Sat. Mar 7th, 2026

ଭିକ୍ଷା ମାଗିଲେ ଗାଁ ସାଥୀ, ଆଜିଠାରୁ ଅନଶନ

402 Views

ଭୁବନେଶ୍ୱର : ପୁଣି ରାଜରାସ୍ତାକୁ ଓହ୍ଲାଇଲା ଗାଁସାଥୀ ସଂଘ। ସରକାରଙ୍କଠାରୁ ଅନେକଥର ମିଥ୍ୟା ପ୍ରତିଶ୍ରୁତି ପାଇ ହତାଶ ହେବା ପରେ ଆସନ୍ତାକାଲି (ସୋମବାର)ଠାରୁ ଲୋୟର ପିଏମ୍‌ଜିରେ ସଂଘ ଅନଶନ କରିବା ସହ ଆନ୍ଦୋଳନକୁ ବ୍ୟାପକ କରିବ। ମାଷ୍ଟର କ୍ୟାଣ୍ଟିନ୍‌ଠାରେ ‘ଗାଁ ସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶର ସଭାପତି ସୌଭାଗ୍ୟ ମିଶ୍ର ଓ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ ଆଜି ଏହି ସୂଚନା ଦେଇଛନ୍ତି।

ଆଜି ପୂର୍ବାହ୍ନରେ ସଂଘର ଶହଶହ କର୍ମକର୍ତ୍ତା ଲୋୟର୍‌ ପିଏମଜିଠାରେ ଏକତ୍ରିତ ହୋଇ ଭିକ୍ଷାଥାଳ ଧରି ରାଜ୍ୟ ସରକାରଙ୍କୁ ୪ଦଫା ଦାବି ପୂରଣ ପାଇଁ ଭିକ୍ଷା ମାଗିଛନ୍ତି। ସର୍ବନିମ୍ନ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ ଲାଗି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ୱାରା ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପଞ୍ଚାୟତିରାଜ ବିଭାଗରେ ୨୦୦୯ରୁ ୨୦୧୨ ଯାଏଁ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ପ୍ରଶାସନିକ ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ତା ପରଠାରୁ କେବଳ ପ୍ରତିଶ୍ରୁତି ମିଳିଛି। ସେଥିପାଇଁ କମିଟି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଥିବା ସେମାନେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ପ୍ରତାପ ମଲ୍ଲିକ, ଚଞ୍ଚଳା ବେହେରା, ସବିତା ସାହୁ, ଶୁଶିଳା ନାୟକ, କୁମୁଦିନୀ ପତି, ଲଳିତା ଦାସ, ନିରୁପମା ମିଶ୍ର, ଗଗନଧର ସାହୁ, ବିଦ୍ୟାଧର ଭୋଇ, ସନାତନ ମଲ୍ଲିକ, ଶଶଧର ସେଠୀ, ହେମନ୍ତ ନାହାକ, ସୁଧାଂଶୁ ଶତପଥୀ, ପବିତ୍ର ସୁନ୍ଦରାୟ, କୁଳମଣି ମେଣ୍ଟା, ରମେଶ ରଣା ଉପସ୍ଥିତ ଥିଲେ। ନିଷ୍ପତ୍ତି ଅନୁଯାୟୀ, ଆସନ୍ତାକାଲି(ସୋମବାର)ଠାରୁ ୨୫ଜଣ ଗାଁସାଥୀ ଅନଶନରେ ବସିବାକୁ ଥିବା ବେଳେ ଦାବି ପୂରଣ ନ ହେଲେ ସଂଖ୍ୟା ବଢ଼ିବ ବୋଲି ସଂଘ କହିଛି।

By amfnews

Related Post