Fri. Jan 24th, 2025

ଭାରତୀୟ ସଂସ୍କୃତି ସୁରକ୍ଷା ସମିତିର ଆଲୋଚନାଚକ୍ର ଓ ବେଦବ୍ୟାସ ପୁରାଣର ଶୁଭ ଉନ୍ମୋଚନ ଉତ୍ସବ

rklsanchar@gmail.com' By J.N. Pradhan Aug 20, 2018 #Featured
357 Views

ରାଉରକେଲା, ୨୦ା୮ : ସଂସ୍କୃତି ସୁରକ୍ଷାର ଅନ୍ୟତମ ଅନୁଷ୍ଠାନ ଭାରତୀୟ ସଂସ୍କୃତି ସୁରକ୍ଷା ସମିତି ତରଫରୁ ବେଦବ୍ୟାସକୁ ପ୍ରସିଦ୍ଧ ତୀର୍ଥକ୍ଷେତ୍ରରେ ପରିଣତ ପାଇଁ ସାହିତ୍ୟର ଭୂମିକା ଶୀର୍ଷକ ଆଲୋଚନାଚକ୍ର ବେଦବ୍ୟାସ ଗୁରୁକୁଳ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏଥିସହ ଜଗଦାନନ୍ଦ ସରସ୍ୱତୀଙ୍କ ସମ୍ପାଦିତ ବେଦବ୍ୟାସ ପୁରାଣର ଶୁଭ ଉନ୍ମୋଚନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସମିତି ମୁଖ୍ୟ ନୀଳକଣ୍ଠ ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପଣ୍ଡିତ ଧନେଶ୍ୱର ବେହେରା ସଭାପତିତ୍ୱ କରିଥିବା ବେଳେ ସାମ୍ବାଦିକ ତଥା କବି କୁଞ୍ଜ ବିହାରୀ ରାଉତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଡ.ଉମାକାନ୍ତ ପଣ୍ଡା, ଆଇନ୍ଜୀବୀ ନୃସିଂହ ଚରଣ ଜେନା, ବୈଦିକ ଗୁରୁକୁଳ ସଂସ୍କୃତି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀନିବାସ ପାଠୀଶର୍ମା, ଗାୟତ୍ରୀ ଶକ୍ତିପୀଠର ଟ୍ରଷ୍ଟି ନିତ୍ୟାନନ୍ଦ ଦାଶଷ ପ୍ରକାଶ ମାଲ୍ୟାନ୍ଦକରଜୀ ଓ ଜ୍ଞାନରଞ୍ଜନ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ ନିଜ ନିଜର ସୁଚିନ୍ତିତ ତଥା ଉପଦେୟ ତଥ୍ୟମାନ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ନୀଳକଣ୍ଠ ମହାନ୍ତି ଅତିଥି ପରିଚୟ ପ୍ରଦାନ ପରେ ଗୁରୁକୁଳ ଆଶ୍ରମର ଛାତ୍ରମାନେ ଅତିଥିଙ୍କୁ ଫୁଳ ଓ ଚନ୍ଦନ ଦେଇ ସ୍ୱାଗତ କରିଥିଲେ । ପରେ ଜଗଦାନନ୍ଦ ସରସ୍ୱତୀଙ୍କ ଲିଖିତ ପୁସ୍ତକ “ବେଦବ୍ୟାସ ପୁରାଣ’କୁ ଅତିଥିବୃନ୍ଦ ଉନ୍ମୋଚନ କରିଥିଲେ ।

ଡ.ଉମାକାନ୍ତ ପଣ୍ଡା ସମାଜ ଓ ସାହିତ୍ୟ ମଧ୍ୟରେ ଥିବା ସମ୍ପର୍କ ଉପରେ ଆଲୋକପାତ କରିବା ସହ ଏକ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀନିବାସ ପାଠୀଶର୍ମା ଚାରି ବେଦ ଓ ବ୍ୟାସ ନାମକରଣ ଉପରେ ଆଲୋଚନା କରିଥିଲେ । ଆଇନ୍ଜୀବୀ ନୃସିଂହ ଜେନା ବେଦବ୍ୟାସ ଓ ବ୍ରାହ୍ମଣୀ ନଦୀ ଉପରେ ଆଲୋକପାତ କରିବା ସହ ବେଦବ୍ୟାସକୁ ପଶ୍ଚିମ ଓଡିଶାର ସ୍ୱର୍ଗଦ୍ୱାର ନାମରେ ଅଭିହିତ କରିଥିଲେ । ବେଦବ୍ୟାସ ଓ ବ୍ରାହ୍ମଣୀକୁ ନିଜର କରିପାରିଲେ ଏହାର ସୁରକ୍ଷା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ନିତ୍ୟାନନ୍ଦ ଦାସ ବେଦବ୍ୟାସକୁ ଆଧ୍ୟାତ୍ମିକ ରାଜଧାନୀ ଭାବେ ବର୍ଣ୍ଣନା କରିବା ସହଏଠାରେ ଏକ ଝୁଲାପୋଲର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବେଦବ୍ୟାସକୁ ତୀର୍ଥକ୍ଷେତ୍ର କରିବା ପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ ଉପରେ ସେ ଜୋର୍ ଦେଇଥିଲେ ।

ପ୍ରକାଶ ମାଲ୍ୟନ୍ଦକରଜୀ ଆଧ୍ୟାତ୍ମିକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ୧୦୦ କୋଟି ହିନ୍ଦୁଥାଇ ଏକ ହିନ୍ଦୁ ରାଷ୍ଟ୍ର ଗଠନ ହୋଇନପାରିବା କ୍ଷୋଭର ବିଷୟ ବୋଲି କହିଥିଲେ । ସାମ୍ବାଦିକ ଜ୍ଞାନରଞ୍ଜନ ମିଶ୍ର ବୈଦିକ ପୀଠର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ବେଦବ୍ୟାସକୁ ତୀର୍ଥକ୍ଷେତ୍ରରେ ପରିଣତ ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି କହିଥିଲେ । ପଣ୍ଡିତ ଧନେଶ୍ୱର ବେହେରା ତାଙ୍କ ସଭାପତିତ୍ୱ ଅଭିଭାଷଣରେ ଭାରତୀୟ ସଂସ୍କୃତି ବେଶ ଉନ୍ନତ ବୋଲି ମତବ୍ୟକ୍ତ କରିଥିଲେ । ସେହିଭଳି ବର୍ତ୍ତମାନ ବେଦବ୍ୟାସର ଯାହା ଉନ୍ନତି ହୋଇଛି ତାହା ସରକାରୀ ସ୍ତରରେ ନୁହେଁ ବରଂ ଭକ୍ତମାନଙ୍କ ଅବଦାନରେ ହୋଇପାରିଛି ବୋଲି ମତରଖିଥିଲେ । ଏହି ଅବସରରେ ୧ ଲକ୍ଷ ଦସ୍ତଖତ ସଂଗୃହୀତ କରାଯାଇ ବେଦବ୍ୟାସକୁ ତୀର୍ଥକ୍ଷେତ୍ରରେ ପରିଣତ ପାଇଁ ଦସ୍ତଖତ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । କବି କୁଞ୍ଜ ବିହାରୀ ରାଉତ ଧନ୍ୟବାଦ ଦେଇଥିଲେ ।

Related Post