Wed. Dec 25th, 2024

ଭାରତକୁ ୭ ଉଇକେଟରେ ହରାଇ ୨-୦ରେ ଟେଷ୍ଟ୍‌ ସିରିଜ ପୋଛିଲା ନ୍ୟୁଜିଲାଣ୍ଡ

By amfnews Mar 2, 2020 #Featured
74 Views

ଖ୍ରୀଷ୍ଟଚର୍ଚ : ଖ୍ରୀଷ୍ଟଚର୍ଚ ଟେଷ୍ଟ୍‌ରେ ଭାରତକୁ ୭ ଉଇକେଟରେ ହରାଇ ଟେଷ୍ଟ ସିରିଜକୁ ୨-୦ରେ ପୋଛି ନେଇଛି ନ୍ୟୁଜିଲାଣ୍ଡ। ଦ୍ବିତୀୟ ଇନିଂସରେ ଭାରତ ୧୨୪ ରନ୍ ଅଲ ଆଉଟ୍ ହେବା ପରେ ବିଜୟ ଲାଗି ୧୩୨ ରନ୍ ଦରକାର କରୁଥିଲା ଘରୋଇ ନ୍ୟୁଜିଲାଣ୍ଡ ଦଳ। ଏହି  ଲକ୍ଷ୍ୟକୁ ଅତି ସହଜରେ ହାସଲ କରି ନେଇ ଥିଲେ ନ୍ୟୁଜିଲାଣ୍ଡର ବ୍ୟାଟସମ୍ୟାନ୍। ମାତ୍ର ୩ ଉଇକେଟ୍ ହରାଇ ବିଜୟ ହାସଲ କରିଥିଲା ଘରୋଇ ଦଳ। ନ୍ୟୁଜିଲାଣ୍ଡ ପକ୍ଷରୁ ଟମ୍ ଲଥାମ୍ ୫୩ (୭୪) ଓ ଟମ୍ ବଣ୍ଡେଲ୍ ୫୫ (୧୧୩) ରନ୍ କରି ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ। ପ୍ରଥମ ଇନିଂସରେ  ଭାରତ ବ୍ୟାଟିଂ କରି ୨୪୨ ରନ୍ କରିଥିବା ବେଳେ ନ୍ୟଜିଲାଣ୍ଡ  ୨୩୫ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଏହାପରେ ମାତ୍ର ୭ ରନ୍ ଆଗୁଆ ରହିଥିବା ଭାରତୀୟ ଦଳ ଦ୍ବିତୀୟ ଇନିଂସରେ ମାତ୍ର ୧୨୪ରେ ଅଲ୍ ଆଉଟ୍ ହୋଇଯାଇଥିଲା।

ଭାରତୀୟ  ବ୍ୟାଟ୍ସମ୍ୟାନ୍ ହିଁ ଦଳକୁ ପୁଣି ଥରେ ନିରାଶ କରିଛନ୍ତି। ବୋଲର ବଢ଼ିଆ ବୋଲିଂ କରି ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡକୁ ମାତ୍ର ୨୩୫ ରନ୍‌ରେ ଅଟକାଇବା ସତ୍ତ୍ବେ ଭାରତ  ପରାଜୟ ଲଭିଛି। ଅଧିନାୟକ କୋହଲିଙ୍କ ସିରିଜ୍ ବିଫଳତା ସହ ଯୁବ ତାରକା ମୟଙ୍କ ଅଗ୍ରୱାଲ, ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ବର ପୂଜାରା ନିରାଶ କରିବା ପରେ ଭାରତ ଦ୍ବିତୀୟ ପାଳିରେ ମାତ୍ର ୧୨୪ ରନ୍ କରିପାରିଥିଲା।

ରବିବାର ଦ୍ବିତୀୟ ଦିନ ‌ଖେଳରେ ବୋଲରଙ୍କ ଆଧିପତ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ସେମାନେ ୭୩.୧ ଓଭରରେ ନ୍ୟୁଜିଲାଣ୍ଡର ସମସ୍ତ ୧୦ ୱିକେଟ୍ କରାୟତ୍ତ କରିଥିଲେ। ସେପଟେ କିୱି ବୋଲର ୬ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ। ମୋଟ ଉପରେ ଆଜି ୧୬ ୱିକେଟ୍‌ର ପତନ ଘଟିଥିଲା। ତେବେ ଭାରତର ପ୍ରଥମ ପାଳିରେ ୫ ୱିକେଟ୍ ନେଇଥିବା ଯୁବ ତାରକା କାଇଲ୍ ଜାମିସନଙ୍କ ଲଢ଼ୁଆ ୪୯ ରନ୍ ପାଳି ପାଇଁ ନ୍ୟୁଜିଲାଣ୍ଡ ପଲ୍ଲା ଭାରି ରହିଥିଲା। ପ୍ରଥମ ପାଳିରେ ମାତ୍ର ୨୪୨ ରନ୍ କରିଥିବାରୁ ମ୍ୟାଚ୍‌ରେ ବଞ୍ଚି ରହିବାର କଷ୍ଟକର ଲକ୍ଷ୍ୟ ନେଇ ଭାରତ ଗତକାଲି  ଖେଳ ଆରମ୍ଭ କରିଥିଲା। ତେବେ ଯଶପ୍ରୀତ ବୁମ୍‌ରା (୩/୬୨), ମହମ୍ମଦ ସାମି (୪/୮୧) ଓ ରବୀନ୍ଦ୍ର ଜାଦେଜା (୨/୨୨) ଏମିତି ବୋଲିଂ କରିଥିଲେ ଯେ ଭାରତ ପ୍ରଥମ ପାଳିରେ ଆଗୁଆ ହୋଇ ଯାଇଥିଲା। ହେଲେ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ଲଢ଼େଇ ପାଇଁ ନ୍ୟୁଜିଲାଣ୍ଡ ପୁଣି ଥରେ ମ୍ୟାଚ୍‌କୁ ଫେରି ଆସିଥିଲା।

By amfnews

Related Post