Sat. Jan 25th, 2025

ଭାରତୀୟ ଦଳ ଘୋଷଣା: କାର୍ତ୍ତିକ ବାଦ୍, ଋଷଭ ପନ୍ତଙ୍କୁ ସୁଯୋଗ, ଦଳକୁ ଫେରିଲେ ସାମି

By amfnews Oct 11, 2018 #Featured
227 Views

ନୂଆଦିଲ୍ଲୀ, ଅକ୍ଟୋବର୧୧: ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ୧୪ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ଘୋଷଣା କରିଛି। ଦଳକୁ ଫେରିଛନ୍ତି ନିୟମିତ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡର ଶେଷ ଟେଷ୍ଟ ମ୍ୟାଚରେ ଶତକ ଲଗାଇଥିବା ଋଷଭ ପନ୍ତଙ୍କୁ ଦିନେଶ କାର୍ତ୍ତିକଙ୍କ ଜାଗାରେ ଦଳରେ ସାମିଲ କରାଯାଇଛି। ଯଦି ତାଙ୍କୁ ଅନ୍ତିମ ଏକାଦଶରେ ସାମିଲ କରାଯାଏ ତେବେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆର ପଦାର୍ପଣ ମ୍ୟାଚ୍ ଖେଳିବେ।

ଉଲ୍ଲେଖନୀୟ, ୨୦ ବର୍ଷୀୟ ପନ୍ତ ଚଳିତ ବର୍ଷ ଇଂଲଣ୍ଡ ଗସ୍ତରେ ନର୍ଟିଂହାମରେ ଟେଷ୍ଟ ପଦାର୍ପଣ କରିଥିଲେ। ଓଭାଲରେ ଟେଷ୍ଟରେ କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରିଥିଲେ। ଏହି କ୍ରମରେ ରାଜକୋଟରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ସେ ୯୨ ରନର ପାଳି ଖେଳି ୮ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ଋଷଭଙ୍କ ଏହି ପ୍ରଦର୍ଶନ ପରେ ତାଙ୍କୁ ଦିନିକିଆ ଦଳରେ ସୁଯୋଗ ଦେବା ନେଇ ଦାବି ଉଠିଥିଲା।

ଏସିଅା କପରେ କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ଵ ତୁଲାଇଥିବା ରୋହିତ ଶର୍ମା ଉପଅଧିନାୟକ ରହିବେ। ଦଳର ମୁଖ୍ୟ ଦୁଇ ବୋଲର ଭୁବନେଶ୍ଵର କୁମାର ଓ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। ଦ୍ରୁତ ବୋଲର ଭାବେ ମହମ୍ମଦ ସାମି ଅନେକ ଦିନ ପରେ ଦିନିକିଆ ଦଳକୁ ଫେରିଛନ୍ତି। ଯୁବ ବୋଲର ଖଲିଲ ଅହମ୍ମଦ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ରବୀନ୍ଦ୍ର ଜାଡ଼େଜା, ଅମ୍ବତି ରାୟୁଡୁ, କେଏଲ ରାହୁଲ, ମନୀଷ ପାଣ୍ଡେ ନିଜର ସ୍ଥାନ ବଜାୟ ରଖିଛନ୍ତି।

ପ୍ରଥମ ଦୁଇଟି ଦିନିକିଆ ପାଇଁ ଭାରତୀୟ ଦଳ 

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧାଓ୍ଵନ, ଅମ୍ବତି ରାୟୁଡୁ, ମନୀଷ ପାଣ୍ଡେ, ଏମଏସ ଧୋନୀ, ଋଷଭ ପନ୍ତ, ରବୀନ୍ଦ୍ର ଜାଡ଼େଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ଖଲିଲ ଅହମ୍ମଦ, ଶାର୍ଦ୍ଦୁଳ ଠାକୁର, କେଏଲ ରାହୁଲ।

ଦିନିକିଆ ସିରିଜ୍ କାର୍ଯ୍ୟକ୍ରମ

ପ୍ରଥମ ଦିନିକିଆ- ଅକ୍ଟୋବର ୨୧, ଗୌହ୍ଵାଟୀ

ଦ୍ଵିତୀୟ ଦିନିକିଆ- ଅକ୍ଟୋବର ୨୪, ବିଶାଖାପାଟଣା

ତୃତୀୟ ଦିନିକିଆ- ଅକ୍ଟୋବର ୨୭, ପୁଣେ

ଚତୁର୍ଥ ଦିନିକିଆ- ଅକ୍ଟୋବର ୨୯, ମୁମ୍ବାଇ

ପଞ୍ଚମ ଦିନିକିଆ- ନଭେମ୍ବର ୦୧, ତିରୁଅନନ୍ତପୁରମ

By amfnews

Related Post