଏୟାରପୋର୍ଟସ୍‌ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଘୋଷଣା ହୋଇଛି ୱିଣ୍ଟର ସିଡ୍ୟୁଲ୍‌ ପ୍ଲାନ୍। ନୂଆ ପ୍ଲାନ୍ ଅନୁଯାୟୀ ଭୁବନେଶ୍ୱରରୁ ବିମାନ ଉଡ଼ାଣ ସଂଖ୍ୟା ୬୮ରେ ପହଞ୍ଚିବ।

ବର୍ତ୍ତମାନ ସମୟରେ ଭୁବନେଶ୍ୱରରୁ ପ୍ରତିଦିନ ୪୨ଟି ବିମାନ ଉଡ଼ାଣ ହେଉଛି। ନୂଆ ପ୍ଲାନ୍‌ରେ ଭୁବନେଶ୍ୱରରୁ କୋଏମ୍ବାଟୁର୍‌କୁ ମଧ୍ୟ ବିମାନସେବା ଆରମ୍ଭ ହେବ। ଉଡ଼ାଣ ଯୋଜନାରେ ଭୁବନେଶ୍ୱରରୁ ରାୟପୁର, ରାଉରକେଲା ଓ ଝାରସୁଗୁଡ଼ାକୁ ବିମାନ ସେବା ଆରମ୍ଭ ହେବ। ନୂଆ ପ୍ଲାନ୍ ଅନୁଯାୟୀ ପ୍ରତିଦିନ ନୂଆଦିଲ୍ଲୀକୁ ୧୨ଟି, କୋଲ୍‌କାତାକୁ ୧୭, ବେଙ୍ଗାଲୁରୁକୁ ୧୫, ହାଇଦ୍ରାବାଦ୍, ମୁମ୍ବାଇ ଚେନ୍ନାଇକୁ ୫ଟି ଲେଖାଏଁ, ଅହମଦାବାଦ ଓ ରାୟପୁରକୁ ଦୁଇଟି ତଥା ଭାଇଜାଗ୍, କୋଏମ୍ବାଟୁର୍‌, ଝାରସୁଗୁଡ଼ା, ରାଉରକେଲା ଓ କ୍ୱାଲାଲମ୍ପପୁର୍‌କୁ ଗୋଟିଏ ଲେଖାଏଁ ବିମାନ ସେବା ଉପଲବ୍ଧ ହେବ।

ଅନ୍ତର୍ଜାତୀୟ ବିମାନବନ୍ଦର, ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ୍ ଓ ନୂତନ ଟର୍ମିନାଲ୍‌ର ଉଦ୍‌ଘାଟନ ପରେ ଧିରେ ଧିରେ ଆଗେଇ ଚାଲିଛି ଭୁବନେଶ୍ୱର ବିମାନ ବନ୍ଦର। ପରିସଂଖ୍ୟାନକୁ ଲକ୍ଷ୍ୟ କଲେ ୨୦୧୭ ମାର୍ଚ୍ଚ ମାସ ତୁଳନାରେ ୨୦୧୮ ମାର୍ଚ୍ଚ ମାସରେ ବିମାନଯାତ୍ରୀଙ୍କ ସଂଖ୍ୟାରେ ୩୯.୪ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୮ ମାର୍ଚ୍ଚ ମାସରେ ଭୁବନେଶ୍ୱର ବିମାନବନ୍ଦରରେ ୩ ଲକ୍ଷ ୪୨ ହଜାର ୭ଶହ ୬୮ଜଣ ଯାତ୍ରୀ ଯାତାୟତ କରିଛନ୍ତି। ଏଭଳି କ୍ରମବର୍ଦ୍ଧିଷ୍ଣୁ ଯାତ୍ରୀଙ୍କ ସଂଖ୍ୟା ଓ ନୂତନ ବିମାନବନ୍ଦରକୁ ବିମାନ ସଂଯୋଗ ଯୋଗୁଁ ଯାତ୍ରୀମାନେ ମଧ୍ୟ ଆନନ୍ଦ ପ୍ରକଟ କରିଛନ୍ତି।

By amfnews

Related Post