Sat. Mar 7th, 2026

ଭୁଜାଲିରେ ହାଣି ବ୍ୟବସାୟୀଙ୍କଠାରୁ ଲକ୍ଷେ ଲୁଟ୍

241 Views

ଛେଣ୍ଡିପଦା : ଜରପଡ଼ା ଥାନା ଅନ୍ତର୍ଗତ ୫୫ ନମ୍ୱର ଜାତୀୟ ରାଜପଥର ଅମାନ୍ତପୁର ନିକଟରେ ଆଜି ଭୋର ସମୟରେ ରାହାଜାନି ହୋଇଛି। ୩ଜଣ ଦୁର୍ବୃତ୍ତ ଜଣେ ଛେଳି ବ୍ୟବସାୟୀଙ୍କ ଡାହାଣ ହାତକୁ ଭୁଜାଲିରେ ହାଣି ଲକ୍ଷେ ଟଙ୍କା ଲୁଟି ନେଇଛନ୍ତି। ଛେଳି ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସଂପର୍କରେ ପୁଲିସ ପକ୍ଷରୁ ତନାଘନା ଚାଲିଥିବା ବେଳେ ଦୁର୍ବୃତ୍ତଙ୍କ ପତ୍ତା ମିଳିନାହିଁ।
ପୁଲିସ ସୂତ୍ରରୁ ପ୍ରକାଶ, ଆଜି ଭୋର ସାଢେ ୫ଟାରେ ବନ୍ତଳା ଥାନା ଶାବଳଭଙ୍ଗ ଗ୍ରାମର ଡମ୍ୱରୁ ସାହୁ(୩୧) ଜରପଡ଼ା ଅଞ୍ଚଳକୁ ଛେଳି କିଣିବାକୁ ଏକ ବାଇକ୍‌ରେ ଯାଉଥିଲେ। ଯିବା ବାଟରେ ଅମାନ୍ତପୁର ଗ୍ରାମ ନିକଟରେ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ଡମ୍ବରୁଙ୍କ ଡାହାଣ ହାତକୁ ଭୁଜାଲିରେ ହାଣି ତାଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟି ନେଇଥିଲେ। ଗୁରୁତର ଅବସ୍ଥାରେ ଡମ୍ୱରୁଙ୍କୁ ପ୍ରଥମେ ଅନୁଗୁଳ ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

By amfnews

Related Post